ମିଳିଲା ବ୍ରହ୍ମ ବିଭ୍ରାଟ ରିପୋର୍ଟ ! ଶ୍ରୀମନ୍ଦିର ପ୍ରଶାସକ କହିଲେ ଦେଇ ହେବନି ସୂଚନା

34

କନକ ବ୍ୟୁରୋ : ବ୍ରହ୍ମ ବିଭ୍ରାଟ ଘଟଣାକୁ ଦୁଇବର୍ଷ ବିତିଗଲାଣି, ୧୫ ଦିନ ହେଲାଣି ରିପୋର୍ଟ ଦିଆ ସରିଲାଣି, ହେଲେ ଏଯାଏଁ ଜଣାପଡୁନି ରିପୋର୍ଟରେ ଅଛି କ’ଣ । ଆଜି ଏନେଇ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ ଜେନା କହିଛନ୍ତି- ରିପୋର୍ଟ ମିଳିଛି ଏବଂ ପରିଚାଳନା ପରିଷଦ ବୈଠକର ନିଷ୍ପତି ଅନୁସାରେ ହେବ କାର୍ଯ୍ୟାନୁଷ୍ଠାନ । ପ୍ରତି ଦୁଇ ମାସରେ ଶ୍ରୀମନ୍ଦିର ପରିଚାଳନା ପରିଷଦ ବୈଠକ ହେଉଥିବା ବେଳେ ଶେଷ ଥର ପାଇଁ ଜୁଲାଇ ୨ ତାରିଖରେ ହୋଇଥିଲା ଏହି ବୈଠକ ।

ଅର୍ଥାତ୍ ଆସନ୍ତା ସେପ୍ଟେମ୍ବର ୨ ତାରିଖ ପୂର୍ବରୁ ପରିଚାଳନା ପରିଷଦର ବୈଠକ ହେବ । ଯେଉଁଥିରେ ପୂର୍ବତନ ପ୍ରଶାସକ ଦେଇଥିବା ରିପୋର୍ଟ ଉପସ୍ଥାପନ କରାଯିବ । ଆଉ ବୈଠକର ନିଷ୍ପତି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି । ୨୦୧୫, ଜୁନ୍ ୧୫ ତାରିଖରେ ହୋଇଥିବା ଶ୍ରୀଜିଉଙ୍କ ନବକଳେବରରେ ବଡ ଧରଣର ବିଭ୍ରାଟ ହୋଇଥିଲା । ମଧ୍ୟ ରାତ୍ରିରେ ହେଉଥିବା ନୀତି ଦିନ ଦୁଇପହରେ ହୋଇଥିଲା । ଆଉ ଏହି ବିଭ୍ରାଟ ଘଟଣାରେ ୨ଜଣ ସେବାୟତଙ୍କୁ ନିଲମ୍ବିତ କରାଇଥିଲା ।

ତେବେ ଶ୍ରୀମନ୍ଦିର ଭିତରେ ସେଦିନ ରାତିରେ କଣ ଘଟିଥିଲା? କ’ଣ ପାଇଁ ହୋଇଥିଲା ଠାକୁରଙ୍କ ନୀତିରେ ବିଭ୍ରାଟ୍ ? ନିଶାର୍ଦ୍ଧରେ ନହୋଇ ଦିନରେ କାହିଁକି ହୋଇଥିଲା ବ୍ରହ୍ମ ପରିବର୍ତ୍ତନ? ଦେଖନ୍ତୁ ଏହି ରିପୋର୍ଟ ।

ଜୁନ ୧୫ ତାରିଖ, ୨୦୧୫ ଶ୍ରୀଜଗନ୍ନାଥଙ୍କ ନବକଳେବର :
ବଡ଼ ଦେଉଳରେ ଚାରି ଠାକୁରଙ୍କ ଘଟ ପରିବର୍ତ୍ତନର ଦିନ । ୧୯ ବର୍ଷ ପରେ ହେଉଥାଏ ଶ୍ରୀଜୀଉଙ୍କ ଏହି ମହାଜାଗତିକ ଲୀଳା । ହେଲେ
କ’ଣ ହୋଇଥିଲା ନବକଳେବର ରାତିରେ?
କାହିଁକି ଘଟିଥିଲା ମହାପ୍ରଭୁଂକ ଲୀଳାରେ ମହାବିଭ୍ରାଟ?

ଦୁଇ ବର୍ଷ ତଳର ଏହି ଘଟଣା ମନେ ପଡ଼ିଲେ ଆଜି ବି ମର୍ମାହତ ହୋଇଥାଏ ପ୍ରତି ଓଡ଼ିଆ । ଏବେ ବି ରହସ୍ୟ ଘେରରେ ରହିଛି ଏହି ଘଟଣା । କ’ଣ ଘଟିଥିଲା ସେଦିନ, ଆସନ୍ତୁ ନଜର ପକାଇବା ।

ଜୁନ ୧୫ ତାରିଖ ରାତି : ଆରମ୍ଭ ହେଲା ନବକଳେବର ମହାପର୍ବର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରିତିନୀତି । ପୂରା ବଡଦାଣ୍ଡରେ ଦେଖାଗଲା ଭାବବିହ୍ୱଳ ପରିବେଶ । ଚର୍ଚ୍ଚା ହେଲା ନୀତି ପାଚ ଘଂଟା ବିଳମ୍ବରେ ଚାଲିଛି । ହେଲେ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ସେବାୟତ ଏ ନେଇ କିଛି ସ୍ପଷ୍ଟ କଲେ ନାହିଁ । ରାତି ବଢି ଚାଲିଲା । ମାତ୍ର ଶ୍ରୀମନ୍ଦିର ଭିତରେ କଣ ଚାଲିଛି କାହା ପାଖରେ କିଛି ଖବର ନଥାଏ ।

ରାତି ପ୍ରାୟ ୨ଟା : ସିଂହଦ୍ୱାରର ଗୋଟିଏ କବାଟ ବନ୍ଦ କରାଯିବା ସହ, ବାଇସି ପାହାଚକୁ ଖାଲି କରାଗଲା । ଆଉ ଆରମ୍ଭ ହୋଇଥିଲା ନ୍ୟାସ ଯଜ୍ଞର ପୂର୍ଣ୍ଣାହୁତି ପ୍ରକ୍ରିୟା । ଗଜପତି ମହାରାଜ ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କଲେ । ପ୍ରାୟ ଅଧ ଘଣ୍ଟା ମନ୍ଦିର ଭିତରେ ରହିବା ପରେ ରାତି ୨ଟା ୫୦ରେ ଯଜ୍ଞକୁ ପୂର୍ଣ୍ଣାହୁତି ଦେଇ ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

ରାତି ୩ଟା ୧୫ : ଶ୍ରୀମନ୍ଦିରର ସମସ୍ତ ଦ୍ୱାର ବନ୍ଦ କରାଗଲା । ଆରମ୍ଭ ହେଲା ଗୁପ୍ତ ନୀତି ପ୍ରକ୍ରିୟା । ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଅନ୍ଧକାର କରାଗଲା । ଆଖପାଖ ଅଂଚଳର ଆଲୁଅ ଲିଭିବାକୁ ଲାଗିଲା । କାରଣ ଥିଲା ମହାପ୍ରଭ୍ରଙ୍କ ଘଟ ପରିବର୍ତ୍ତନ ଅନ୍ଧକାର ଭିତରେ ହେବ । ବଡ଼ଦାଣ୍ଡରେ ସାରା ରାତି ଉଜାଗର ରହି ଉକ୍ରଣ୍ଠିତ ହୋଇ ରହିଥାନ୍ତି ଶ୍ରଦ୍ଧାଳୁ । ସମୟ ଗଡ଼ି ଚାଲିଲା ।

ଜୁନ ୧୬ ତାରିଖ ସକାଳ : ରାତି ପାହିଗଲା । ମନ୍ଦିର ଭିତରେ କ’ଣ ହୋଇଛି ଜଣା ପଡୁନଥିଲା । ସେପଟେ ଶ୍ରୀଜୀଉମାନଙ୍କ ଘଟ ପରିବର୍ତ୍ତନ ହୋଇନାହିଁ ବୋଲି କେତେକ ମହଲରେ ଆଲୋଚନା ଚାଲିଲା । ହେଲେ ପ୍ରକୃତ କଥା ସାମନାକୁ ଆସିଲା ନାହିଁ । ରହସ୍ୟ ଆହୁରି ବଢି ଚାଲିଲା । ବିଭିନ୍ନପ୍ରକାର ସଂଦେହ ସୃଷ୍ଟି ହେଲା ଶ୍ରଦ୍ଧାଳୁଙ୍କ ମନରେ ।

ଜୁନ ୧୬ ତାରିଖ ଦିନ ପ୍ରାୟ ସାଢେ ୧୨ଟା : ଶ୍ରୀମନ୍ଦିରର ତକ୍ରାଳୀନ ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ଏକ ସମ୍ବାଦିକ ସମ୍ମିଳନୀରେ କହିଲେ ବିଗ୍ରହଙ୍କ ନିର୍ମାଣରେ ବିଳମ୍ବ ଯୋଗୁଁ ନୀତି ବିଳମ୍ବ ହୋଇଛି । ତେବେ ଘଟ ପରିବର୍ତ୍ତନ ହୋଇଛି କି ନାହିଁ ସେ ବିଷୟରେ ମନ୍ଦିର ପ୍ରଶାସନ କିଛି ଜାଣି ନାହିଁ ବୋଲି ପ୍ରକାଶ କଲେ । ଏହା ବନ୍ଦ ଶ୍ରୀମନ୍ଦିରର ରହସ୍ୟକୁ ଆହୁରି ବଢାଇ ଦେଲା ।

ପରେ ପରେ ଯେଉଁ ଖବର ଆସିଲା, ତାହା କୋଟି କୋଟି ଲୋକଙ୍କ ଭାବାବେଗକୁ ଚହଲାଇ ଦେବା ଭଳି ଖବର । ଗୁପ୍ତ ନୀତି ଓ ଘଟ ପରିବର୍ତନ ବେଳେ ସେବାୟତଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ଓ ବିଭ୍ରାଟର କଥା ଆସିଲା ସାମନାକୁ । ପରିସ୍ଥିତି କିପରି ସାଂଘାତିକ ରୂପ ନେଇଥିଲା ବର୍ଣନା କରିଥିଲେ ବରିଷ୍ଠ ସେବାୟତ ହଳଧର ମହାପାତ୍ର ।

ମୁଁ ବ୍ରହ୍ମଂକୁ ଛୁଇଁଛି କହି ବିବାଦକୁ ଆହୁରି ତେଜି ଦେଇଥିଲେ ବରିଷ୍ଠ ସେବାୟତ କାଶୀନାଥ ଦାସମହାପାତ୍ର । ବ୍ରହ୍ମକୁ ଛୁଇଁବା ଓ ଫଟୋ ଉଠାଇବା ନେଇ ସେବାୟତଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିବା ନେଇ ଜୋର ଧରିଲା ଚର୍ଚ୍ଚା ।