ଭଉଣୀ ହେବ ତ ଏମିତି । ଭିନ୍ନକ୍ଷମ ଭଉଣୀର ସ୍ୱପ୍ନ ପୂରଣ ପାଇଁ ଅଧାରୁ ପାଠ ଛାଡିଲା ବଡ ଭଉଣୀ, କଲେଜକୁ କାନ୍ଧରେ ବୋହି ନେବା ସହ ଗଛ ମୂଳେ ଅପେକ୍ଷା କରୁଛି ବଡ ଭଉଣୀ

53

କନକ ବ୍ୟୁରୋ : ବଡ଼ ଭଉଣୀର କାନ୍ଧ ପାଲଟିଛି ଭିନ୍ନକ୍ଷମ ସାନଭଉଣୀର ସାହା ଭରସା । ସାନ ଭଉଣୀର ଉଚ୍ଚଶିକ୍ଷା ସ୍ୱପ୍ନ ପୂରଣ କରିବା ପାଇଁ ବଡ଼ ଭଉଣୀ ନେଇଛି ଦାୟିତ୍ୱ । ମଣିଷପଣିଆର ଏଭଳି ଏକ ପ୍ରେରଣାଦାୟୀ ଚିତ୍ର ସାମ୍ନାକୁ ଆସିଛି ନବରଂଗପୁରରୁ, ଯେଉଁଠି ଦିବ୍ୟାଙ୍ଗ ହେବା ମଧ୍ୟ ସୃଷ୍ଟି କରିପାରିନି ପ୍ରତିବନ୍ଧକ । ନବରଂଗପୁରର ଗୀତା ଓ ଭୁବନେଶ୍ୱରୀଙ୍କ ଏହି ପ୍ରେରଣାଦାୟୀ କାହାଣୀ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

କାହାଣୀ ନବରଂଗପୁର କୋଷାଗୁମୁଡ଼ା ବ୍ଲକ୍ ସନ୍ତୋଷପୁର ପଂଚାୟତ ଦାନୁଆ ଗାଁର । ଜନ୍ମରୁ ପୋଲିଓ ଦ୍ୱାରା ଆକ୍ରାନ୍ତ ହୋଇ ଗୀତା ଚାଲିବାକୁ ଅସମର୍ଥ । ତେବେ ତାଙ୍କ ଉଚ୍ଚଶିକ୍ଷାର ଆଗ୍ରହକୁ ଦେଖି ବଡ଼ ଭଉଣୀ ଭୁବନେଶ୍ୱରୀ କରୁଛନ୍ତି ସହାୟତା । ଆଉ ଗୀତାଙ୍କୁ ନିଜ କାନ୍ଧରେ ବୋହି ସେ ଶିକ୍ଷାନୁଷ୍ଠାନକୁ ନେଉଛନ୍ତି । ଏପରିକି ଶିକ୍ଷା ପାଇଁ ଦୁଇ ଭଉଣୀ ଗାଁ ଛାଡ଼ି ନବରଂଗପୁରରେ ଏକ ଘର ଭଡ଼ା ନେଇ ସେଠାରେ ପାଠପଢ଼ା ଜାରି ରଖିଛନ୍ତି । ନବରଂଗପୁରର ଏହି କାହାଣୀ ବିଶ୍ୱାସ ନହେଲେ ବି ସତ ।

ଗୀତାଙ୍କୁ ମିଶାଇ ଘରେ ଚାରି ଭଉଣୀ, ତେବେ କେହି କଲେଜ୍ ପର୍ଯ୍ୟନ୍ତ ପହଁଚିପାରିନଥିଲେ । ଗୀତା ଚଳିତ ମାଟ୍ରିକ୍ ପରୀକ୍ଷାରେ ୬୦ ପ୍ରତିଶତ ନମ୍ବର ରଖି ନବରଂଗପୁର ମହିଳା କଲେଜରେ ନାମ ଲେଖାଇଥିଲେ କିନ୍ତୁ ଭୁବନେଶ୍ୱରୀଙ୍କୁ ମିଳିନଥିଲା ସିଟ୍ । ଅନ୍ୟ କୌଣସି କଲେଜରେ ନାମ ଲେଖାଇବା ପରିବର୍ତେ ଗୀତାଙ୍କ ଶିକ୍ଷାଦାନକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରୀ ନିଜେ ଛାଡ଼ିଥିଲେ ପାଠ । ସେପଟେ ଗୀତାଙ୍କ ପାଠପଢ଼ା ପ୍ରତି ଆଗ୍ରହ ଦେଖି କଲେଜ୍ କର୍ତୃପକ୍ଷ ଫି ଛାଡ଼ର ନିଷ୍ପତି ନେଇଛନ୍ତି ।

ସ୍ୱାର୍ଥସର୍ବସ୍ୱ ଦୁନିଆରେ ଭଉଣୀ, ଭଉଣୀ ଆଡ଼କୁ ବଢ଼ାଇଛି ସହାୟତାର ହାତ । ଦୁଇ କିଲୋମିଟର କାନ୍ଧରେ ବୋହି ଗୀତାଙ୍କୁ କଲେଜ୍ ନେବା ଓ ପଢ଼ା ଶେଷ ହେବା ପର୍ଯ୍ୟନ୍ତ ଗଛମୁଳେ ଅପେକ୍ଷା କରିବା ଏବେ ଭୁବନେଶ୍ୱରୀଙ୍କ ପାଇଁ ଦୈନନ୍ଦିନ କାର୍ଯ୍ୟରେ ପରିଣତ ହୋଇଛି । ଅନ୍ୟପଟେ ସାନ ଭଉଣୀ ପ୍ରତି ବଡ଼ ଭଉଣୀର ଦାୟିତ୍ୱବୋଧ ଓ ପ୍ରତିଶ୍ରୁତିବଦ୍ଧତା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।