ନବରଙ୍ଗପୁର ରାଇଘରରେ ମଶାଣିକୁ ନେଇ ବିବାଦର ନୂଆମୋଡ: ପୁଲିସ ଜୋର ଜବରଦସ୍ତି ମୃତଦେହ ପୋତି ଦେଇଥିବା ଅଭିଯୋଗ, ପ୍ରତିବାଦରେ ରାସ୍ତାରୋକ, ତହସିଲ ଅଫିସ ଘେରାଉ

23

କନକ ବ୍ୟୁରୋ: ନବରଙ୍ଗପୁର ରାଇଘରରେ ମଶାଣିକୁ ନେଇ ଚାଲିଥିବା ବିବାଦ ନୂଆମୋଡ ନେଉଛି । ଶବ ରଖି ରାସ୍ତାରୋକ କରିଥିବା ଗ୍ରାମବାସୀ ଆଜି ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ରାଇଘର ପତ୍ରକୋଟି ଓ ଧୋଡ୍ରାପର ଗାଁ ମଧ୍ୟରେ ମଶାଣି ଜମିକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏହାକୁ ସମାଧାନ କରିବା କ୍ଷେତ୍ରରେ ବିଫଳ ହୋଇଛନ୍ତି ପ୍ରଶାସନିକ ବାବୁ । ଗତକାଲି ପୁଲିସ ଓ ବ୍ଲକ ପ୍ରଶାସନ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ବିଫଳ ହେବା ପରେ ମୃତଦେହ ରଖି ରାସ୍ତାରୋକ ଜାରି ରହିଥିଲା ।

ରାତିରେ ବର୍ଷା ହେବା ଯୋଗୁଁ ଆନ୍ଦୋଳନକାରୀ ରାସ୍ତାରୁ ଉଠି ଯାଇଥିବା ବେଳେ ମୃତଦେହ ରାସ୍ତା ଉପରେ ବର୍ଷାରେ ପଡି ରହିଥିଲା । ଫଳରେ ମୃତଦେହର ବ୍ୟବଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲା । ପୁଲିସ ରାତିରେ ମୃତ ବୃଦ୍ଧାଙ୍କ ପୁଅ ଜଗନ୍ନାଥ ହରିଜନଙ୍କୁ ମିଛ କହି ଘରୁ ଡାକି ଆଣିଥିଲେ । ଏହାପରେ ଜୋର ଜବରଦସ୍ତି ରାଇଘର ତହସିଲ ଅଫିସ ପଛପଟେ ପୋତି ଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସଂପର୍କୀୟ ।

ଏହା ପ୍ରତିବାଦରେ ଆଜି ବି ରାସ୍ତାରୋକ ଜାରି ରହିଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି । ଆନ୍ଦୋଳନକାରୀ ତହସିଲ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ପରିସ୍ଥିତିକୁ ନଜରରେ ରଖି ରାଇଘରରେ ୨ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି ।