ଶାସ୍ତ୍ର ଅନୁସାରେ, ଏକଦା ଭଗବାନ ବିଷ୍ଣୁ ଧରାପୃଷ୍ଠକୁ ଆସିବା ପାଇଁ ବିଚାର କରିଥିଲେ । ତେବେ ଭଗବାନଙ୍କ ଏପରି ନିଷ୍ପତିକୁ ଦେଖି ମାତା ଲକ୍ଷ୍ମୀ ଏହାର କାରଣ ପଚାରିଥିଲେ । ଭଗବାନ ବିଷ୍ଣୁ କହିଥିଲେ କି, ‘ମୁଁ ପୃଥିବୀ ପୃଷ୍ଠକୁ ଭ୍ରମଣ କରିବାକୁ ଯାଉଛି’ । ତେବେ ସ୍ୱାମୀଙ୍କଠାରୁ ଏକଥା ଶୁଣି ମାତା ଲକ୍ଷ୍ମୀ ମଧ୍ୟ ତାଙ୍କ ସହ ଯିବାକୁ ବାହାରିଥିଲେ । ତେବେ ଏଥିରେ ଭଗବାନ ବିଷ୍ଣୁ ରାଜି ହୋଇଯାଇଥିଲେ ସତ ମାତ୍ର ଏକ ସର୍ତ ରଖି କହିଥିଲେ କି ‘ତୁମେ ମୋ ସହ ଯାଉଛ, ଏଥିରେ ମୋର କୌଣସି ଆପତ୍ତି ନାହିଁ ମାତ୍ର ତୁମେ ସେଠାକୁ ଗଲେ କେବେ ଉତ୍ତର ଦିଗକୁ ଚାହିଁବ ନାହିଁ ’ । ମାତା ଲକ୍ଷ୍ମୀ ମଧ୍ୟ ତାଙ୍କ କଥାରେ ରାଜି ହୋଇଯାଇଥିଲେ ଏବଂ ବିଷ୍ଣୁଙ୍କ ସହ ପୃଥିବୀ ପୃଷ୍ଠକୁ ଯିବା ପାଇଁ ବାହାରି ପଡିଥିଲେ ।

ଯେତେବେଳେ ଉଭୟେ ପୃଥିବୀ ପୃଷ୍ଠରେ ପହଂଚିଥିଲେ ସେତେବେଳେ ସୂର୍ଯ୍ୟ ଦେବତା ଉଦୟ ହୋଇଥିଲେ ଏବଂ ସଂପୂର୍ଣ୍ଣ ଧରାପୃଷ୍ଠ ଆଲୋକ ମୟ ହେବା ସହ ଆକର୍ଷଣୀୟ ଦେଖାଯାଇଥିଲା । ତେବେ ମାତା ଲକ୍ଷ୍ମୀ ଏହି ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ନିଜ ସ୍ୱାମୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଭୁଲି ଯାଇଥିଲେ । ଏବଂ ଚାରିଆଡେ ବିଚରଣ କରି ସବୁଦିଗକୁ ଦେଖିବାକୁ ଲାଗିଥିଲେ । ଯେତେବେଳେ ସେ ଉତ୍ତର ଦିଗକୁ ଚାହିଁଥିଲେ ସେତେବେଳେ ସେଠାରେ ତାଙ୍କୁ ଏକ ସୁନ୍ଦର ବଗିଚା ନଜର ଆସିଥିଲା । ଆଉ ସେ ସେଠାକୁ ଚାଲି ଯାଇଥିଲେ । ଏବଂ ଲାଗିଥିବା ଫୁଲଗଛରୁ ଏକ ଫୁଲ ଛିଣ୍ଡାଇ ଭଗବାନ ବିଷ୍ଣୁଙ୍କ ନିକଟକୁ ଫେରି ଆସିଥିଲେ ।

ଯେତେବେଳେ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ନିକଟରେ ଆସି ପହଂଚିଥିଲେ । ସେତେବେଳେ ସେ ବିଷ୍ଣୁଙ୍କ ଆଖିରେ ଲୁହ ଦେଖିବାକୁ ପାଇଥିଲେ । ଏବଂ ବିଷ୍ଣୁ କହିଥିଲେ କି, ‘କେବେ କାହାକୁ ନ ପଚାରି ତାର କୌଣସି ବି ଜିନିଷ ଗ୍ରହଣ କରିବା ଆଦୌ ସମିଚୀନ ନୁହେଁ’ । ଏଥିସହ ସେ ସର୍ତ ବିଷୟରେ ମଧ୍ୟ ତାଙ୍କର ମନେ ପକାଇ ଦେଇଥିଲେ । ଏହାପରେ ସେ ମାତା ଲକ୍ଷ୍ମୀଙ୍କୁ ଦଣ୍ଡ ସ୍ୱରୂପ ମାଳୀ ଘରେ ୩ ବର୍ଷ ପର୍ଯ୍ୟନ୍ତ ଚାକରାଣୀ ହୋଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏବଂ ମାତା ଲକ୍ଷ୍ମୀ ମଧ୍ୟ ତାଙ୍କ ଏହି ନିର୍ଦ୍ଦେଶକୁ ମାନି ସେହି ମାଳୀ ଘରେ ୩ ବର୍ଷ ଧରି କାମ କରିଥିଲେ ।