କନକ ବ୍ୟୁରୋ : ଯେଉଁ ଖବରକୁ ନେଇ କିଛି ମାସ ହେଲା କଂଗ୍ରେସ ଶିବିରରେ କମ୍ପନ ହେଉଥିଲା, ସେହି କମ୍ପନରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି । କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି ଝାରସୁଗୁଡ଼ା ବିଧାୟକ । ଦଳର ପ୍ରାଥମିକ ସଦସ୍ୟ ଏବଂ କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେବା ସହ କଂଗ୍ରେସ ଅଧ୍ୟକ୍ଷଙ୍କ ରାହୁଲ ଗାନ୍ଧୀଙ୍କ ପାଖକୁ ଇସ୍ତଫାପତ୍ର ପଠାଇଦେଇଛନ୍ତି । ଆଉ ଏହି ଚିଠିରେ ବିଜେଡିରେ ଯୋଗ ଦେବା ନେଇ ବି ସେ ସ୍ପଷ୍ଟ କରିଛନ୍ତି । ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଗସ୍ତ ସମୟରେ ବିଜେଡିର ହାତ ଧରିବେ ନବ ଦାସ ।
Kanak News is now on WhatsApp
Join and get latest news updates delivered to you via WhatsApp
କିଛି ମାସ ଧରି ଚାଲିଥିବା ସମସ୍ତ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛି, ଝାରସୁଗୁଡ଼ା ବିଧାୟକ ତଥା କଂଗ୍ରେସ କାର୍ଯ୍ୟକାରୀ ସଭାପତିଙ୍କ ଇସ୍ତଫା ପତ୍ର । ଝାରସୁଗୁଡ଼ା ଲୋକଙ୍କ ବିକାଶର କଥା କହି, କଂଗ୍ରେସର ପ୍ରାଥମିକ ସଦସ୍ୟ ଏବଂ ଦଳୀୟ ପଦରୁ ଇସ୍ତଫା ଦେଇଛନ୍ତି ନବ ଦାସ । ଗୋଟିଏ ପୃଷ୍ଠାର ଏହି ଇସ୍ତଫାପତ୍ରରେ ଗୋଟିଏ ହେଲେ ବି ଅଭିଯୋଗ ନାହିଁ, ଯଦି କିଛି ଅଛି, ତାହା କେବଳ ଉଚ୍ଚକାଂକ୍ଷା । ଝାରସୁଗୁଡ଼ାର ବିକାଶ କଥା କହୁଥିବା ନବ, ଏହି ଚିଠିରେ ଏକ ପ୍ରକାର ସ୍ପଷ୍ଟ ଲେଖିଛନ୍ତି, ଆଗାମୀ ୨୪ ତାରିଖ ନବୀନଙ୍କ ଝାରସୁଗୁଡ଼ା ଗସ୍ତ ସମୟରେ ବିଜେଡିର ହାତ ଧରିବେ ।ଆଉ ଏହା ପୂର୍ବରୁ ଝାରସୁଗୁଡ଼ା ସହରର ଚାରିଆଡେ ଛାଇ ହୋଇଗଲାଣି ନବୀନ ଓ ନବଙ୍କ ବଡ ବଡ ପୋଷ୍ଟର । ବିଜେଡି ସୁପ୍ରିମୋଙ୍କୁ ସ୍ୱାଗତ କରିବା ପାଇଁ ଜୋରସୋର ପ୍ରସ୍ତୁତ ଚାଲିଥିବା ବେଳେ ସହର ମୁଖ୍ୟ ଆକର୍ଷଣ ପାଲଟିଛି ରାଜନୀତିର ଏହି ନୂଆ ଯୁଗଳବନ୍ଦୀ ପୋଷ୍ଟର ।
ଇସ୍ତଫା ପୂର୍ବରୁ ନବଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ପିସିସି ସଭାପତି କହୁଥିବା ବେଳେ ୨୦୧୯ ନିର୍ବାଚନ ପୂର୍ବରୁ ନବ ଦାସଙ୍କ କଂଗ୍ରେସ ଛାଡିବା ନିଷ୍ପତି କଂଗ୍ରେସର ଝାରସୁଗୁଡ଼ା ଗଡ଼କୁ ଦୋହଲାଇ ଦେଇଛି । ଏହାରି ଭିତରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ, ନବ ଦାସଙ୍କ ଷ୍ଟାଇଲରେ ବୟାନ ରଖିଛନ୍ତି । ବିଜେଡିର ଯୋଗ ଦେବା ନେଇ ଭୋଟରଙ୍କ ଉପରେ ସବୁକିଛି ନିର୍ଭର କରେ ବୋଲି କହିଛନ୍ତି ଯୋଗେଶ । ଏହାଛଡା ଆସନ୍ତା ୨୫ରେ ରାହୁଲଙ୍କ ସଭାକୁ ଯିବେନି ବୋଲି ସ୍ପଷ୍ଟ ସଂକେତ ଦେଇଛନ୍ତି ଯୋଗେଶ । ଆଉ ନବ ଓ ଯୋଗେଶଙ୍କୁ ଟାର୍ଗେଟ କରି କଂଗ୍ରେସ ବିଧାୟକ ପ୍ରଫୁଲ ମାଝୀ ଚେତାଇ ଦେଇଛନ୍ତି କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଲେ ଭୂପିନ୍ଦର ଓ ଅନୁପ ସାଏଙ୍କ ଦଶା ଭୋଗିବାକୁ ପଡିବ ।
ଆଉ ଏସବୁ ଭିତରେ ନବ ଦାସଙ୍କ ମହାଭାରତ ଉପାଖ୍ୟାନ ରାଜନୀତିର ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି । ଭୀଷ୍ମ, ଶ୍ରୀକୃଷ୍ଣଙ୍କ ପରାମର୍ଶ ନମାନିବାରୁ ଦଶା ଭୋଗିଥିଲେ ବୋଲି କହିଛନ୍ତି ନବ ଦାସ । ଯାହାକୁ ନିଜ ଢ଼ଙ୍ଗରେ କଟାକ୍ଷ କରିଛନ୍ତି ସୁର ରାଉତରାୟ । ନବ ଏହି ଦୁଇ ତିନି ଦିନ ମଧ୍ୟରେ ବାଉଳାଚାଉଳା ହୋଇଯାଇଛନ୍ତି । କଂଗ୍ରେସ ଏକ ବିରାଟ ସମୁଦ୍ର । କଂଗ୍ରେସ ଦଳରେ ତୁଳା ରହିବା ଆବଶ୍ୟକ ନାହିଁ ଉଡିଯିବା ଦରକାର । ଏହି ଦଳରେ ଅଗାଡି ବାହାରିଯିବା ଦରକାର । ଯେତିକି ଧାନ ରହିବେ ଭଲ ଧାନ ରହିବେ । ଏଭଳି କହି ନବଙ୍କୁ ବାଣ ମାରିଛନ୍ତି ସୁର ।
ରାଜନୀତିର ଏହି ବୟାନବାଜୀ ଭିତରେ ଗୋଟିଏ କଥା ସ୍ପଷ୍ଟ ଯେ, ନବଙ୍କ ନିଷ୍ପତି କଂଗ୍ରେସକୁ ବେଶ ମହଙ୍ଗା ପଡ଼ିବ । କାରଣ ସେ କେବଳ ଝାରସୁଗୁଡ଼ା ବିଧାୟକ ନଥିଲେ, ବରଂ କାର୍ଯ୍ୟକାରୀ ସଭାପତି ଭାବରେ ତାଙ୍କ ହାତରେ ଥିଲା ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ସାଂଗଠାନିକ ଦାୟିତ୍ୱ । ଆଉ ଗତ ପଂଚାୟତ ନିର୍ବାଚନରେ ଝାରସୁଗୁଡ଼ାର ୯ଟି ଜିଲ୍ଲା ପରିଷଦରୁ ୮ଟି କଂଗ୍ରେସକୁ ବିଜୟୀ କରି ନିଜର ସାଂଗଠାନିକ ଦାୟିତ୍ୱର ପ୍ରମାଣ ଦେଇଥିଲେ ନବ ଦାସ ।