କାଳିଆ ପ୍ୟାକେଜକୁ କଳାତ୍ମକ କହିଲା ନବନିର୍ମାଣ କୃଷକ ସଂଗଠନ । ନିର୍ବାଚନ ପୂର୍ବରୁ ବାହାନା ଅଭିଯୋଗ କଲା ସଂଗଠନ

କାଳିଆ ପ୍ୟାକେଜକୁ କଳାତ୍ନକ କହିଲା ନବନିର୍ମାଣ କୃଷକ ସଂଗଠନ

242

କନକ ବ୍ୟୁରୋ : ରାଜ୍ୟ ସରକାର ଚାଷୀଙ୍କ ପାଇଁ ଗତକାଲି କାଳିଆ ଯୋଜନା ଘୋଷଣା କରିଛନ୍ତି । ତେବେ ସରକାର ଏହି ଯୋଜନା ଘୋଷଣା କରିବା ପରେ ରାଜନୀତି ତେଜିବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ଏହି ଯୋଜାନକୁ ବିରୋଧ କରିଛି ନବନିର୍ମାଣ କୃଷକ ସଂଗଠନ । ଯୋଜନାକୁ କଟାକ୍ଷ କରି କଳାତ୍ମକ ଯୋଜନା ବୋଲି କହିଛି ସଂଘ । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ସରକାର ଚାଷୀମାନଙ୍କ ଋଣ ଛାଡ କରିବା ପରେ ଓଡିଶା ସରକାର ଝାଳ ନାଳ ହୋଇ ତରତର ହୋଇ ଯୋଜନା କରିଥିବା ସଂଘ ଅଭିଯୋଗ କରିଛି । ସରକାରଙ୍କ ଏହି ଯୋଜନା ଉପରେ ଗୁମର ଖୋଲିଛନ୍ତି ନବିନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ।

 

ଶ୍ରୀ କୁମାର କହିଛନ୍ତି ଯେ, ସରକାର ଯେଉଁ ଯୋଜନା ଘୋଷଣା କରିଛନ୍ତି ତାହା ପୂର୍ବରୁ ଚାଷୀଙ୍କ ପାଇଁ ଅନେକ ଯୋଜନା ରହିଛି । ତେଣୁ ସରକାର ସେହି ଯୋଜନାରେ ଟଙ୍କା ଖର୍ଚ୍ଚ ନକରି କିପରି ଭାବରେ ପୁଣି ଥରେ ନୂଆ ଯୋଜନା ଘୋଷଣା କରିଛନ୍ତି ସେନେଇ ଶ୍ରୀ କୁମାର ପ୍ରଶ୍ନ କରିଛନ୍ତି । ଏହାସହ ସେ କହଛନ୍ତି ଯେ, ସରକାର ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି ଯୋଜନା କରିଛନ୍ତି । ୨୦୧୭-୨୮ ଆର୍ଥିକ ବର୍ଷରେ ଚାଷୀଙ୍କ ଉନ୍ନତି ପାଇଁ ୨୩୭୭ କୋଟି ଥିବା ସମୟରେ ରାଜ୍ୟ ସରକାର ୫୦୦ କୋଟି ଟଙ୍କା ପ୍ରାବଧାନର ବ୍ୟବସ୍ଥା କରିଥିଲେ । ତେବେ ନାବାର୍ଡ ଗତବର୍ଷ ୧୭ ହଜାର କୋଟିର ଯୋଜନା ରଖଥିବା ବେଳେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୪୦ ହଜାର କୋଟି ଟଙ୍କା ଯୋଜନା ରହିଛି ।

 

ଏହାସହ ପୂର୍ବରୁ ମନରେଗା ଯୋଜନାରେ ଗୃହପାଳିତ ପଶୁମାନଙ୍କ ପାଇଁ ଅନେକ ଯୋଜନା ରହିଛି । ଗ୍ରାମାଞ୍ଚଳରେ ଚାଷୀଙ୍କ ପାଇଁ ମଧ୍ୟ ଯୋଜନା ରହିଛି । ହେଲେ ସେହି ଯୋଜନାକୁ ଏବେ ସରକାର ଏକ ନୂଆ ରୂପରେ ଦେବାକୁ ଚେଷ୍ଟା କରୁଥିବା ଶ୍ରୀ କୁମାର କହିଛନ୍ତି । ଏହାସହ ବିନା ବାଧାରେ ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜାତୀୟ ବ୍ୟାଙ୍କରୁ ଋଣ ଦିଆଯିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗାଇଡଲାଇନ ରହିଛି । ତେବେ ସେହି ଗାଇଡଲାଇନ ଅନୁସାରେ ରାଜ୍ୟ ସରାକର କେତେ ଚାଷୀଙ୍କୁ ଋଣ ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅକ୍ଷୟ ।

 

ଏହାସହ ଭାଗଚାଷୀମାନଙ୍କୁ ଚିହ୍ନଟ କରିବା ଏକ ଜଟିଳ ପ୍ରକ୍ରିୟା ବୋଲି କହି ରାଜ୍ୟ ସରକାର ଏଡାଇ ଚାଲିଛନ୍ତି । ତେବେ ବର୍ତମାନ ସମୟରେ ଭାଗଚାଷୀକୁ ବିନା ଚିହ୍ମଟ କରି ଚାଷୀମାନଙ୍କୁ କିପରି ସହାୟତା ଦିଆଯାଇପାରିବ ବୋଲି ଶ୍ରୀ କୁମାର ପ୍ରଶ୍ନ କରିଛନ୍ତି । ଚାଷୀଙ୍କ ପାଇଁ ବଜେଟରେ ବିଭିନ୍ନ ପ୍ରକାର ଯୋଜନା କରାଯାଉଛି । ହେଲେ ପ୍ରକୃତରେ ତାହାର ଲାଭ ଚାଷୀମାନେ ପାଉନଥିବା ଅକ୍ଷୟ ଅଭିଯୋଗ କରିଛନ୍ତି । ସରକାର ବର୍ତମାନ ସମୟରେ ଚାପ ଗ୍ରସ୍ତରେ ଅଛନ୍ତି ବୋଲି ଜଣାପଡୁଛି । ତେଣୁ ଚାଷୀମାନଙ୍କ ପାଇଁ ଏପରି ଏକ କାଳିଆ ଯୋଜନା ଘୋଷଣା କରିଛନ୍ତି । ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ବୀମା ମଧ୍ୟ ଚାଷୀଙ୍କୁ ମିଳୁନାହିଁ ବୋଲି ସେ କହିଛନ୍ତି । ତେବେ ଯୋଜନା ଯାହା ପାଇଁ ହେଉଛି ସେ ପାଉନଥିବା ସମୟରେ କିଛି ଦଳୀୟ କର୍ମୀ ସେହି ଟଙ୍କା ହଡପ କରୁଥିବା ଅକ୍ଷୟ ଅଭିଯୋଗ କରିଛନ୍ତି ।