ନବରଙ୍ଗପୁରରେ ୬ଶିଶୁଙ୍କୁ ଚେଙ୍କ ଦିଆଯିବା ଘଟଣା : ଅଭିଯୁକ୍ତ ଦିଶାରୀ ଧନ ସିଂ ଗଣ୍ଡ ଗିରଫ

29

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗାଁ ପୂଜାରୀଗୁଡା ଗାଁରେ ୬ଶିଶୁଙ୍କୁ ଚେଙ୍କ ଦିଆଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଅଭିଯୁକ୍ତ ଦିଶାରୀ ଧନ ସିଂ ଗଣ୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଝରିଗାଁ ପୁଲିସ। ଥଣ୍ଡା ଜ୍ୱର ହେବାରୁ ଅନ୍ଧବିଶ୍ୱାସର ବଶବର୍ତୀ ହୋଇ ୬ଜଣ ଶିଶୁଙ୍କୁ ଚେଙ୍କ ଦେଇଥିଲେ ଦିଶାରୀ । ପରେ ଶିଶୁମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରା ଯାଇ ଚିକିତ୍ସା କରାଯାଉଛି । ଚେଙ୍କ ନଦେବା ପାଇଁ ଜ୍ୟୋତି ଯୋଜନାରେ ତାଲିମ ନେଇଥିଲେ ଦିଶାରୀ ଜଣକ।

ସେପଟେ ପୂଜାରୀଗୁଡା ଗାଁରେ ୬ ଶିଶୁଙ୍କୁ ଚେଙ୍କ ଦିଆଯିବା ଘଟଣାରେ ପ୍ରତିବାଦ କରିଛି ଜିଲ୍ଲା କଂଗ୍ରେସ। ଦଳର ନେତା ଓ କର୍ମୀ ମୁହଁରେ କଳାପଟି ବାନ୍ଧି ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା ଦେଇଥିଲେ। ପରେ ପୀଡିତ ଶିଶୁମାନଙ୍କ ପରିବାର ଲୋକଙ୍କୁ ଭେଟି ଶିଶୁମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।

ଚେଙ୍କ ନିରାକରଣ ଓ ଅନ୍ଧବିଶ୍ୱାସ ଦୂର କରାଇବା କ୍ଷେତ୍ରରେ ସଫଳତା ପାଇଁ ନବରଂଗପୁର ଜିଲ୍ଲାପାଳଙ୍କୁ ୧୫ ଲକ୍ଷ ଟଙ୍କା ପୁରସ୍କାର ଦିଆ ଯାଇଥିଲା । କିନ୍ତୁ ଏହା ଏକ ପ୍ରହସନ ଓ ଜ୍ୟୋତି ଯୋଜନା କେବଳ କାଗଜ କଲମରେ ସୀମିତ ବୋଲି ଅଭିଯୋଗ କରିଛି କଂଗ୍ରେସ। ତେଣୁ ତୁରନ୍ତ ଜିଲ୍ଲାପାଳ ପୁରସ୍କାର ରାଶି ଫେରସ୍ତ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ।