ଆସନ୍ତାକାଲି ଢେଙ୍କାନାଳରେ ଶୁଭିବ କୃଷକଙ୍କ ଗର୍ଜନ : ନବ ନିର୍ମାଣ କୃଷକ ସଂଗଠନ କରିବ ଜୟ କିଷାନ ସମାବେଶ

45

କନକ ବ୍ୟୁରୋ :  ଢେଙ୍କାନାଳରେ ଗର୍ଜିବେ ଚାଷୀ । ନବ ନିର୍ମାଣ କୃଷକ ସଂଗଠନ କରିବ ଜୟ କିଷାନ ସମାବେଶ । ଆସନ୍ତାକାଲି ଢେଙ୍କାନାଳ ହେବାକୁ ଥିବା ଚାଷୀ ସମାବେଶରେ ଶୁଭିବ କୃଷକଙ୍କ ଗର୍ଜନ । ଏନେଇ ସୂଚନା ଦେଇଛନ୍ତି, ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରିୟ ସଂଯୋଜକ ଅକ୍ଷୟ କୁମାର ।

ଚାଷୀଙ୍କ ହକ ପାଇଁ ଲଢେଇ ଜାରି ରଖିଛି ସଂଗଠନ । ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ୍ ଦାବିରେ ସମାବେଶ କରୁଛି ନବ ନିର୍ମାଣ ସଂଗଠନ । ଢେଙ୍କାନାଳ ସମାବେଶରେ ୨୦ ହଜାରରୁ ଅଧିକ ସାମିଲ ହେବେ । ହାଟ ପଡିଆଠାରୁ ଷ୍ଟାଡିୟମ ଯାଏଁ ହେବ କୃଷକ ରାଲି । ଜଗତସିଂହପୁରରୁ ଜୟ କିଷାନ ସମାବେଶ ଆରମ୍ଭ କରିଛି ସଂଗଠନ ।

ପୂର୍ବରୁ ମଧ୍ୟ ପ୍ରାଇସ୍ ଫ୍ରେଷ୍ଟିଜ୍ ଓ ପେନସନର ଦାବି ଦୋହରାଇ ନବ ନିର୍ମାଣ କୃଷକ ସଂଗଠନ ଗର୍ଜିଥିଲା ଯାଜପୁରରେ । ବିଶାଳ ଜୟ କିଶାନ ସମାବେଶରେ ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଚାଷୀ ସମସ୍ୟାର ସମାଧାନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଗେଇ ନଆସିଲେ ଆଗାମୀ ଦିନରେ ଏହାର ଜବାବ ଦେବେ ଚାଷୀ ।ଯାଜପୁର କଲେଜ ଛକଠାରୁ ଆରମ୍ଭ ହୋଇଥିଲା ବିରାଟ ଶୋଭାଯାତ୍ରା । ୧୦ ଦଫା ଦାବି ନେଇ କିଆନାଳି ଛକରେ ଅନୁଷ୍ଠିତ ଜୟ କିଶାନ ସମାବେଶରେ ହଜାର ହଜାର ଚାଷୀ ଏକାଠି ହୋଇ ସେମାନଙ୍କ କ୍ଷୋଭ ପ୍ରକାଶ କରିଥିଲେ । ଚାଷୀଙ୍କ ହକ୍ ନଦେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାଇ ଦେଇଥିଲେ ସରକାରଙ୍କୁ ।

ଚାଷୀ ଆତ୍ମହତ୍ୟାକୁ ରାଜ୍ୟ ସରକାର ସ୍ୱୀକାର କରି ଚାଷୀଙ୍କୁ ପେନସନ୍ ଦେବା ଏବଂ କେନ୍ଦ୍ର ସରକାର ଚାଷୀଙ୍କୁ ଉପଯୁକ୍ତ ପ୍ରାଇସ୍ ଦେବା ଲାଗି ଦାବି ହୋଇଥିଲା । ୧୦ ଦଫା ଦାବି ପୂରଣ କରିବାକୁ ଏକ ସ୍ୱରରେ ଦାବି ଉଠାଇଥିଲେ ଚାଷୀ । ଏହା ପରେ ଢେଙ୍କାନାଳ ଓ ନୟାଗଡ଼ରେ ହେବ ଜୟ କିଷାନ ସମାବେଶ । ଆସନ୍ତା ମାର୍ଚ୍ଚ ମାସରେ ଭୁବନେଶ୍ୱରରେ ହେବ ବିଶାଳ ସମାବେଶ । ଯେଉଁଥିରେ ପ୍ରାୟ ଏକ ଲକ୍ଷ ଚାଷୀ ସାମିଲ ହୋଇ ସରକାରଙ୍କ ଆଭିମୁଖ୍ୟର ପ୍ରତିବାଦ କରିବେ ।