ଧାମନଗରର ନାଗବଂଶକୁ ନେଇ ବଢିଲା ରହସ୍ୟ : ତିନି ଦିନ ଭିତରେ ପ୍ରାୟ ଦେଢଶହ ନାଗ ସାପ ଉଦ୍ଧାର

68

କନକ ବ୍ୟୁରୋ : ଭଦ୍ରକ ଧାମନଗରର ନାଗବଂଶକୁ ନେଇ ବଢ଼ୁଛି ରହସ୍ୟ । ତିନି ଦିନ ଭିତରେ ଏହି ଅଂଚଳର ଦୁଇ ଜଣଙ୍କ ଘରୁ ପ୍ରାୟ ଦେଢଶହ ନାଗ ସାପ ଉଦ୍ଧାର କରାଗଲାଣି । ଆହୁରି ସାପ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଧାମନଗରର ଏହି ଅଂଚଳରୁ ଏତେ ସଂଖ୍ୟାରେ ନାଗ ସାପ ମିଳିବା ନେଇ ରହସ୍ୟ ବଢିବାରେ ଲାଗିଛି ।

କୌଣସି ଚିଡିଆଖାନାରୁ କିମ୍ବା କୌଣସି ଜଙ୍ଗଲରୁ ନୁହେଁ ଘର ଭିତରୁ ମିଳିଛି ଶହ ଶହ ନାଗ ସାପ । ଛୋଟ-ବଡ ମିଶାଇ ଦେଢଶହରୁ ଅଧିକ ବିଷାକ୍ତ ସାପ । ଯାହାର ଗୋଟିଏ ଚୋଟରେ ଜୀବନ ଚାଲିଯାଇପାରେ । ବଡ କଥା ହେଲା ସାପ ମିଳିଥିବା ଘରେ ବର୍ଷ ବର୍ଷ ଧରି ରହୁଥିଲେ ପୁରା ପରିବାର ।

ସକାଳୁ ଗୌରାଙ୍ଗ ଜେନାଙ୍କ ପୁରୁଣାକାଳିଆ ମାଟି ଘର ଶିଳପୂଆ ପାଖରେ ଦୁଇଟି ନାଗ ସାପ ଛୁଆ ଦେଖାଯାଇଥିଲା । ଆଉ ସେଠାରେ ଗାତ ଖୋଳାଯିବାରୁ ବାହାରିଥିଲେ ୨୦ରୁ ଅଧିକ ନାଗ ସାପ ଛୁଆ । ପରେ ପରେ ଉଦ୍ଧାର ହୋଇଥିଲା ବିରାଟକାୟ ନାଗ ସାପ । ଗତ ତିନି ଦିନ ଧରି ପାଇକସାହିରୁ ମିଳିଥିବା ସାପକୁ ନେଇ ସାରା ରାଜ୍ୟରେ ଚହଳ ପଡିଥିଲା । ଝାଟିମାଟିର ଚାଳ ଘରୁ ମିଳିଥିଲା ପ୍ରାୟ ୧୩୦ଟି ନାଗସାପ ଛୁଆ । ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଘର ଭିତରୁ ତିନିଟି ବଡ ନାଗନାଗୁଣୀକୁ ବି ଉଦ୍ଧାର କରିଥିଲେ ।

ଭଦ୍ରକ ଧାମନଗରର ଦୁଇଟି ଘରୁ ଦେଢଶହରୁ ଅଧିକ ନାଗ ସାପ ମିଳିବା ନେଇ ରହସ୍ୟ ବଢିବାରେ ଲାଗିଛି । କୁହାଯାଉଛି, ବିଲ ପାଖରେ ବର୍ଷ ବର୍ଷ ଧରି ମାଟି ଘର ଥିବାରୁ ସେଠାରେ ସାପ ରହିଥାଇପାରେ । ଏଥିସହ ଯେହେତୁ ଧାମନଗର ଅଂଚଳରେ ବନ୍ୟା କମ୍ ହୁଏ, ତେଣୁ ସେଠାରେ ଏତେ ସଂଖ୍ୟାରେ ସାପ ଦେଖାଯାଇଥାଏ ।