ଓଡିଶାରେ ଖାପ୍ ପଂଚାୟତ ! ନବରଙ୍ଗପୁରରେ ମହିଳା ଓ ଯୁବକଙ୍କୁ ନିସ୍ତୁକ ମାଡ ମାରିବା ସହ ଗାଁ ଦାଣ୍ଡରେ ଲଣ୍ଡା କରି ବୁଲାଇଲେ ଗ୍ରାମବାସୀ

31

କନକ ବ୍ୟୁରୋ : ଓଡିଶାରେ ଖାପ ପଂଚାୟତ । ନବରଙ୍ଗପୁର ଝରିଗାଁ ବ୍ଲକ ବୁଆଲିବେଡା ଗାଁରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ । ଜଣେ ଯୁବକ ଓ ଅଙ୍ଗନବାଡି କର୍ମୀଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ ମାରିବା ସହ ଲଣ୍ଡା କରି ଗାଁରେ ବୁଲାଇଛନ୍ତି । ଆଉ ଓଡ଼ିଶାରେ ଏଭଳି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଶାଳିନତା, ଅଶାଳୀନତାର ଫଏସଲା ଯେତେବେଳେ ଆତ୍ମ ଘୋଷିତ ସମାଜ ରକ୍ଷକମାନେ କରନ୍ତି ସେତେବେଳେ ଜଣେ ଅସହାୟ ମହିଳାଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ରାଜରାସ୍ତାରେ ଚାଲିବାକୁ ପଡ଼େ । ଅନୈତିକ ସଂପର୍କ ରଖିବା ଅଭିଯୋଗରେ ଜଣେ ବିବାହିତ ମହିଳା ଏବଂ ଜଣେ ମଧ୍ୟବୟସ୍କ ବ୍ୟକ୍ତିଙ୍କୁ କିଭଳି ଅକଥନୀୟ ଅତ୍ୟାଚାର ଶିକାର ହେବାକୁ ପଡ଼ିଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଖବର ଅନୁସାରେ ବୁଆଲିବେଡା ଗାଁର ଜଣେ ଅଙ୍ଗନବାଡି କର୍ମୀଙ୍କ ପାଖକୁ ଯୁବକ ଜଣକ ଅଧିକାଂଶ ସମୟରେ ଆସି ରାତିରେ ରହୁଥିଲେ ।ଆଉ ଗୁୁରୁବାର ରାତିରେ ଯେତେବେଳେ ଏହି ଦୁଇଜଣ ଏକାଠି ଥିଲେ, ଗାଁ ଲୋକ ଅଚାନକ୍ ସେମାନଙ୍କୁ ଧରିଥିଲେ । ଯାହାକୁ ପ୍ରତିବାଦ କରିବାକୁ ଯାଇ ଆରମ୍ଭ କରିଦେଲେ ତାଲିବାନୀ ଜୁଲୁମ୍ । ଏହା ପରେ ଗ୍ରାମବାସୀଙ୍କ ଖାପ ପଂଚାୟତ ବସିଥିଲା ।ଖାପ ପଂଚାୟତ ନିଷ୍ପତି ଅନୁସାରେ ଉଭୟଙ୍କୁ ଗାଁ ଲୋକେ ଦୌଡିରେ ବାନ୍ଧି ମାଡ ମାରିଥିଲେ । ମହିଳାଙ୍କ ଚୁଟି ମଧ୍ୟ କାଟିଦେଇଥିଲେ ।ଏହା ସହ ଯୁବକ ଜଣକ ଆସିଥିବା ସ୍କ୍ରପିଓ ଗାଡିକୁ ମଧ୍ୟ ଭାଙ୍ଗିଦେଇଥିଲେ । ପୁଲିସ ପଛରେ ଖବର ପାଇ ଆସି ଉଭୟ ମହିଳା ଓ ଯୁବକଙ୍କୁ ଉଦ୍ଧାର କରିଛି ।
ଏଠି ପ୍ରଶ୍ନ ଉଠୁଛି-
-ଗାଁ ଲୋକଙ୍କୁ ଆଇନକୁ ହାତକୁ ନେବା ପାଇଁ ଅଧିକାର ଦେଲା କିଏ ?
– କାହାକୁ କେଉଁ ଦଣ୍ଡ ମିଳିବ ଗାଁ ପଂଚାୟତ ନିଷ୍ପତି ନେଇ ପାରିବ କି ?
– ସଂପର୍କର ପରିଭାଷାକୁ ବ୍ୟାଖ୍ୟା କରିବାକୁ ଯାଇ କିଏ କାହାକୁ ନିର୍ଯ୍ୟାତନା ଦେଇ ପାରିବ କି ?