ଗୋଟିଏ ପୋଷ୍ଟରରେ ନବ-ନବୀନ ! ଝାରସୁଗୁଡାରେ ନବୀନଙ୍କ ସମାବେଶ ପୂର୍ବରୁ ଲାଗିଲା ହୋଡିଂ

ଆସନ୍ତା ୨୪ରେ ବିଜେଡିରେ ଯୋଗଦେଇପାରନ୍ତି କଂଗ୍ରେସ ବିଧାୟକ ନବ ଦାସ

282

କନକ ବ୍ୟୁରୋ: ଗୋଟିଏ ପୋଷ୍ଟରରେ ନବ-ନବୀନ । କଂଗ୍ରେସ ଛାଡି ବିଜେଡିରେ ଯୋଗଦେବା ନେଇ କଂଗ୍ରେସର ବରିଷ୍ଠ ନେତା ନବ ଦାସଙ୍କ ବୟାନ ପରେ ଏବେ ଝାରସୁଗୁଡା ରାଜନୀତିରେ ହଲଚଲ । ଝାରସୁଗୁଡାରେ ଏବେ ବିଭିନ୍ନ ଯାଗାରେ ଗୋଟିଏ ପୋଷ୍ଟରରେ ନବ ଦାସ ଓ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଛି । ଆସନ୍ତା ୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡା ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ନବ ଦାସ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି ।

ଝାରସୁଗଡା ଅମଲିପାଲି ପଡିଆରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଚୌକିପଡା ରେଳ ଓଭରବ୍ରିଜ ପ୍ରକଳ୍ପ, କ୍ୟାନସର ହସ୍ପିଟାଲ ଓ ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପର ଭିର୍ତି ପ୍ରସ୍ତର ସ୍ଥାପନ କରିବେ । ସେହି ଦିନ ନବୀନଙ୍କ ଉପସ୍ଥିତିରେ ହାତ ଛାଡି ଶଂଖ ଧରିପାରନ୍ତି ନବ ଦାସ । ଅନେକ ଦିନ ଆଗରୁ ନବ ଦାସ ବିଜେଡି ଛାଡିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଗତ ୨ ଦିନ ତଳେ ନବ ଦାସଙ୍କ ବୟାନ ବିଜେଡିରେ ମିଶିବା ନେଇ ଏକ ପ୍ରକାର ସ୍ପଷ୍ଟ କରିଥିଲା ।

ସେପଟେ, ଏକ ଫୁଟବଲ ମ୍ୟାଚରେ ଯୋଗ ଦେଇ ନବ ଦାସ ସାଂପ୍ରତିକ ରାଜନୀତି, ସେଥିରେ ତାଙ୍କର ସ୍ଥିତିକୁ ନେଇ ମହାଭାରତ ଉପଖ୍ୟାନ ସହ ତାଳ ମିଳାଇ ମନ୍ତବ୍ୟ ରଖିଛନ୍ତି । ଯାହା ରାଜ୍ୟ ରାଜନୀତିକୁ ସରଗରମ କରିଛି । ଫୁଟବଲ ମ୍ୟାଚରେ ନବ ଦାସ ଓ ଯୋଗେଶ ସିଂ ସାମିଲ ହୋଇଥିଲେ । ଏହି ଅବସରରେ ସେ ଦେଇଥିବା ମନ୍ତବ୍ୟରୁ ନବୀନ ପଟ୍ଟନାୟକଙ୍କୁ ଅର୍ଜୁନ ଓ କଂଗ୍ରେସକୁ କୌରବ ସହ ତୁଳନା କରିଥିବା ଅନୁମାନ କରାଯାଉଛି । କଂଗ୍ରେସ ନେତା ନବଦାସ କହିଛନ୍ତି ପଶ୍ଚିମ ଓଡିଶା ବିକାଶରେ ସେ ଯୋଗେଶ ସିଂ ଅଗ୍ରଣୀ ଭୂମିକା ଗ୍ରହଣ କରିବେ ।

ତାଙ୍କ ପାଇଁ ପାର୍ଟି ବଡ ନୁହେଁ ମାଟି ବଡ ।ଏହାପରେ ପୌରାଣିକ କଥାବସ୍ତରୁ ଉଦାହରଣ ଦେଇ କହିଥିଲେ ମହାଭାରତ ଯୁଦ୍ଧ ପୂର୍ବରୁ କୃଷ୍ଣ ଭୀଷ୍ମକୁ ପଚାରିଥିଲେ ତମେ କାହାକୁ ସମର୍ଥନ କରିବ । ଭୀଷ୍ମ କହିଥିଲେ କୁରୁବଂଶ । କୃଷ୍ଣ କହିଥିଲେ ଧର୍ମ ଯେଉଁଠି ଅଛି ସେଠି ରୁହ । ଯୁଗ ଦେଖି ଲଢେଇ କର ବୋଲି ପିତାମହ ଭୀଷ୍ମକୁ କୃଷ୍ଣ ପରାମର୍ଶ ଦେଇଥିବା ନବଦାସ କହିଛନ୍ତି । ହେଲେ ଭୀଷ୍ମ ଶ୍ରୀକୃଷ୍ଣଙ୍କ ପରାମର୍ଶ ନମାନି ଦଶା ଭୋଗିଥିଲେ । ଠିକ ସେହିପରି ସେ କେବଳ ଗୋଟିଏ ଦଳରେ ରହିବେ ସେମିିତି କିଛି କଥା ନାହିଁ ବୋଲି ନବଦାସ କହିଛନ୍ତି । ତାଙ୍କ ପାଇଁ ଦଳ କେବେ ବି ମହତ୍ୱପୂର୍ଣ୍ଣ ନୁହେଁ, ପ୍ରଥମେ ମାଟି ବଡ ବୋଲି କହିଛନ୍ତି କଂଗ୍ରେସ ନେତା ନବ ଦାସ ।