ଓଡିଶା କଂଗ୍ରେସକୁ ଲାଗିପାରେ ୪୪୦ ଭୋଲ୍ଟର ଝଟକା ! ନବଙ୍କ ବାଟ ଧରିପାରନ୍ତି ଆଉ ଦୁଇ କଂଗ୍ରେସ ବିଧାୟକ

377

କନକ ବ୍ୟୁରୋ : ଆସନ୍ତା ୨୪ ତାରିଖ, ଓଡ଼ିଶା ଏକ ବଡ଼ ଧରଣର ପରିବର୍ତନ ଦେଖିବାକୁ ଯାଉଛି । କାରଣ ଚର୍ଚ୍ଚା ହେଉଛି, ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ସମୟରେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ନବ ଦାସ, ବିଜେଡିରେ ଯୋଗ ଦେଇପାରନ୍ତି । ମିଳିଥିବା ସୂଚନା ଅନୁସାରେ ଏଥିପାଇଁ ବଡ ବଡ ବେଲୁନ୍ କିଣା ସରିଛି, ଯେଉଁଥିରେ ନବୀନ ଏବଂ ନବ ଦାସଙ୍କ ଫଟୋ ରହିଛି । ମିଶ୍ରଣ ସମୟରେ ଏହି ବେଲୁନ୍ ଗୁଡ଼ିକୁ ଝାରସୁଗୁଡ଼ା ଆକାଶରେ ଦେଖିବାକୁ ମିଳିବ । କିନ୍ତୁ ବଡ କଥା ହେଉଛି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଠିକ୍ ପୂର୍ବରୁ ନବ ଦାସଙ୍କ ନିଷ୍ପତି ଦଳ ପାଇଁ ଏକ ଝଟକା ହେବାକୁ ଯାଉଛି । ଯାହାର ଇସାରା ଦେଇ ସାରିଛନ୍ତି ନବ ଦାସ ।

ବିଗତ କିଛି ଦିନରେ ଭିତରେ ନବ ଦାସଙ୍କ ଯେତେ ସବୁ ବୟାନ୍ ଆସିିଛି, ସବୁ ବୟାନ୍ ଭିତରେ ଯଦି କୌଣସି ଗୋଟିଏ କଥା ସ୍ଥିର ଥାଏ, ତାହା ହେଉଛି-ଝାରସୁଗୁଡ଼ା ଜନତା ଯାହା ଚାହିଁବେ ତାକୁ ସେ ଗ୍ରହଣ କରିବେ । ଅର୍ଥାତ୍ ଝାରସୁଗୁଡ଼ାବାସୀଙ୍କ ଇଚ୍ଛାକୁ ଆଳ କରି ନବ ଦାସ, କଂଗ୍ରେସର ହାତ ଛାଡି ବିଜେଡି ଆଡକୁ ଢଳୁଛନ୍ତି ।

ନବ ଦାସ କଂଗ୍ରେସ ଛାଡି ବିଜେଡିରେ ଯୋଗଦେବା ଏକ ପ୍ରକାର ନିଶ୍ଚିତ ହୋଇ ସାରିଥିବା ବେଳେ, ଅପେକ୍ଷା କେବଳ ଆନୁଷ୍ଠାନିକ୍ ମିଶ୍ରଣ ପର୍ବକୁ । ଚର୍ଚ୍ଚା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝାରସୁଗୁଡ଼ା ଗସ୍ତ ସମୟରେ ଶଙ୍ଖ ଧରିବେ କଂଗ୍ରେସର କାର୍ଯ୍ୟକାରୀ ସଭାପତି । ଏହି ଚର୍ଚ୍ଚା ଭିତରେ ରାହୁଲଙ୍କ ସମାବେଶରେ ନବ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ନବ ଦାସ କେବଳ ଯେ, ଝାରସୁଗୁଡ଼ା ବିଧାୟକ ତାହା ନୁହେଁ, ବରଂ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ତଥା କଂଗ୍ରେସର କାର୍ଯ୍ୟକାରୀ ସଭାପତି । ଯାହାଙ୍କ ହାତରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ସାଂଗଠାନିକ ଦାୟିତ୍ୱ । ନିରଞ୍ଜନଙ୍କ ନୂଆ ଟିମରେ ଯେଉଁ ୪ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦିଆ ଯାଇଥିଲା, ସେମାନଙ୍କ ମଧ୍ୟରେ ନବ ଦାସ ଅନ୍ୟତମ ।

ଠିକ୍ ୨୦୧୪ ନିର୍ବାଚନ ପୂର୍ବରୁ ଏମିତି କଂଗ୍ରେସ ଛାଡିଥିଲେ ତକ୍ରାଳୀନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂ । ଆଉ ଏବେ ୨୦୧୯ ନିର୍ବାଚନ ପୂର୍ବରୁ ନବ ଦାସଙ୍କୁ ନେଇ ବଡ ଚର୍ଚ୍ଚା । କୁହାଯାଉଛି-ଭୂପିନ୍ଦରଙ୍କ ଅପେକ୍ଷା ନବ ଦାସଙ୍କ ନିଷ୍ପତି କଂଗ୍ରେସକୁ ଆହୁରି ଭାରି ପଡ଼ିବ ।

ବଡ କଥା ହେଉଛି-ନବ ଦାସଙ୍କ ରାସ୍ତାରେ କଂଗ୍ରେସର ଆଉ ଦୁଇ ଜଣ ବିଧାୟକ ଆଗକୁ ବଢୁଥିବା ନେଇ ଚର୍ଚ୍ଚା ଜୋରଧରିଛି । ସାଲେପୁର ବିଧାୟକ ବିଜେଡିକୁ ପ୍ରଶଂସା କରି ଏହାର ଇସାରା ଦେଇଥିବା ବେଳେ ସୁନ୍ଦରଗଡ଼ ବିଧାୟକ, ନବ ଦାସଙ୍କ ଷ୍ଟାଇଲରେ ଲୋକଙ୍କ ଉପରେ ନିଷ୍ପତି ଛାଡି ଦେଇଛନ୍ତି ।୨୦୧୯ ନିର୍ବାଚନ ପୂର୍ବରୁ ନିରଞ୍ଜନଙ୍କ ନେତୃତ୍ୱରେ କଂଗ୍ରେସ ଏକ ବଡ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଦଳ ବରିଷ୍ଠ ନେତାଙ୍କ ଏହି ଗୋଠ ଛଡ଼ା ଆଭିମୁଖ୍ୟ କଂଗ୍ରେସ ପାଇଁ ନୂଆ ସମସ୍ୟା ସୃଷ୍ଟି କରିଛି । ତାହା ପୁଣି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଆସିବା ପୂର୍ବରୁ ।