ଚତୁର୍ଥ ପାଳିର ୪ବର୍ଷ ପୁରଣରେ ୧୦ଟି ସଫଳତା ବଖାଣିଲେ ନବୀନ ! ସେପଟେ ୧୮ବର୍ଷରେ ୩୬ଟି ଦୁର୍ନୀତିର ତାଲିକା ନେଇ ବୁକଲେଟ୍ ପ୍ରକାଶ କଲା ବିଜେପି

40

କନକ ବ୍ୟୁରୋ : ରାଜ୍ୟରେ ନବୀନ ସରକାରଙ୍କ ଚତୁର୍ଥ ପାଳିକୁ ପୁରିଛି ୪ବର୍ଷ । ଏହି ଚାରି ବର୍ଷ ଭିତରେ ସରକାର କଣ ସବୁ ସଫଳତା ପାଇଛନ୍ତି ତାହାକୁ ବର୍ଣ୍ଣନା କରି ୧୦ଟି ପ୍ରମୁଖ ସଫଳତା ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଜେଡି ସରକାରରେ ଅଧିକ ପାରଦର୍ଶିତା ପାଇଁ ଆଜି ଥ୍ରୀ-ଡିର ମନ୍ତ୍ର ଦେଇଛନ୍ତି ନବୀନ । ଆଉ ସେପଟେ କେନ୍ଦ୍ରରେ ମୋଦି ସରକାରଙ୍କ ପ୍ରଥମ ପାଳିକୁ ମଧ୍ୟ ପୁରିଛି ୪ବର୍ଷ । ରାଜ୍ୟରେ ବିଜେଡି ୧୮ ବର୍ଷ ଶାସନରେ ଆସିଥିବା ବିଭିନ୍ନ ଦୁର୍ନୀତିକୁ ବୁକ୍ଲେଟ୍ ପ୍ରକାଶ କରିଛି ରାଜ୍ୟ ବିଜେପି । ୩୬ଟି ମହାଦୁର୍ନୀତି ଅଭିଯୋଗ ଆଣି ନବୀନ ସରକାରଙ୍କୁ ସମାଲୋଚନା କରିଛି । କଂଗ୍ରେସ ମଧ୍ୟ ବିଜେଡି ସରକାର ଅମଳରେ ରାଜ୍ୟର ବିକାଶ ପରିବର୍ତ୍ତେ ବିନାଶ ହୋଇଥିବା ଅଭିଯୋଗ ଆଣିଛି ।

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଯାତ୍ରାର ୪ବର୍ଷ ପୂର୍ତ୍ତିର କାହାଣୀ, ଆଗାମୀ ସାଧାରଣ ନିର୍ବାଚନରେ ଏକ ବଡ ଧରଣର ଲଢେଇକୁ ଇସାରା କରୁଛି । କାରଣ ଏପଟେ ବଜେଡିର ଦାବି ନବୀନ ଆହୁରି ଲୋକପ୍ରିୟ ହୋଇଛନ୍ତି ସେପଟେ ବିଜେପିର ଦାବି ମୋଦି ମ୍ୟାଜିକ ଏବେ ବି କାମ କରୁଛି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ୪ବର୍ଷର ଶାସନ ବେଶ ଗୁରୁତ୍ୱ ରଖୁଛି । କାରଣ ଏହାପରେ ସେମାନେ ନିର୍ବାଚନୀ ମୈଦାନକୁ ଓହ୍ଲାଇଯିବେ । ଆଉ ଏହି ୪ବର୍ଷ ଶାସନର ପ୍ରତିଫଳନ ଦେଖିବାକୁ ମିଳିବ ନିର୍ବାଚନରେ ।

ଚତୁର୍ଥ ପାଳିର ୪ବର୍ଷ ପୂର୍ତ୍ତିର ସମୀକ୍ଷା କରିବାବେଳେ ମନ୍ତ୍ରୀପରିଷଦ ବୈଠକରେ ଏକ ନୂଆ ମନ୍ତ୍ର ଦେଇ ମୁଖ୍ୟମନ୍ତ୍ରୀ ଥ୍ରୀ-ଡିର ମନ୍ତ୍ର ଦେଇଛନ୍ତି । ଡିଟରମିନେସନ, ଡିଭୋସନ ଓ ଡେଡିକେସନର କଥା କହିଛନ୍ତି ନବୀନ । ୪ବର୍ଷରେ ସରକାଙ୍କ ସଫଳତା କଥା କହିବାକୁ ଯାଇ ନବୀନ ୧୦ଟି ସଫଳତା ଉଲ୍ଲେଖ କରିଛନ୍ତି ।

୧- ଓଡିଆ ଭାଷାର ବିକାଶ ପାଇଁ ଐତିହାସିକ ପଦକ୍ଷେପ ନିଆଯାଇଛି

୨- ୪ ବର୍ଷରେ ୧୭ ଲକ୍ଷ ଲୋକଙ୍କୁ ପକ୍କାଘର ଯୋଗାଇ ଦିଆଯାଇଛି

୩- ଗ୍ରାମାଂଚଳରେ ୨୫,୫୦୦ କିଲୋମିଟର ରାସ୍ତା ତିଆରି ହୋଇଛି

୪- ଅଧିକ ୭ ଲକ୍ଷ ହେକ୍ଟରରେ ଜଳସେଚନ ଓ ଭାଗଚାଷୀଙ୍କୁ ଋଣ ଦେବାକୁ ବ୍ୟବସ୍ଥା ହୋଇଛି

୫- ବସ୍ତି ଲୋକଙ୍କୁ ଜାଗା ଅଧିକାର ଦିଆଯାଇପାରିଛି

୬- ଦକ୍ଷତା ବିକାଶ କ୍ଷେତ୍ରରେ ଓଡିଶା ଦେଶରେ ଏକ ନମ୍ବର ହୋଇଛି

ସେପଟେ ନବୀନ ସରକାରଙ୍କ ୧୮ବର୍ଷର ଶାସନ ବିରୋଧରେ ଏକ ବୁକଲେଟ ପ୍ରକାଶ କରି ୩୬ଟି ମହାଭିଯୋଗ ଆଣିଛି ବିଜେପି । ସେଗୁଡିକ ହେଉଛି

୧- ଚିଟଫଣ୍ଡ ମହାଦୁର୍ନୀତି

୨- ଖଣି ଦୁର୍ନୀତି

୩- ଡାଲି ଦୁର୍ନୀତି

୪- ରାଜଧାନୀରେ ସରକାରୀ ଜମି ଦୁର୍ନୀତି

୫- ମନରେଗା ଦୁର୍ନୀତି

ସେପଟେ ନେତୃତ୍ୱ ପରିବର୍ତ୍ତନ ପରେ ଅଂଟା ସଳଖି ଛିଡା ହେଉଥିବା କଂଗ୍ରେସ ନବୀନ ସରକାରଙ୍କ ୪ବର୍ଷ ପୂରଣରେ ବିଜେଡିକୁ ଟାର୍ଗେଟ କରିଛି । ଉଭୟ ରାଜ୍ୟରେ ନବୀନ ଓ କେନ୍ଦ୍ରରେ ମୋଦି ସରକାରଙ୍କ ଏହି ୪ବର୍ଷର ଶାସନ ବେଶ ଗୁରୁତ୍ୱପୂର୍ଣ୍ଣ । ଆଗକୁ ଉଭୟଙ୍କ ପକ୍ଷରୁ ପଲିଟିକାଲ ୱାର ଦଖିବାକୁ ମିଳିପାରେ । ତଥାପି ଏହି ୪ବର୍ଷର ଶାସନ ସେମାନଙ୍କ ଭୋଟ ଭାଗ୍ୟରେ ମୁଖ୍ୟ ଭୂମିକା ନେବ ବୋଲି ଅନୁମାନ କରାଯାଉଛି ।

ସେପଟେ ରାଜ୍ୟରେ ନବୀନ ସରକାରଙ୍କ ଚତୁର୍ଥ ପାଳିର ୪ବର୍ଷ ଓ କେନ୍ଦ୍ରରେ ମୋଦି ସରକାରଙ୍କ ପ୍ରଥମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତିରେ ବିଜ୍ଞାପନ ଲଢେଇ । ଆଜି ସମସ୍ତ ଓଡିଆ ଖବର କାଗଜରେ ଦୁଇ ଦଳ ପକ୍ଷରୁ ପ୍ରକାଶ ପାଇଛି ପୁରା ପୃଷ୍ଠାର ବିଜ୍ଞାପନ । ଯାହାକୁ ନେଇ ବି ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନ ବାଜି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ସହ ବିଜେଡି ସରକାରଙ୍କ ୪ବର୍ଷର ଉପଲବ୍ଧିକୁ ପାଠକଙ୍କ ଆଗରେ ଉପସ୍ଥାପନ କରିଛି ଶାସକ ଦଳ । ଆଉ ସେପଟେ ଆଜି ବଲାଙ୍ଗୀରରେ ଏଲିପିଜି ବଟଲିଂ ପ୍ଲାଂଟର ଶିଳାନ୍ୟାସରେ ଯୋଗ ଦେଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମକୁ ବିଜ୍ଞାପନ ଜରିଆରେ ପାଠକଙ୍କ ସାମ୍ନାରେ ରଖିଛି ବିଜେପି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଥାଇ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦିଆଯାଇଛି । ହେଲେ ଏହି ବିଜ୍ଞାପନ ରାଜନୀତିକୁ ନେଇ ପରସ୍ପର ଉପରେ ଶାଣୀତ ଆକ୍ରମଣ କରିଛନ୍ତି ଉଭୟ ବିଜେପି ଓ ବିଜେଡି । ସେପଟେ କଂଗ୍ରେସ ମଧ୍ୟ ଏହି ବିଜ୍ଞାପନ ପ୍ରଚାର ଲାଗି ଉଭୟ ଦଳକୁ ତୀବ୍ର ସମାଲୋଚନା କରିଛି ।