ରତ୍ନଭଣ୍ଡାର ଭିତରେ ରହସ୍ୟମୟୀ ରାସ୍ତା, ସାକ୍ଷୀ ରହିଛି ରାଜମୁକୁଟ ! ୧୯୮୪ରେ ଘଟିଥିଲା କଣ

205

କନକ ବ୍ୟୁରୋ : ରତ୍ନଭଣ୍ଡାରରେ କଣ ଅଛି । ମହାପ୍ରଭୁଙ୍କର କେତେ ଅଳଙ୍କାର ରହିଛି ରତ୍ନଭଣ୍ଡାରରେ । ଭିତରେ ଭଣ୍ଡାର ଘରେ ସାପ ଅଛନ୍ତି କି ନାହିଁ । ଏହା ଭିତରେ କୌଣସି ଅଲୌକିକ ଘଟଣା ଦେଖିବାକୁ ମିଳେ ନା ନାହିଁ । ରତ୍ନଭଣ୍ଡାରକୁ ନେଇ ଏମିତି ଅନେକ ପ୍ରଶ୍ନର ଉତ୍ତର ସାଧାରଣ ଲୋକ ଜାଣିବାକୁ ଉକ୍ରଣ୍ଠାର ସହ ଚାହିଁ ବସିଛନ୍ତି । ଏସବୁ ଭିତରେ ରତ୍ନଭଣ୍ଡାରର ରହସ୍ୟ ଖୋଲିଛନ୍ତି ଶ୍ରୀମନ୍ଦିରର ପୂର୍ବତନ ସହକାରୀ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର । ୧୯୮୪ ମସିହାରେ ରତ୍ନଭଣ୍ଡାର ଖୋଲାଯିବା ବେଳେ ଭିତରକୁ ଯାଇ ପ୍ରତ୍ୟେକ୍ଷ ଅଭିଜ୍ଞତା ହାସଲ କରିଥିବା ରବୀନ୍ଦ୍ର ନାରାୟଣ ମିଶ୍ର କନକ ନ୍ୟୁଜରେ ଏମିତି କିଛି କଥା କହିଛନ୍ତି ଯାହା ଜଗନ୍ନାଥ ପ୍ରେମୀଙ୍କ ଉକ୍ରଣ୍ଠାକୁ ଦ୍ୱିଗୁଣିତ କରିବ ।

ମହାପ୍ରଭୁ ଜଗନ୍ନାଥଙ୍କ ଅଳଙ୍କାର ମରାମତି ପାଇଁ ସୁନା ଆବଶ୍ୟକ ପଡିବାରୁ ୧୯୮୪ ମସିହାରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା । ଏହି ସମୟରେ ୪ ଜଣିଆ ଟିମର ନେତୃତ୍ୱ ନେଇ ଭିତର ଭଣ୍ଡାର ଗୃହକୁ ଯାଇଥିଲେ ରବୀନ୍ଦ୍ର ନାରାୟଣ ମିଶ୍ର । ଆଉ ଭିତର ରତ୍ନଭଣ୍ଡାରରେ ସେ ଯାହା ଦେଖିଥିଲେ ତାହା ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ । ତାଙ୍କ କହିବା ଅନୁଯାୟୀ, ସାଧାରଣତଃ ଗୋଟିଏ ଘର ଅନେକ ଦିନ ବନ୍ଦ ରହିବା ପରେ ଏଥିରେ ଅଳନ୍ଦୁ ଦେଖା ଯାଇଥାଏ ଓ ପୋକ ଜୋକ ରହିଥାନ୍ତି । କିନ୍ତୁ ରତ୍ନଭଣ୍ଡାର ଅନେକ ଦିନ ଧରି ବନ୍ଦ ରହିବା ସତ୍ତେ୍ୱ ମଧ୍ୟ ଏଥିରେ ଗୋଟିଏ ବି ପୋକ ଜୋକ ଦେଖିବାକୁ ମିଳିନଥିଲା ଯାହା ତାଙ୍କୁ ଆଶ୍ଚଯ୍ୟ କରିଥିଲା ।

ଏହାଛଡା ଆଉ ଏକ ଘଟଣା ମଧ୍ୟ ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଭିତର ରତ୍ନଭଣ୍ଡାରର ପୂର୍ବ ଓ ପଶ୍ଚିମ କାନ୍ଥରେ ଦୁଇଟି ଫାଙ୍କ ରହିଛି । ସେହି ଫାଙ୍କ ଦେଇ ଜଣେ ସହଜରେ ଯିବା ଆସିବା କରିପାରିବ । ତେଣୁ ରତ୍ନଭଣ୍ଡାରରେ ସର୍ପ ଥିବା କଥା ନେଇ ଯେଉଁ ଲୋକକଥା ରହିଛି ତାହା ସତ ହୋଇଥାଇପାରେ । କାରଣ ଯେଉଁଭଳି ଭାବେ ପୂର୍ବ ଓ ପଶ୍ଚିମ କାନ୍ଥରେ ଫାଙ୍କ ରହିଛି ତାହା ଦେଖିଲେ କୌଣସି ଜୀବଜନ୍ତୁଙ୍କ ଯିବା ଆସିବା ପାଇଁ ସୁବିଧା କରାଯାଇଥିଲା ବୋଲି ସେ କହିଛନ୍ତି । ଏହାବାଦ୍ ପୂର୍ବରୁ ଯେହେତୁ ସାପଙ୍କୁ ମହାପ୍ରସାଦ ଦିଆଯାଉଥିଲା ତେଣୁ ରତ୍ନଭଣ୍ଡାରରେ ସର୍ପ ଥିବା କଥାକୁ ସେ ଅସ୍ୱୀକାର କରିନାହାନ୍ତି । କିନ୍ତୁ ସେ ରତ୍ନଭଣ୍ଡାର ଭିତରେ ପ୍ରବେଶ କରିଥିଲେ ମଧ୍ୟ କୌଣସି ସାପ ଦେଖି ନଥିବା କହିଛନ୍ତି । ଯାହା ରତ୍ନଭଣ୍ଡାରର ରହସ୍ୟକୁ ଆହୁରି ବଢାଇଦେଇଛି ।

ରତ୍ନଭଣ୍ଡାରରେ କେତେ ପରିମାଣରେ ଅଳଙ୍କାର ରହିଛି ତାହା ଉପରୁ ପରଦା ଉଠାଇଛନ୍ତି ରବୀନ୍ଦ୍ର ନାରାୟଣ ମିଶ୍ର । ରତ୍ନଭଣ୍ଡାରରେ ବିଭିନ୍ନ ଦୁମୂଲ୍ୟ ରତ୍ନ, ସୁନା, ହୀରା, ମୋତି,ମାଣିକ ରହିଥିବା ସେ କହିଛନ୍ତି ।ଏହାସହ ୧୯୦୫ ମସିହାରେ ମହାପ୍ରଭୁଙ୍କ ରଘୁନାଥ ବେଶ ସମୟରେ ରାମ ଓ ଲକ୍ଷ୍ମଣଙ୍କର ୨ଟି ଚିତା ଓ ଚାରୋଟି କୁଣ୍ଡଳ ଲାଗିଥିଲା । ଏହାପରେ ଏହି ଅଳଙ୍କାରକୁ ରତ୍ନଭଣ୍ଡାରରେ ରଖାଯାଇଛି । ତେଣୁ ଏଭଳି ଅଳଙ୍କାର ଦେଖିବାକୁ ମଧ୍ୟ ଲୋକମାନଙ୍କର ଉକ୍ରଣ୍ଠା ରହିଛି । ଏହାଛଡା ରତ୍ନଭଣ୍ଡାରର ବୈଶିଷ୍ଟ ହେଉଛି ଏହା ଭିତରେ ଅନେକ ରାଜାଙ୍କର ମୁକୁଟ ରହିଛି । ଗଜପତି ମହାରାଜା ଯେଉଁ ରାଜାଙ୍କୁ ହରାଉଥିଲେ ସେହି ରାଜ୍ୟର ରାଜା ମାନେ ଆତ୍ମସର୍ମପଣ କରିବା ସହ ମୁକୁଟ ଦେଉଥିଲେ । ଯାହାକୁ ଗଜପତି ମହାରାଜା ରତ୍ନଭଣ୍ଡାରରେ ଆଣି ରଖି ଦେଉଥିଲେ । ତେବେ କେତୋଟି ମୁକୁଟ ରତ୍ନଭଣ୍ଡାରେ ରହିଛି ତାହା ସେ ଠିକ୍ ଭାବେ ମନେପକାଇ ପାରୁନଥିଲେ ମଧ୍ୟ ୧୯୭୮ ମସିହାରେ ଛପାଯାଇଥିବା ତାଲିକାରେ କେତୋଟି ରାଜମୁକଟ ରହିଛି ତାହା ଉଲ୍ଲେଖ କରାଯାଇଛି ବୋଲି ସେ କହିଛନ୍ତି ।