ବାପା ନୁହେଁ, ବିଧବା ବୋହୂର କନ୍ୟାଦାନ କଲେ ଶ୍ୱଶୁର : ପୁଅ ଗଲା ପରେ ଅସହ୍ୟ ହେଲା ବୋହୂର ବେଦନା, ସମ୍ପର୍କୀୟ ଯୁବକଙ୍କୁ ବାହାଦେଇ ଆଦିବାସୀ ସମାଜ ପାଇଁ ଉଦାହରଣ ସାଜିଲେ ସମିତିସଭ୍ୟ

1,191

କନକ ବ୍ୟୁରୋ : ଶ୍ୱଶୁର ନୁହେଁ ତ ବାପା । ବାପା ଠାରୁ ବଳି କାମ କଲେ ଶ୍ୱଶୁର । ବିଧବା ବୋହୂର କନ୍ୟାଦାନ କଲେ ଶ୍ୱଶୁର । ଅନୁଗୁଳ ଜିଲ୍ଲାର ଜଣେ ପୂର୍ବତନ ମହିଳା ସରପଞ୍ଚ ବିଧବା ବୋହୂକୁ ବାହାଦେଇ ଉଦାହରଣ ସୃଷ୍ଟି କରିଥିବା ବେଳେ ସମାନ ଘଟଣା ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ନବରଙ୍ଗପୁରରେ । ଶାଶୁଘରୁ ଉଠିଲା ବୋହୂର ସବାରୀ । ପୁଅ ଗଲାପରେ ବୋହୂର ବେଦନା ସହିନପାରି ବାପା ସାଜି କନ୍ୟାଦାନର ପୂଣ୍ୟ ଅର୍ଜିଲେ । ରୋଜଗାରିଆର ପୁଅକୁ ହରାଇ ପୁରା ପରିବାର ଛାତିପିଟି କାନ୍ଦୁଥିବା ସମୟରେ ବୋହୂ ଓ କୁନି ନାତିର ଭବିଷ୍ୟତ କଥା ଚିନ୍ତା କରି ଜଣେ ସମ୍ପର୍କୀୟ ଯୁବକ ସହ ବୋହୂକୁ ବାହାଦେଲେ ନବରଙ୍ଗପୁର ଜିଲ୍ଲାର କମଳଲୋଚନ ମାଝୀ । ସେ ଜଣେ ଲୋକପ୍ରତିନିଧି ହୋଇଥିବା ବେଳେ ତାଙ୍କର ମହାନତା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଖୁବ ହସଖୁସିରେ ଚାଲିଥିଲା କମଳଲୋଚନଙ୍କ ସଂସାର  । ପୁଅ ପୋଲିସରେ ଚାକିରି କରୁଥିଲା । ପୁଅ ପାଇଁ ଭଲ ବୋହୂଟିଏ ଆଣିଲେ । ବିବାହର ବର୍ଷକ ପରେ ପୁଅ ଲଳିତ ଓ ବୋହୂ ନୟନାର ଏକ ଶିଶୁ ପୁତ୍ର ବି ଜନ୍ମ ହୋଇଥିଲା । ନାତି ହେବା ପରେ ଖୁସିରେ ଫାଟିପଡ଼ୁଥିଲେ କମଳଲୋଚନ । ଗୋଡ଼ ତଳେ ଲାଗୁନଥିଲା । ହେଲେ ତାଙ୍କ ଖୁସି ଥିଲା କ୍ଷଣିକ ପାଇଁ । ବିଧିର ବିଧାନ ଥିଲା ବିଚିତ୍ର । ପୁଅର ନାମକରଣ ଉତ୍ସବ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଥିଲା, ନିମନ୍ତ୍ରଣ ଦେଇଗଲା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଲେ ଲଳିତ । ବାପା ଡାକ ଶୁଣିବା ପୂର୍ବରୁ ଡାକିନେଲା ଦଇବ । ହସଖୁସି କୋଳାହଳରେ କଟୁଥିବା ସଂସାର ଉପରେ ନଜର ଲାଗିଗଲା । ବୟସର ଅପରାହ୍ନରେ ଆଶାବାଡ଼ି ସାଜିବା ପୂର୍ବରୁ ଆରପାରିକୁ ଚାଲିଗଲା ରୋଜଗାରିଆ ପୁଅ । ପୋଲିସ ଚାକିରି କରୁଥିବା ଏକୋଇରା ବିସିକେସନ ଦୁର୍ଘଟଣାରେ ପ୍ରାଣ ହରାଇଲା । ଲଳିତଙ୍କ ମୃତ୍ୟୁ ପରେ ଅଧାରେ ରହିଯାଇଥିଲା ନାତିର ନାମକରଣ ପର୍ବ ।

ଦୁର୍ଘଟଣାରେ ପୁଅକୁ ହରାଇବା ପରେ ସତେ ଯେପରି ଜଡ଼ ପାଲଟି ଯାଇଥିିଲେ କମଳଲୋଚନ । ବୋହୂର ଆଖିରୁ ଝରୁଥିବା ଲୁହ ଦେଖି ସହିପାରୁନଥିଲେ । ବୋହୂର କାନ୍ଧୁରା ମୁହଁ ଦେଖିଲେ ଛାତିରେ ହାତୁଡ଼ି ପିଟିବା ପରି ଲାଗୁଥିଲା ।  ପୁଅ ଗଲା ପରେ କୁନି ନାତି ଓ ବିଧବା ବୋହୂର ଭବିଷ୍ୟତ ନେଇ ଚିନ୍ତିତ ହୋଇପଡ଼ିଥିଲେ ସମିତିସଭ୍ୟ ।  ଶେଷରେ ଛାତିରେ ପଥର ରଖି ବିଧବା ବୋହୂର ଲୁହ ପୋଛିବା ପାଇଁ ବାହାରିପଡ଼ିଥିଲେ । ବୋହୂର ମୁହଁ ହସ ଫୁଟାଇବା ପାଇଁ ଚିନ୍ତା କରିଥିଲେ । ମନକୁ ଦୃଢ଼ କରି  ବାଙ୍ଗେଲା ପଞ୍ଚାୟତ ଅନ୍ତର୍ଗତ ସିନ୍ଧିଭଟ୍ଟା ଗ୍ରାମରେ ନିଜ ସମ୍ପର୍କୀୟ କହ୍ନେଇ ମାଝୀଙ୍କ ସହ ନିଜ ପୁଅର ପୁରା ରୀତିନୀତିରେ ବାହା ଦେଇଛନ୍ତି କମଳଲୋଚନ ।

ତେବେ ସବୁଠାରୁ ଖୁସିର କଥା ହେଲା ନୟନାଙ୍କୁ ବିବାହ କରିବା ପରେ ତାଙ୍କ ପୁଅକୁ ମଧ୍ୟ ଆପଣେଇ ନେଇଛନ୍ତି କହ୍ନେଇ ମାଝୀ ।  ବିବାହ ପରେ ପୁରା ପରିବାର ଖୁସରେ ହସି ଉଠୁଛି । ଜଣେ ଜପ୍ରତିନିଧିଙ୍କ ଏହି ମହତକାମ ପାଇଁ ସ୍ଥାନୀୟ ଅଞ୍ଚଳରେ ତାଙ୍କର ଭୁରି ଭୁର ପ୍ରଶଂସା ହେବାସହ ନିଜ ବିଧବା ବୋହୂକୁ ବାହାଦେଇ ସେ ନିଜକୁ  ଧନ୍ୟ ମନେକରିଛନ୍ତି । ଶାଶୁଘରେ ବୋହୂକୁ ପର ଝିଅ କହୁଥିବା ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କମଳଲୋଚନ ।