ରାସ୍ତା ନିର୍ମାଣ ଦାବିରେ ଅଭିନବ ପ୍ରତିବାଦ : ଉମରକୋଟରେ ରାସ୍ତା ଉପରେ ଜାଲ ପକାଇ ମାଛ ଧରିଲେ ସ୍ଥାନୀୟ ବାସିନ୍ଦା

52

କନକ ବ୍ୟୁରୋ : ଅନେକ ସମୟରେ ପ୍ରତିବାଦ କରିବା ପାଇଁ ଅଭିନବ ଉପାୟ ଅବଲମ୍ବନ କରିଥାନ୍ତି ଉତ୍ୟକ୍ତ ଜନତା । ଦାବି ଉପସ୍ଥାପନ ପାଇଁ କେତେବେଳେ ରାସ୍ତା ଉପରେ ମୃତଦେହ ରଖି ତ ଆଉ କେତେବେଳେ ପୂଜାପାଠ କରି । ଏମିତି ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି ନବରଙ୍ଗପୁର ଉମରକୋଟରେ । ଖରାପ ରାସ୍ତାର ମରାମତି ଦାବିରେ ରାସ୍ତା ଉପରେ ଜାଲ ପକାଇ ମାଛ ମାରିଛନ୍ତି ସ୍ଥାନୀୟ ବାସିନ୍ଦା ।

ରାସ୍ତା ଉପରେ ଜଳାଶୟ । ପୋଖରୀ ଭଳି ଦେଖିଯାଉଥିବା ରାସ୍ତା ନବରଙ୍ଗପୁର ଉମରକୋଟରୁ ସୁନାବେଡାକୁ ସଂଯୋଗ କରୁଛି । ଉମରକୋଟରୁ ନୂଆଗୁଡ଼ା ଓ ନାୟକଗୁଡ଼ା ଦେଇ ସୁନାବେଡ଼ା ଯାଏଁ ଲମ୍ବିଥିବା ୬ କିଲୋମିଟର ରାସ୍ତାର ଅବସ୍ଥା ଅତି ଶୋଚନୀୟ । ରାସ୍ତାଟି କାଦୁଅର ଫୁଟିଥିବା ବେଳେ ଠାଏ ଠାଏ ପାଣି ଜମି ରହିଛି । ଆଉ ଏହି ରାସ୍ତା ଦେଇ ପ୍ରତିଦିନ ସ୍କୁଲ କଲେଜର ଛାତ୍ରଛାତ୍ରୀ, ରୋଗୀ ଏବଂ ସାଧାରଣ ଲୋକ ଅତି ଦୟନୀୟ ଅବସ୍ଥାରେ ଯା’ଆସ କରୁଛନ୍ତି ।

ରାସ୍ତା ଅବସ୍ଥା ନେଇ ବାରମ୍ବାର ପ୍ରଶାସନକୁ ଜଣାଇ ବିଫଳ ହେବା ପରେ ରାସ୍ତା ଉପରେ ଜମିଥିବା ପାଣିରେ ଜାଲ ପକାଇ ମାଛ ଧରୁଛନ୍ତି ସ୍ଥାନୀୟ ବାସିନ୍ଦା । ନିଜର ଦାବି ଉପସ୍ଥାପନ କରିବା ପାଇଁ ଏଭଳି ପଦକ୍ଷେପ ଆପଣେଇଛନ୍ତି ଗ୍ରାମବାସୀ । ଆଗକୁ ରାସ୍ତା ତିଆରି ନହେଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ରାସ୍ତାର ଦୁରାବସ୍ଥା ନେଇ ପ୍ରତିକ୍ରିୟା ରଖି ଉମରକୋଟ ବିଡିଓ କହିଛନ୍ତି, ବର୍ଷା ଦିନେ ଗାଁ ଗୁଡିକର ରାସ୍ତା ଖରାପ୍ ହୁଏ, ବର୍ଷା ପରେ ରାସ୍ତା ମରାମତି କରାଯିବ । ଉମରକୋଟର ଏହି ରାସ୍ତାର ଅବସ୍ଥା ଦେଖିଲେ, ମନରେ ପ୍ରଶ୍ନ ଆସେ, ସରକାରଙ୍କ ମାଆକୁ ସମ୍ମାନ ଓ ଗାଁକୁ ରାସ୍ତା ସ୍ଲୋଗାନ୍ କେତେ ସତ?