ନବରଙ୍ଗପୁରରେ ଅଭାବନୀୟ ଘଟଣା : ପୁଣି କାନ୍ଧରେ ବୁହାହେଲେ ପ୍ରସୂତି

30

କନକ ବ୍ୟୁରୋ : ପୁଣି କାନ୍ଧରେ ବୁହାହେଲେ ପ୍ରସୂତୀ । ଘନଅନ୍ଧାର ସାଙ୍ଗକୁ ବର୍ଷା ରାତି । ଏହାରି ଭିତରେ ପ୍ରସୂତୀଙ୍କୁ ଭାରରେ ୪ କିଲୋମିଟର ରାସ୍ତା ବୋହିଲେ ସମ୍ପର୍କୀୟ । ଦୁର୍ଗମ ଅଂଚଳ ହୋଇଥିବାରୁ ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ପହଁରିକୁମୁଡା ଗାଁରେ ।

ପହଁରିକୁମୁଡା ଗାଁର ଜଣେ ମହିଳାଙ୍କର ପ୍ରସୂତୀ ଯନ୍ତ୍ରଣା ହେବାରୁ ଆଶା କର୍ମୀ ଆମ୍ବୁଲାନ୍ସକୁ ଫୋନ କରିଥିଲେ, ହେଲେ ଦୁର୍ଗମ ଅଂଚଳ ହୋଇଥିବାରୁ ଗାଁରେ ପହଂଚି ପାରିନଥିଲା ଆମ୍ବୁଲାନ୍ସ । ଗାଁ ଠାରୁ ୪ କିଲୋମିଟର ଦୂରରେ ଅଟକି ରହିଥିଲା ଆମ୍ବୁଲାନ୍ସ । ରାତି ପ୍ରାୟ ୧୧ଟାରେ ପ୍ରସୂତୀଙ୍କୁ ଖଟିଆରେ ଶୁଆଇ, ଉପରେ ଜରି ପାଲ ଘୋଡାଇ ଆମ୍ବୁଲାନ୍ସ ପାଖକୁ ଆଣିଥିଲେ ସମ୍ପର୍କୀୟ । ରାତି ୨ଟା ବେଳେ ପ୍ରସୂତୀ ଜଣଙ୍କ ଆମ୍ବୁଲାନ୍ସ ପାଖରେ ପହଂଚିଥିଲେ । ସେତେବେଳକୁ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇ ସାରିଥିଲେ । ଭାଗ୍ୟ ବଶତଃ ମା’ ଓ ନବଜାତକ ଦୁଇ ଜଣ ସୁସ୍ଥ ଥିବା ବେଳେ ସେମାନଙ୍କୁ ଉମରକୋଟ ଡାକ୍ତରଖାନାକୁ ନିଆଯାଇଥିଲା ।