ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥଯାତ୍ରା ! କ’ଣ ରହିଛି ଏହା ପଛରେ ପୌରାଣିକ କାହାଣୀ ।

95

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା । ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜିଉଙ୍କ ରଥଯାତ୍ରା ଦ୍ୱିତୀୟ ବୃହତମ ଘୋଷଯାତ୍ରା ଭାବେ ପରିଚିତ । ଚାରିଶହ ବର୍ଷରୁ ଅଧିକ ସମୟ ଧରି ଖୁବ୍ ଆଡମ୍ବର ସହ ଗଡ଼ି ଆସୁଛି ଶ୍ରୀଶ୍ରୀ ହରିବଳଦେବ ଜିଉଙ୍କ ରଥ । ପୁରୀ ରଥଯାତ୍ରାର ରୀତିନୀତି ଓ ପରମ୍ପରା ଠାରୁ ଏଠାକାର ପରମ୍ପରା ସଂପୂର୍ଣ୍ଣ ଭିନ୍ନ । ତେବେ କାହିଁକି ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି କୁହାଯାଏ । କଣ ରହିଛି ଏହାର କିମ୍ବଦନ୍ତୀ ଆସନ୍ତୁ ଜାଣିବା ।

ପ୍ରାଚୀନ କାଳରୁ କେବଳ ପୁରୀ ଶ୍ରୀକ୍ଷେତ୍ରରେ କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ । ପୁରୀର ଶ୍ରୀମନ୍ଦିର ପରେ ୧୫୭୫ ମସିହାରେ ତକ୍ରାଳୀନ ମୟୂରଭଞ୍ଜ ମହାରାଜା ବୌଦ୍ୟନାଥ ଭଞ୍ଜ ବାରିପଦାରେ ପ୍ରତିଷ୍ଠା କରିଥିଲେ ଚତୁର୍ଦ୍ଧାମୂର୍ତିଙ୍କର ଆଉ ଏକ ମନ୍ଦିର । ସେଇଥି ପାଇଁ ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି କୁହାଯାଏ । ପୁରୀ ଭଳି ଏଠାରେ ମଧ୍ୟ ଶ୍ରୀଶ୍ରୀ ହରିବଳଦେବ ଜିଉଙ୍କର ୧୨ ମାସରେ ୧୩ଯାତ୍ରା ପାଳନ କରାଯାଏ । ଏଥିମଧ୍ୟରୁ ରଥଯାତ୍ରା ଅନ୍ୟତମ । ପୁରୀରେ ୩ ରଥକୁ ଉଭୟ ପୁରୁଷ ଓ ମହିଳା ଟାଣୁଥିବା ବେଳେ ଏଠାରେ ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥାନ୍ତି । ମହିଳା ସଶକ୍ତି କରଣର ଉଜ୍ଜଳତମ ଉଦାହରଣ ପାଲଟି ଥିବା ବାରିପଦା ରଥର ଏହି ପରମ୍ପରା ୧୯୭୫ ମସିହାର ଚାଲିଆସୁଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣନ୍ତୁ ବୋଲି ଇଚ୍ଛା ପ୍ରକାଶ କରିଥିଲେ । ଏହାପର ଠାରୁ ଏହା ପରମ୍ପରାରେ ପରିଣତ ହୋଇଛି ।

ବାରିପଦା ରଥର ଅନ୍ୟ ଏକ ଆକର୍ଷଣ ଶ୍ରଦ୍ଧା ଲଡୁ । ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଉସୀ ମା ମନ୍ଦିରରେ ପହଂଚିବା ପରେ ଭକ୍ତଙ୍କ ଉଦ୍ଦେଶ୍ୟରେ ରଥ ଉପରୁ ଏହି ଲଡୁ ଫିଙ୍ଗା ଯାଇଥାଏ । ଯାହାକୁ ପାଇବା ପାଇଁ ଶ୍ରଦ୍ଧାର ସହ ଅପେକ୍ଷା କରିଥାନ୍ତି ଶ୍ରଦ୍ଧାଳୁ । ପୁରୀ ଗୁଣ୍ଡିଚା ଯାତ୍ରା ଦିନକ ପରେ ଦିତ୍ୱିୟ ଶ୍ରୀକ୍ଷେତ୍ରରେ ତିନି ଠାକୁର ରଥଯାତ୍ରା କରାଯାଇଥାଏ । ପୁରୀ ରଥଯାତ୍ରା ଦିନ ବାରିପଦାରେ ଠାକୁରଙ୍କ ପହଣ୍ଡି କରାଯାଏ । ଏବଂ ପରେ ଦୁଇଦିନ ଧରି ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ ।