ମାଟ୍ରିକ ପରୀକ୍ଷା ପୂର୍ବରୁ ନବନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରା! ପରୀକ୍ଷାର୍ଥୀଙ୍କ ଉପରେ କଣ ପଡିବ ପ୍ରଭାବ?

307

କନକ ବ୍ୟୁରୋ : ମାଟ୍ରିକ୍ ପରୀକ୍ଷାର ଦିନକ ପୂର୍ବରୁ ଅର୍ଥାତ୍ ଆସନ୍ତାକାଲି ଓଡିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ । ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ୍ ଦାବିରେ କୃଷକ ସଂଗଠନ ଦେଇଥିବା ବନ୍ଦ ଡାକରାକୁ ନୈତିକ ସମର୍ଥନ ଜଣାଇଛନ୍ତି ବିଜେପି ଓ କଂଗ୍ରେସ । ସେପଟେ ବିଜେଡି କହିଛି, କେବଳ ରାଜ୍ୟ ସରକାରଙ୍କୁ ଦୋଷ ଦେବା ପାଇଁ ଏହା ଏକ ମିଳିତ ରାଜନୈତିକ ଷଡଯନ୍ତ୍ର ।

ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ଗୁରୁବାର ଓଡିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ । ତେବେ, ମାଟ୍ରିକ ପରୀକ୍ଷା ପୂର୍ବ ଦିନ ଚାଷୀ ସଂଗଠନର ବନ୍ଦ ଡାକରାକୁ ନେଇ ବିବାଦ ସୃଷ୍ଟି ହୋଇଛି । ନବନିର୍ମାଣ କୃଷକ ସଂଗଠନ କହିଛି, ପରୀକ୍ଷା ଥିବାରୁ ଚାପ ପକାଇବା ସେମାନଙ୍କ ଉଦେଶ୍ୟ ନୁହେଁ । ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ ଏବଂ ପ୍ରଶ୍ନପତ୍ର ଗାଡିକୁ ଅଟକାଯିବ ନାହିଁ । ତେବେ ପରୀକ୍ଷା ପୂର୍ବରୁ ବନ୍ଦ ପାଳନ ଦ୍ୱାରା ପରୀକ୍ଷାର୍ଥୀ କ୍ଷତିଗ୍ରସ୍ତ ହେବା ସମ୍ଭାବନା ରହିଛି ।

ନବନିର୍ମାଣ କୃଷକ ସଂଗଠନର ଓଡିଶା ବନ୍ଦ ଡାକରାକୁ ନୈତିକ ସମର୍ଥନ ଜଣାଇଛି ବିଜେପି । ବିଜେପି କୃଷକ ମୋର୍ଚ୍ଚା କହିଛି, ୧୯ ବର୍ଷ ଶାସନରେ ଚାଷୀଙ୍କୁ ଅଣଦେଖା କରାଯାଇଛି । କଂଗ୍ରେସ ବି ଚାଷୀ ସଂଗଠନର ବନ୍ଦ ଡାକରାକୁ ନୈତିକ ସମର୍ଥନ ଜଣାଇଛି । ସେପଟେ ବିଜେଡି କହିଛି, ରାଜ୍ୟ ସରକାରଙ୍କୁ ଦୋଷ ଦେବାପାଇଁ ଏହା ଏକ ମିଳିତ ରାଜନୈତିକ ଷଡଯନ୍ତ୍ର ।

କାଳିଆ ଯୋଜନାରେ କୃଷକଙ୍କ ନିକଟତର ହେବାକୁ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ ଭାଗ ଚାଷୀ, ନାମ ମାତ୍ର ଚାଷୀ, ଭୂମି ହୀନ ଚାଷୀଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି ସାଧାରଣ ବଜେଟରେ ପିଏମ୍ କିଷାନ ଯୋଜନା ଘୋଷଣା କରି ଚାଷୀଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି ମୋଦୀ ସରକାର । ତେବେ ଏସବୁ ଯୋଜନା ପର୍ଯ୍ୟାପ୍ତ ନୁହେଁ ବୋଲି ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଛି ନବନିର୍ମାଣ କୃଷକ ସଂଗଠନ ।

Comments are closed.