ନବରଙ୍ଗପୁର : ଧାନ ଫସଲରେ କାଣ୍ଡ ବିନ୍ଧା ପୋକ ଲାଗି ଫସଲ ନଷ୍ଟ ହେଉଥିବା ଯୋଗୁଁ ଚିନ୍ତାରେ ଚାଷୀ

81

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲାରେ ବନ୍ୟାରେ ଚାଷ ନଷ୍ଟ ହୋଇଥିବାବେଳେ ଏବେ ପୁଣି ଚାଷୀ ମୁଣ୍ଡରେ ଚଡକ ପଡିଛି । ଧାନ ଫସଲରେ କାଣ୍ଡ ବିନ୍ଧା ପୋକ ଲାଗି ଫସଲ ନଷ୍ଟ କରୁଛନ୍ତି । ଫଳରେ କରଜ କରିଥିବା ଚାଷୀର ଚିନ୍ତା ବଢିଯାଇଛି । ଫସଲ ଉଜୁଡିଯିବା ଆଶଙ୍କାରେ ଏବେ ଚାଷୀକୂଳ ହତାଶ ହୋଇ ବସିଲେଣି । ଆଗରୁ ବନ୍ୟା ଧୋଇନେଇଥିଲା ଚାଷ ଜମି । ଏବେ ଧାନଗଛରେ କାଣ୍ଡ ବିନ୍ଧା ପୋକ ଯୋଗୁଁ ଚାଷ ନଷ୍ଟ ହେବାକୁ ବସିଲାଣି । ଫଳରେ ନବରଙ୍ଗପୁର ଜିଲ୍ଲା ଚାଷୀର ସମସ୍ୟା ବଢିଯାଇଛି ।

ଉମରକୋଟ ବ୍ଲକର ନାଙ୍ଗାଗୁଡା, ଚିକଲପଦର, ତୋହରା ଓ ଦୋଗାଁଗୁଡା ପରି ଅନେକ ସ୍ଥାନରେ ଧାନଜମିରେ କାଣ୍ଡବିନ୍ଧା ପୋକ ଦେଖିବାକୁ ମିଳିଛି । ଏହି ପୋକ ଧାନ ଗଛ ମୂଳରୁ ହିଁ ଏହାର କାଣ୍ଡକୁ କାଟି ନଷ୍ଟ କରିଦେଉଛି । ଫଳରେ ଧାନ ଗଛ ଗୁଡିକ ସୁଖି ଯାଉଛି । କୀଟନାଶକ ଔଷଧ ପକାଇଲେ ବି ତାହା କାମ କରୁନାହିଁ । ଫସଲ ଉଜୁଡିଯିବା ଆଶଙ୍କାରେ ଚାଷୀ ।

ଅନ୍ୟପକ୍ଷରେ କୃଷିବିଭାଗ ନିକଟରେ ଆବଶ୍ୟକ ପରିମାଣର କୀଟନାଶକ ରହିଥିବା କୃଷି ଅଧିକାରୀ କହିଛନ୍ତି । ତେବେ କୀଟନାଶକ ପ୍ରୟୋଗ କରିବା ନେଇ ସହକାରୀ କୃଷି ଅଧିକାରୀଙ୍କ ପରାମର୍ଶ ନେଲେ ଫସଲ ନଷ୍ଟ ହେବ ନାହିଁ ବୋଲି କ୍ୟଷି ଅଧିକାରୀ କହିଛନ୍ତି । ବାରମ୍ବାର ଫସଲ ନଷ୍ଟ ହେବା ଯୋଗୁଁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ  । ଏପରି ପରିସ୍ଥିତିରେ କେମିତି ଫସଲ ଆମଦାନୀ ହେବ ଓ ଚାଷୀ ପରିବାର ପୋଷଣ ସହ ଋଣ ସୁଝିବ ସେହିଚିନ୍ତାରେ ଦିନ କାଟୁଛି  ।