ଢେଙ୍କାନାଳ ପରେ ନୟାଗଡରେ ଚାଷୀଙ୍କ ଗର୍ଜନ ! ପୁଣି ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ୍ ଦାବିରେ ସରକାରଙ୍କୁ ଟାର୍ଗେଟ କଲେ ହଜାର ହଜାର ଚାଷୀ

25

କନକ ବ୍ୟୁରୋ : ଯାଜପୁର ଓ ଢେଙ୍କାନାଳ ପରେ ଆଜି ନୟାଗଡରେ ନବନିର୍ମାଣ କୃଷକ ସଂଗଠନ କରିଛି ଜୟ କିଷାନ ସମାବେଶ । ହଜାର ହଜାର ଚାଷୀ ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ୍ ଦାବିରେ ରାଜରାସ୍ତାରେ ଗର୍ଜିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଏବଂ ଆସନ୍ତାକାଲି ସାଧାରଣ ବଜେଟ୍ । ଏଥର ବଜେଟରେ କୃଷକଙ୍କ ପାଇଁ ସରକାର ଯଦି କିଛି ବ୍ୟବସ୍ଥା ନକରନ୍ତି ତେବେ ନିର୍ବାଚନରେ ଚାଷୀ ତାର ଜବାବ ଦେବେ ବୋଲି ନବନିର୍ମାଣ କୃଷକ ସଂଗଠନ କହିଛି ।

ହକ୍ ପାଇଁ ରାଜରାସ୍ତାରେ ରଣହୁଙ୍କାର । ପୁଣି ଜୋର ଧରିଲା ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ୍ ଦାବି । ମେଳି ବାନ୍ଧିଲେ ହଜାର ହଜାର ଚାଷୀ । ଯାଜପୁର ଓ ଢେଙ୍କାନାଳ ପରେ ନୟାଗଡରେ ନବନିର୍ମାଣ କୃଷକ ସଂଗଠନ କରିଛି ଜୟ କିଷାନ ସମାବେଶ । ଚାଷୀର ମାଟିରେ ତେଜିଛି ଆନ୍ଦୋଳନ । ସରକାର ଦେଇଥିବା ପ୍ରତିଶ୍ରୁତିକୁ ପୁଣି ମନେ ପକାଇଦେଇଛି ଅସନ୍ତୁଷ୍ଟ ଚାଷୀ ।

ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ, ସୁରକ୍ଷା ବୀମା ଓ ସମ୍ମାନ ସହ ଚାଷୀ ଦାବି କରିଛନ୍ତି, ସବୁ ଅଣଜଳସେଚିତ ଜମିକୁ ଜଳସେଚନ , ଶସ୍ୟ ସଂରକ୍ଷଣ ପାଇଁ ଗୋଦାମ ଘର ଓ ଶୀତଳଭଣ୍ଡାର ସ୍ଥାପନ, କୃଷି ଓ ସମବାୟ ଭିତିକ ଶିଳ୍ପ ସ୍ଥାପନ ଏବଂ ଭାଗଚାଷୀଙ୍କୁ ସ୍ୱୀକୃତି ଓ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ । ଏଥିସହ ସ୍ୱାମୀନାଥନ କମିଟିର ସୁପାରିଶ କାର୍ଯ୍ୟକାରୀ କରିବାକୁ ଦାବି ହୋଇଛି । ମୁଣ୍ଡ ଉପରେ ନିର୍ବାଚନ । ଏହା ପୂର୍ବରୁ ଆସନ୍ତାକାଲି ସାଧାରଣ ବଜେଟ୍ । ଯଦି ବଜେଟରେ ସରକାର ଚାଷୀଙ୍କ ପାଇଁ କିଛି ବ୍ୟବସ୍ଥା ନକରନ୍ତି ତେବେ ନିର୍ବାଚନରେ ଚାଷୀ ଏହାର ଉଚିତ ଜବାବ ଦେବେ ବୋଲି ଚେତାଇ ଦେଇଛି ନବନିର୍ମାଣ କୃଷକ ସଂଗଠନ ।