ଧର୍ମେନ୍ଦ୍ରଙ୍କ ଆଇଓସିଏଲକୁ ଭାଟ୍ ଛାଡ କରିବାକୁ ମନା କଲେ ନବୀନ ! ରାଜ୍ୟ ସ୍ୱାର୍ଥ ପାଇଁ ନିଷ୍ପତିକୁ ଠିକ କହିଲେ ସରକାର

24

କନକ ବ୍ୟୁରୋ : ପାରାଦ୍ୱୀପ ତୈଳ ବିଶୋଧନାଗାରକୁ ମିଳିବନି ଓଡିଶାର ସହାୟତା । ରାଜ୍ୟ ସରକାର ଏହି ସଂସ୍ଥାକୁ ଘୋଷଣା କରିଥିବା ସୁଧମୁକ୍ତ ରୁଣ ଓ ଭାଟ ଛାଡ ସୁବିଧାକୁ ପ୍ରତ୍ୟାହାର କରିନେଇଛନ୍ତି । ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଗ୍ରହଣ କରିନେଇଛି । ରାଷ୍ଟ୍ରୀୟ ଉଦ୍ୟୋଗ ଇଂଡିୟାନ ଅଏଲ୍ କର୍ପୋରେସନ ଲିମିଟେଡ୍ କୁ ମିଳୁଥିବା ଆର୍ଥିକ ପ୍ରୋତ୍ସାହନକୁ ରାଜ୍ୟ ସରକାର ପ୍ରତ୍ୟାହାର କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି ।

ଆର୍ଥିକ ହାନି ଓ ରାଜସ୍ୱ ଶୃଙ୍ଖଳା ବିଗିଡିବା ଆଶଙ୍କାରେ ଏମିତି ପଦକ୍ଷେପ ନିଆଯାଇଛି ବୋଲି ଅର୍ଥ ମନ୍ତ୍ରୀ ପ୍ରଦୀପ ଅମାତ ଗତକାଲି ବିଧାନସଭାରେ ସୂଚନା ଦେଇଛନ୍ତି । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଅନ୍ୟାନ୍ୟ କମ୍ପାନୀଙ୍କୁ ରାଜ୍ୟ ସରାକର ଏହି ସୁବିଧା ଦେଉଥିବା ବେଳେ ଆଇଓସିଏଲ୍କୁ ଏହା ବନ୍ଦ କରିବା ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରତି ଥିବା ଇର୍ଷାଭାବ ମୁଖ୍ୟ କାରଣ ବୋଲି ବିଜେପି ଅଭିଯୋଗ କରିଛି ।