ପୂର୍ତ୍ତ ଓ ଜଳ ସମ୍ପଦ ବିଭାଗ ଛାଡ଼ିଲେ ମୁଖ୍ୟମନ୍ତ୍ରୀ ! ବିଜେପୁରରେ ପ୍ରଭାବ ପ୍ରଦର୍ଶନ କରିଥିବା ନେତାଙ୍କୁ ପୁରସ୍କାର

44

କନକ ବ୍ୟୁରୋ : ନବୀନଙ୍କ ମନ୍ତ୍ରିମଣ୍ଡଳର ନବକଳେବର । ମନ୍ତ୍ରିମଣ୍ଡଳରେ ଏକ ଅପ୍ରତ୍ୟାଶିତ ପରିବର୍ତ୍ତନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନିଜ ଅଧିନରୁ ପୂର୍ତ୍ତ ଓ ଜଳସଂପଦ ବିଭାଗକୁ ପ୍ରତ୍ୟାହାର କରି ଅନ୍ୟ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ପୂର୍ବରୁ ଏ ନେଇ କୌଣସି ସୂଚନା ନ ଥିବାରୁ ରାଜନୈତିକ ମହଲରେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଏକ ମାଷ୍ଟର ଷ୍ଟ୍ରୋକ୍‌ ବୋଲି କୁହାଯାଉଛି।

ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ହୋଇଛି ବଡ ଧରଣର ବିଭାଗ ଅଦଳବଦଳ । ଦୀର୍ଘ ବର୍ଷ ପରେ ପୂର୍ତ୍ତ ଓ ଜଳସଂପଦ ବିଭାଗ ଛାଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ୍ । ବିଜେପୁର ଉପନିର୍ବାଚନରେ ଦଳ ହାସଲ କରିଥିବା ବିପୁଳ ବିଜୟ ପଛରେ ଯେଉଁ ନେତା ମାନଙ୍କ ଭୂମିକା ରହିଥିଲା  ନବୀନ ସେମାନଙ୍କୁ ପୁରସ୍କୃତ କରିଛନ୍ତି । ନିରଂଜନ ପୂଜାରୀଙ୍କୁ ଜଳସମ୍ପଦ ବିଭାଗର ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ସେ ନଗର ଉନ୍ନୟନ ବିଭାଗର ମଧ୍ୟ ଦାୟିତ୍ୱ ତୁଲାଇବେ । ନିରଂଜନ ପୂଜାରୀ ଉପନିର୍ବାଚନ ସମୟରେ ଗାଇସିଲଟ ବ୍ଲକର ଦାୟିତ୍ୱରେ ଥିଲେ । ଯାହା ପ୍ରଣୟ ସାହୁଙ୍କ ଗଡ ହୋଇଥିଲେ ମଧ୍ୟ ବିଜେଡି ସେଠି ଜବରଦସ୍ତ ସଫଳତା ହାସଲ କରିଥିଲା ।

ସେହିପରି ବରଗଡ ପର୍ଯ୍ୟବେକ୍ଷକ ଦାୟିତ୍ୱାରେ ଥିବା ପ୍ରଫୁଲ ମଲ୍ଲିକଙ୍କୁ ମଧ୍ୟ ମିଳିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦିଆଗଲା ପୂର୍ତ୍ତ ବିଭାଗ ଦାୟିତ୍ୱ । ପୂର୍ବଭଳି ତାଙ୍କ ପାଖରେ ରହିବ ଇସ୍ପାତ ଓ ଖଣି ବିଭାଗର ଦାୟିତ୍ୱ । ପ୍ରତାପ ଜେନାଙ୍କୁ ମିଳିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ନୂଆ ବିଭାଗର ଦାୟିତ୍ୱ ଚଳାଇବେ ପ୍ରତାପ ଜେନା । ବିଜେପୁର ଉପ ନିର୍ବାଚନ ସମୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୂଲାଇଥିବା ସୁଶାନ୍ତ ସିଂଙ୍କୁ ପଚୁସ୍କୃତ କରିଛନ୍ତି ନବୀନ । ସୁଶାନ୍ତ ସିଂଙ୍କୁ ମିଳିଲା ଶକ୍ତି ବିଭାଗ ଦାୟିତ୍ୱ । ପୂର୍ବଭଳି ସୁଶାନ୍ତ ସିଂ ଶ୍ରମ ଓ ନିଯୁକ୍ତି ଦାୟିତ୍ୱ ତୁଳାଇବେ । ଅନନ୍ତ ଦାସଙ୍କୁ ମିଳିଲା ଶିଳ୍ପ ବିଭାଗ ଦାୟିତ୍ୱ । ପୂର୍ବଭଳି ଉଚ୍ଚ ଶିକ୍ଷା ବିଭାଗର ଦାୟିତ୍ୱ ସହ ଶିଳ୍ପ ବିଭାଗ ଦାୟିତ୍ୱ ତୁଳାଇବେ ଅନନ୍ତ ଦାସ ।

ତେବେ ନୂଆ ବିଭାଗ ଦାୟିତ୍ୱ ପାଇବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅନନ୍ତ ଦାସ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋ ପ୍ରତି ଭରସା କରିଥିବାରୁ ତାଙ୍କୁ ଅନେକ ଅନେକ ଧନ୍ୟବାଦ । ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ଏବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ବିଭାଗ ଦାୟିତ୍ୱ ମିଳିଛି । ଉଭୟ ବିଭାଗକୁ ସୂଚାରୁରୂପେ ପାଳନ କରିବି ବୋଲି ସେ ପ୍ରକାଶ କରିଛନ୍ତି । ଅନ୍ୟପଟେ ପୂର୍ତ୍ତ ବିଭାଗ ଦାୟିତ୍ୱ ପାଇବା ପରେ ପ୍ରତିିକ୍ରିୟା ପ୍ରକାଶ କରିଛନ୍ତ ପ୍ରଫୁଲ୍ଲ ମଲ୍ଲିକ । ସେ କହିଛନ୍ତି , ଓଡ଼ିଶାର ମଙ୍ଗଳ ପାଇଁ କାମ କରିବି ଏବଂ ନୂଆ ଦାୟିତ୍ୱକୁ ସୂଚାରୁ ରୂପେ ପାଳନ କରିବି ।