କନକ ବ୍ୟୁରୋ: ବାହୁଡ଼ା ଯାତ୍ରା ପରେ ସିଂହଦ୍ୱାର ତିନି ରଥ ଉପରେ ସୁନାବେଶ ଏବଂ ଏହା ପରଦିନ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଅଧରପଣା ଭୋଗ ହୋଇଥାଏ । ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ‘ ‘ଅଧର ପଣା’ କୁହାଯାଏ । ସ୍ୱତଲିପି ଅନୁଯାୟୀ ବାହୁଡ଼ା ଦଶମୀ ଦିନ ରଥ ସିଂହଦ୍ୱାର ନିକଟରେ ପହଁଚିବା ପେର ‘ଅଧର ପଣା’ ଭୋଗ ହେବା କଥା । କିନ୍ତୁ ସମୟ ଅଭାବରୁ ଏହା ଏକାଦଶୀ ଦିନ ଅନୁଷ୍ଠିତ ହୋଇଥାଏ । ହେଲେ ଏକାଦଶୀ ଦିନ ମଧ୍ୟ ଏହି ନୀତି ହୋଇ ନପାରି ଅନେକ ବର୍ଷ ଧରି ଦ୍ୱାଦଶୀ ତିଥିରେ ଏହି ‘ ଅଧର ପଣା’ ଭୋଗ କରାଯାଉଛି । ଗବେଷକ ଡଃ ସୁରେନ୍ଦ୍ର କୁମାର ମିଶ୍ର ଓଡ଼ିଆ ମଠରୁ ପ୍ରାପ୍ତ ସନନ୍ଦକୁ ଆଧାର କରି ଉଲ୍ଲେଖ କରିଛନ୍ତି ଯେ, ପୂର୍ବେ ବାହୁଡା଼ ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀରେ ତିନି ହାଣ୍ଡି ଓ ଦ୍ଵାଦଶୀ ଦିନ ତିନି ହାଣ୍ଡି ଏହିପରି ନଅ ହାଣ୍ଡି ଅଧର ପଣା ଓ ବଳଭଦ୍ରଙ୍କ ରଥରେ ରାମ , କୃଷ୍ଣଙ୍କ ଇଦ୍ଦେଶ୍ୟରେ ୨ ହାଣ୍ଡି (ସାନ) ଓ ଜଗନ୍ନାଥଙ୍କ ରଥରେ ମଦନମୋହନ ଠାକୁରଙ୍କ ନିମିତ୍ତ ୧ ହାଣ୍ଡି (ସାନ) କ୍ରମରେ ମୋଟ ୧୨ଟି ହାଣ୍ଡି ଅଧର ପଣା ଭୋଗ ହେଉଥିଲା । ସମ୍ପ୍ରତି ତିନି ରଥ ପାଇଁ ଦ୍ଵାଦଶୀ ଦିନ ମୋଟ ୯ ହାଣ୍ଡି ଅଧର ପଣା ଭୋଗ ହେଉଅଛି।

ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଠାକୁରମାନଙ୍କ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧର ପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହୋଇଥାଏ। ମନ୍ଦିର ପ୍ରଶାସନ , ରାଘବ ଦାସ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛାଚି, ସର, କଦଳୀ , ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର, ଜାଇଫଳ ଇତ୍ୟାଦି ପଣା ଦ୍ରବ୍ୟ ସାମଗ୍ରୀ ପାଳିଆ ମହାସୁଆର ରଥ ଉପରେ ରଖିଥାନ୍ତି। ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁମାନଙ୍କର ଶ୍ରୀଅଧର ଉଚ୍ଚ ଥିବା ତୁମ୍ବ ଆକୃତି ଭଳି ମାଟିର ତିନୋଟି ହାଣ୍ଡି ରଖାଯାଏ । କିନ୍ତୁ ପ୍ରତ୍ୟେକ ହାଣ୍ଡି ସମାନ ମାପର ହୋଇ ନଥାଏ। ପୂର୍ବରୁ ପାଣିଆ ଆପଟ ସେବକମାନେ ସିଂହଦ୍ଵାର ଛାଉଣୀ ମଠ ସମ୍ମୁଖସ୍ଥ କୂପରୁ ଗରାମାନଙ୍କରେ ଜଳ କାଢି ରଥ ଉପରକୁ ବୋହି ନେଇ ବଡ଼ ପିତଳ ହଣ୍ଡାମାନଙ୍କରେ ରଖିଥାନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବେ ଅଧର ପଣା ପାଇଁ ଆବଶ୍ୟକ ଜଳ ରାଧାବଲ୍ଲଭ ମଠ କୂପରେ ଆସୁଥିଲା । ପରବର୍ତ୍ତୀ ସମୟରେ ସିଂହଦ୍ଵାରା ସମ୍ମୁଖ କୂପରୁ ଏହି ଜଳ ଅଣାଯାଉଛି। ଜଳବୁହା ବେଳେ ମନ୍ଦିର ଚର୍ଚ୍ଚା ଓ ବରକନ୍ଦାଜ କର୍ମଚାରୀମାନେ ଆଗରେ ଗୁଆ ଖୋଳପା ଧରି ଲୋକଙ୍କୁ ଆଡେଇଥାନ୍ତି, ଯେପରିକି କେହି ଜଳକୁ ସ୍ପର୍ଶ କରିପାରିବେ ନାହିଁ । ଅଧରପଣା ଭୋଗ ପୂରରୁ ମହାସୁଆରମାନେ ଥାଇ ଭିତରଚ୍ଛ, ତଳୁଚ୍ଛ ଓ ସୁଭଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ ଅଧର ଆଗରେ ଖଣ୍ଡେ ନୂଆ ଗାମୁଛା ଟେରା ଧରିଥାନ୍ତି। ଅଧରପଣା ହାଣ୍ଡି ଉପରେ ଖଣ୍ଡେ ଲେଖାଏଁ ଧଳା କରିକା (ଜାଲିକନା) ପକାଯାଏ। ଜଳ ଛଣା ଉଦ୍ଦେଶ୍ୟରେ ଏହା ପକାଯାଏ ବୋଲି କଥିତ ରହିଛି। ମହାସୁଆରମାନେ ପ୍ରତି ରଥରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି। ଏହାପରେ ପତ୍ରିବଡୁ, ସୁଆରବଡୁ ଓ ଗରାବଡୁ ପାଳିଆ ସେବକ ତିନି ରଥରେ ପୂଜା ଠା’ କରନ୍ତି। ତତ୍ ପରେ ପାଳିଆ ପୂଜା ପଣ୍ଡା ପଞ୍ଚୋପଚାରରେ ପୂଜା କରିଥାନ୍ତି।

ଜନଶ୍ରୁତି ଅନୁଯାୟୀ ରଥ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ‘ଅଧର ପଣା’ ଭୋଗ ହୋଇ ରଥର ପାଶ୍ୱର୍ ଦେବାଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡା ମାନଙ୍କ ପାଇଁ ଅଧର ହାଣ୍ଡି ଭଙ୍ଗା ଯାଇଥାଏ । ଗବେଷକଙ୍କ ମତଅନୁଯାୟୀ ‘ପତିତ’ ଉଦ୍ଧାର ପାଇଁ ଅଧର ହାଣ୍ଡି ଭଙ୍ଗାଯାଏ । ସେମାନଙ୍କ ପାଇଁ ସମର୍ପଣର ପ୍ରଥା ନାହିଁ, ତେଣୁ ଉତ୍ସର୍ଗ ହିଁ କରାଯାଏ । ସାଧାରଣତଃ ଅନେକ ସେବକ ତଥା ସ୍ଥାନୀୟ ଜନସାଧାରଣ ଅଧରପଣା ସେବା କରନ୍ତି ନାହିଁ । ବାସ୍ତବିକ୍ ରଥ ଉପରେ ଅଧରପଣା ହେବା ପରେ ତତ୍ ପରଦିନ କିମ୍ବା ତା’ପରେ ଯେ କୌଣସି ଦିନ ଠାକୁରମାନେ ନୀଳାଦ୍ରି ବିଜେ ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରିଥାନ୍ତି । କେତେକେ ଗବେଶକଙ୍କ ମତରେ ଅଧରପଣା ପରମ୍ପରା ୪୫୦ ବର୍ଷର ପୂରାତନ ।

ସୂର୍ଯ୍ୟମଣି ପାଟ ମହାଦେଇଙ୍କ ସମୟରେ ଅର୍ଥାତ୍ ୧୮୯୧ ମସିହାରେ ଅଧରପଣା ଭୋଗ ସମ୍ପର୍କରେ ପୁରୀର ଦୁଇ ମଠ ମଧ୍ୟରେ ବିବାଦ ସୃଷ୍ଟି ହୋଇଥାଏ । ୧୮୯୩ ମସିହାରେ ଏଥିପାଇଁ ଏକ ‘ହୁକୁମ ନାମା’ଜାରି ହୋଇଥିଲା । ସେତେବେଳେ ଶ୍ରୀମନ୍ଦିର ପରିଚାଳକ ଥିଲେ ନିତ୍ୟାନନ୍ଦ ଦାସ । ଓଡ଼ିଆ ମଠର ଅଧିକାରୀ ଥିଲେ ରାମକୃଷ୍ଣ ଦାସ ଗୋସ୍ୱାମୀ ଓ ରାଘବ ଦାସ ମଠର ମ୍ୟାନେଜର ଥିଲେ ଗୁରୁ କୃଷ୍ଣ ଚନ୍ଦ୍ର ମହାନ୍ତି । ତେବେ ଏହି ହୁକୁମ ନାମାରୁ ଜଣାଯାଏ ଯେ, ସେତେବେଳର ବିବାଦ ପରଠାରୁ ରାଘବଦାସ ମଠ ଗୋଟିଏ ବର୍ଷ ଦୁଇଟି ରଥ ପାଇଁ ୬ ହାଣ୍ଡି ଅଧରପଣା ଯୋଗାଉଥିବାବେଳେ ଠିକ୍ ତତପର ଦିବସରେ ଓଡ଼ିଆ ମଠ ଦୁଇଟି ରଥ ପାଇଁ ୬ ହାଣ୍ଡି ଅଧରପଣା ଭୋଗ କରୁଥିଲେ । ସମ୍ପ୍ରତି ଅଧର ପଣା ଗୋଟିଏ ଦିନରେ ହିଁ ସୀମିତ ହୋଇ ଯାଇଥିବା ବେଳେ ଉଭୟ ରାଘବ ଦାସ ଓ ଓଡ଼ିଆ ମଠ ପ୍ରତିବର୍ଷ ତିନୋଟି ଲେଖାଏଁ ଅଧର ହାଣ୍ଡି ଓ ପଣା ସମାଗ୍ରୀ ଯୋଗାଇ ଆସୁଛନ୍ତି ।