ବିବାଦରେ ନବରଙ୍ଗପୁର ଏସପି : ସରକାରୀ ଘରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ନିର୍ଯାତନା ଅଭିଯୋଗ 

ବ୍ୟକ୍ତିଙ୍କୁ ମାଡ ମାରିଲେ, ନକହିବା ପାଇଁ ପ୍ୟାଂଟ ସାର୍ଟ ଓ ଜାକେଟର ଲୋଭ  ଦେଖାଇଲେ ।

149

କନକ ବ୍ୟୁରୋ : ନବରଙ୍ଗପୁର ଏସପି ବିବେକାନନ୍ଦଙ୍କ ଶର୍ମାଙ୍କ ନାଁରେ ନିର୍ଯାତନା ଅଭିଯୋଗ ।  ସରକାରୀ ବାସଭବନକୁ  କାମ କରିବାକୁ ଆସିଥିବାବଳେ ବାବୁଲା ଭତ୍ରା ନାମକ ଜଣେ କେବୁଲ କର୍ମଚାରୀଙ୍କୁ ଏସପି ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି । ଅଭିଯୋଗ ଅନୁସାରେ, ଗତ ୨୩ ତାରିଖରେ ବାବୁଲା ଭତ୍ରା, ଏସପିଙ୍କ ସରକାରୀ ଘରେ କାମ କରୁଥିଲେ ।  ସେ ଘରର ଆଲମିରା ଆଡେଇ କାମ କରୁଥିବାବେଳେ ବିବେକାନନ୍ଦ ଶର୍ମା ହଠାତ୍ ପହଂଚି  ଏଣେତେଣେ ପ୍ରଶ୍ନ ପଚାରିବା ସହ  ମାଡ ମାରିଥିଲେ ।  ପରେ ସେ ଗଣମାଧ୍ୟମକୁ କିଛି  ନକହିବା ପାଇଁ ପ୍ରଲୋଭନ ଦେଖାଇ ପ୍ୟାଂଟ ସାର୍ଟ ଓ ଜାକେଟ କିଣି ଦେଇଥିଲେ ।

ଏ ନେଇ ଏକ ଅଡିଓ ଟେପ୍ ବି ଜାରି କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି । ଏହି ଅଡିଓ ଟେପରେ  ପାପଡାହାଣ୍ଡି ଥାନା ଅଧିକାରୀ ତାରିକ ଅହମ୍ମଦ ଓ ନିର୍ଯାତନା ପାଇଥିବା ଯୁବକଙ୍କ କଥାବର୍ତ୍ତା ହେଉଥିବା ଦାବି କରାଯାଇଛି । ପାପଡାହାଣ୍ଡି  ଥାନା ଅଧିକାରୀ ବାବୁଲା  ଭତ୍ରାଙ୍କୁ ମାମଲା ରଫାଦଫା କରିବାକୁ ଚାପ ପକାଇଥିବା  ଭିଡିଓରେ ଦର୍ଶାଯାଇଛି ।  ଘଟଣା ନେଇ ଜିଲ୍ଲା ଏସପି  ଆଗାମୀ ୪ ତାରିଖ ସୁଦ୍ଧ କ୍ଷମା ନମାଗିଲେ  ନବରଙ୍ଗପୁର ବନ୍ଦ କରିବାକୁ ପ୍ରଦୀପ ମାଝି ଧମକ ଦେଇଛନ୍ତି । ତେବେ ପାପଡାହାଣ୍ଡି ଥାନା ଅଧିକାରୀ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ପ୍ରଦୀପ ପୋଲିସ ଉପରେ ଚାପ ପ୍ରୟୋଗ କରିବାକୁ  ଉଦ୍ୟମ କରୁଛନ୍ତି ।