ହକ୍ ପାଇଁ ଲଢୁଥିବା ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ସ୍ଥଗିତ ! ଶାସକ ଦଳ ବିଧାୟକଙ୍କ ସହ ଆଲୋଚନା ପରେ ମେ ୫ ଯାଏଁ ସତ୍ୟାଗ୍ରହକୁ ସ୍ଥଗିତ ରଖିଲା ସଂଗଠନ

21

କନକ ବ୍ୟୁରୋ : ପ୍ରାଇସ,ପ୍ରେଷ୍ଟିଜ ଓ ପେନସନ ଦାବିରେ ଚାଲିଥିବା ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ସ୍ଥଗିତ । ଆଜି ଶାସକ ଦଳର ୪ ବିଧାୟକ ଆସି ଆଲୋଚନା କରିବା ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ଯଦି ସରକାର ମେ ୫ ତାରିଖ ସୁଦ୍ଧା କୌଣସି ଦାବି ପୁରଣ ନକରନ୍ତି ତେବେ ଚାଷୀ ଆନ୍ଦୋଳନ ପୁଣି ତେଜିବ ବୋଲି ସୂଚନା ଦେଇଛନ୍ତି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ।

ଗତ ୧୦ ଦିନ ଧରି ରାଜଧାନୀରେ ଚାଲିଥିଲା ନବ ନିର୍ମାଣ କୃଷକ ସଂଗଠନର ଅନଶନ ଓ ସତ୍ୟାଗ୍ରହ । ଆଜି ସରକାରଙ୍କ ପକ୍ଷରୁ ୪ ଜଣ ବିଜେଡି ବିଧାୟକ ଆସି ଅନଶନରେ ବସିଥବା ଚାଷୀଙ୍କ ସହ ବିଭିନ୍ନ ଦାବି ନେଇ ଆଲୋଚନା କରିଛନ୍ତି । ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ଚାଷୀ ସମସ୍ୟା ସମାଧାନ ନେଇ ମନ୍ତ୍ରୀପରିଷନର ଏକ କମିଟି ଗଠନ ହେବ । ବିଧାନସଭାରେ କିଭଳି ଚାଷୀଙ୍କ ସ୍ୱର ପହଚିଂବ ସେ ନେଇ ଚେଷ୍ଟା କରାଯିବ ବୋଲି କହିଥିଲେ ଦିବ୍ୟଶଙ୍କର । ତେବେ ଶାସକ ଦଳର ବିଧାୟକ ସହ ଆଲୋଚନା ପରେ ନବନିର୍ମାଣ ସଂଗଠନ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ।