ମମତା କହିଲେ, ନବୀନ କହିଲେନି : ମୋଦି ବିରୋଧୀ ମେଂଟ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଉପରେ ନବୀନ ରଖିଲେ ଅସ୍ପଷ୍ଟ ଉତ୍ତର

17

କନକ ବ୍ୟୁରୋ : ମମତାଙ୍କ ମହାମେଂଟ ପ୍ରସ୍ତାବ ସଂପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି, ମେଂଟ ନେଇ ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ହୋଇନାହିଁ । ଗତକାଲି ପଶ୍ଚିମବଙ୍ଗରେ ଅନୁଷ୍ଠିତ ଇଣ୍ଡିଆ ଟୁଡେ କନକ୍ଲେଭରେ ମୋଦି ବିରୋଧୀ ମହାମେଂଟ ପାଇଁ ଆହ୍ୱାନ ଦେଇଥିଲେ ମମତା । ମମତା କହିଥିଲେ, ବିଜେଡି, ଡିଏମକେ, ସମାଜବାଦୀ ପାର୍ଟି ଓ ବହୁଜନ ସମାଜପାର୍ଟି ସହ ସେ ଏନେଇ ସମ୍ପର୍କରେ ଅଛନ୍ତି । ଗୋଟିଏ ପଟେ ଓଡିଶାରେ ବିଜେପି, ବିଜେଡିର ମୁଖ୍ୟ ଶତ୍ରୁ ପାଲଟିଥିବା ବେଳେ ମମତାଙ୍କ ଏଭଳି ପ୍ଲାନ୍, ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି । ହେଲେ ଆଜି ଦିଲ୍ଲୀରେ ନବୀନ ଏ ନେଇ କିଛି ସ୍ପଷ୍ଟ ସଂକେତ ଦେଇନାହାନ୍ତି ।

ସେପଟେ ବିଜେପି ଉପରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ । ଓଡ଼ିଶାରେ ବିଜେପି ଶାସକ ଦଳକୁ କଡ଼ା ଟକ୍କର ଦେବାକୁ ରଣହୁଙ୍କାର ଦେଉଛି । ସେପଟେ ମମତା ବାନାର୍ଜିଙ୍କ ତୃଣମୂଳ କଂଗ୍ରେସକୁ ପଶ୍ଚିମବଙ୍ଗ ଶାସନ ଗାଦିରୁ ହଟାଇବା ପାଇଁ ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି । ଏଭଳି ସ୍ଥିତିରେ ମମତାଙ୍କ ମୋଦି ବିରୋଧୀ ମହାମେଂଟ ପ୍ରସ୍ତାବ ଉପରେ ନବୀନ ନିରବ ରହିଥିଲେ ବି ପରବର୍ତି ଆଭିମୁଖ୍ୟ କ’ଣ ହେବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।