ଶ୍ରୀନଅର ଠାରେ କାହିଁକି ଅଟକି ଯାଆନ୍ତି ମହାବାହୁ କାଳିଆ ସାଆନ୍ତ, କ’ଣ ରହିଛି ଅଲୌକିକତା !

145

କନକ ବ୍ୟୁରୋ: ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ଯାତ୍ରାକୁ ନିନୋଟି ଅଙ୍ଗ ରୂପେ ଧରାଯାଇଛି । ଏଥିମଧ୍ୟରୁ ରଥଯାତ୍ରା ଗୋଟିଏ ଅଙ୍ଗ, ଗୁଣ୍ଡିଚା ମଣ୍ଡପରେ ବାସ ଦ୍ଵିତୀୟ ଅଙ୍ଗ ଏବଂ ବାହୁଡା଼ ଯାତ୍ରା ପୂର୍ବକ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ ପର୍ୟ୍ୟନ୍ତ ତୃତୀୟ ଅଙ୍ଗ । ଶାସ୍ତ୍ରୀୟ ବର୍ଣ୍ଣନାନୁସାରେ ରଥଯାତ୍ରା ସମୟରେ ପ୍ରଭୁମାନେ ଉତ୍ତରାଭିମୁଖି ହୋଇ ଯାତ୍ରା କରୁଥିବା ସମୟରେ ସେମାନଙ୍କୁ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡା଼ ଯାତ୍ରାରେ ଦକ୍ଷିଣାଭିମୁଖ ହୋଇ ଯାତ୍ରା କରୁଥିବା ବେଳେ ଠାକୁରମାନଙ୍କୁ ଦର୍ଶନ କଲେ ଠିକ୍ ସେହିପରି ଫଳ ମିଳିଥାଏ। ଏପରିକି ଭକ୍ତମାନେ ଏହି ଦୁର୍ଲଭ ଦର୍ଶନରେ ଅଶ୍ଵମେଧ ଯଜ୍ଞର ଫଳ ଲାଭ କରି ଅନ୍ତକାଳରେ ବୈକୁଣ୍ଠ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ଵାସ କରାଯାଏ

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦାଧିକାରୀ ଛେରା ପହଁରା ନିମିତ୍ତ ଗୁଣ୍ଡିଚା ମନ୍ଦିରଠାରୁ ଶ୍ରୀନଅର ଅଭିମୁଖେ ଯାଇଥାନ୍ତି। ସେହି ଦିନ ଗଜପତି ବଡ଼ଶଙ୍ଖଠାରୁ ହସ୍ତୀ, ଛତି, କାହାଳୀ ସହ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ତାମଯାନେ ବସି ଗୁଣ୍ଡିଚା ଘର ନାକଚଣା ଦ୍ଵାରଠାରେ ରହିଥିବା ରଥ ନିକଟକୁ ଆସିଥାନ୍ତି। ସେଠାରେ ଶ୍ରୀଗୁଣ୍ଡିଚା ଦିନ ପରି ତିନି ରଥରେ ଛେରା ପହଁରା କରିଥାନ୍ତି। ଛେରା ପହଁରା ନୀତି ସରିବା ପରେ ଭୋଇ ସେବକମାନେ ରଥରୁ ଚାରମାଳ ଖୋଲିବା ସଙ୍ଗେ ସଙ୍ଗେ ରୂପକାର ସେବକମାନେ ରଥରେ ଘୋଡା଼ ବାନ୍ଧିଥାନ୍ତି। ମହାରଣା ଓ ଭୋଇ ସେବକମନେ ଅରଥ ଦଉଡି ଲଗାଇବା ପରେ ରଥ ନିର୍ଦ୍ଦେଶକ ଦଳଙ୍କ ପରାମର୍ଶରେ ରଥଟଣା ହୋଇଥାଏ। ବଳଭଦ୍ର ଓ ସୁଭଦ୍ରା ଦେବୀଙ୍କ ରଥଟଣା ହୋଇ ସିଂହଦ୍ଵାରକୁ ଆସିଥାଏ।

ଲକ୍ଷ୍ମୀନାରାୟଣ ଭେଟ ।

ଜଗନ୍ନାଥ ମହାପ୍ରଭୁଙ୍କ ରଥ ମରିଚିକୋଟ ନିକଟସ୍ଥ ଶ୍ରୀନଅରଠାରେ ପହଞ୍ଚିବା ପରେ ଲକ୍ଷ୍ମୀ ନାରାୟଣ ଭେଟ ନୀତି ହୋଇଥାଏ । ମହାଜନ ସେବକମାନେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଟବସ୍ତ୍ର, ମାଳଫୁଲ, ଅଳଙ୍କାରରେ ବେଶ କରାଇ ସାତ ପାହଚ ଦ୍ଵାରଠାରେ ଥିବା ପାଲିଙ୍କିରେ ବିଜେ କରାନ୍ତି। ପାଲିଙ୍କି ଆନନ୍ଦବଜାରସ୍ଥିତ ଚାହାଣୀ ମଣ୍ଡପକୁ ନିଆଯାଏ। ଚାହାଣୀ ମଣ୍ଡପରେ ଲକ୍ଷ୍ମୀ ବିଜେ ହୋଇବା ପରେ ଉକ୍ତ ପାଲିଙ୍କି ନନ୍ଦିଘୋଷ ରଥରେ ବିରାଜମାନ କରିଥିବା ଜଗନ୍ନାଥଙ୍କ ରଥ ନିକଟରେ ପହଞ୍ଚନ୍ତି। ପରମ୍ପରା ଅନୁଯାୟୀ ସେହି ସମୟରେ ବଳଭଦ୍ରଙ୍କ ରଥ ସମ୍ମୁଖରେ ରଥ ଘେର ପକାଯାଇଥାଏ। ଶ୍ରୀନଅର ସିଂହଦ୍ଵାରରେ ଗଜପତି ମହାରାଜା ଉପସ୍ଥିତ ହୋଇଥାନ୍ତି। ଦହିପଟି ମଣୋହି ପରେ ଗଜପତିଙ୍କ ହସ୍ତରେ ଲକ୍ଷ୍ମୀ ଦେବୀ ବିଜେ ହୋଇ ଜଗନ୍ନାଥଙ୍କ ସହିତ ଭେଟ ହୁଅନ୍ତି। ତତ୍ପରେ ରଥ ପ୍ରଦକ୍ଷିଣ ଓ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିବା ସଙ୍ଗେ ସଙ୍ଗେ ଶ୍ରୀନଅର ଠାରୁ ନନ୍ଦିଘୋଷ ଟଣା ଯାଇ ସିଂହଦ୍ଵାରଠାରେ ରଖାଯାଇଥାଏ। ଏହି ନୀତିରେ ଭିତରଚ୍ଛ, ପତି ମହାପାତ୍ର, ଗରାବଡୁ, ବିମାନବଡୁ, ମହାଜନ, ବଜନ୍ତରୀ ପ୍ରମୁଖ ସେବକମାନେ ଉପସ୍ଥିତ ରହିଥାନ୍ତି।