ରତ୍ନଭଣ୍ଡାର ଭିତରେ ‘ମଶାଲ’ ରହସ୍ୟ ! ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଲୌକିକ କାହାଣୀ

110

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ରହସ୍ୟକୁ ନେଇ ବିଭିନ୍ନ ସମୟରେ ନାନା କଥା ଶୁଣିବାକୁ ମିଳିଥାଏ । ଏପରିକି ରତ୍ନଭଣ୍ଡାରକୁ ନେଇ ଅନେକ କାଳ୍ପନିକ ଓ ଅଲୌକିକ କାହାଣୀ ଶୁଣିବାକୁ ମିଳିଥାଏ । ରତ୍ନଭଣ୍ଡାରର ତୃତୀୟ ଓ ଚତୁର୍ଥ ଘରେ ହିଁ ସୁନା,ରୂପା, ମୋତି,ମାଣିକ ଓ ମୂଲ୍ୟବାନ ଅଳଙ୍କାର ରହିଛି ବୋଲି ଲୋକଙ୍କ ମତ । ଏପର୍ଯ୍ୟନ୍ତ ରତ୍ନ ଭଣ୍ଡାରର ତୃତୀୟ ଓ ଚତୁର୍ଥ ଘର ଖୋଲା ଯାଇ ନାହିଁ । କି ଏହାକୁ ଖୋଲିବାକୁ କେହି ସାହସ ମଧ୍ୟ କରନ୍ତି ନାହିଁ । ଲୋକକଥା ଅନୁଯାୟୀ ଏହି ଭଣ୍ଡାରଙ୍କୁ ଲୋକନାଥଙ୍କ ଚଳନ୍ତି ପ୍ରତିମା ଜଗି ରହିଛନ୍ତି । ଏହାସହ ଏହି ଭଣ୍ଡାର ଘରୁ ସାପଙ୍କର ଭୟଙ୍କର ସଁ ସଁ ଶବ୍ଦ ଶୁଣିବାକୁ ମିଳେ ବୋଲି ଲୋକକଥା ରହିଛି ।

ତେବେ ଏସବୁ ଭିତରେ ରତ୍ନଭଣ୍ଡାରକୁ ନେଇ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏପରି ଏକ ଲୋକକଥା କହିଛନ୍ତି ଯାହା ରତ୍ନଭଣ୍ଡାରକୁ ଆହୁରି ରହସ୍ୟ ଘେର ଭିତରକୁ ଟାଣି ନେଇଛି । ଲୋକକଥା ଅନୁଯାୟୀ, ରତ୍ନଭଣ୍ଡାରେ କଣ ରହିଛି ତାହା ଜାଣିବା ପାଇଁ କିଛି ସେବାୟତ ଜଣେ ବ୍ୟକ୍ତିଙ୍କୁ ଭାର ଦୋଳିରେ ବସାଇ ଭଣ୍ଡାର ଭିତରକୁ ପଠାଇଥିଲେ । ଦଉଡି ଯୋଗେ ବ୍ୟକ୍ତି ଜଣକ ମସାଲ ଧରି ରତ୍ନ ଭଣ୍ଡାରକୁ ଗଲେ । କିନ୍ତୁ ବ୍ୟକ୍ତି ଜଣଙ୍କ ଭଣ୍ଡାର ଭିତରକୁ ଯିବା ପରେ ଧିରେ ଧିରେ ବାହାରେ ଦଉଡି ଭାର ଧରିଥିବା ସେବାୟତ ହାଲୁକା ଅନୁଭବ କଲେ । ଯେପରି ଦୋଳିରେ କେହି ନଥିଲେ । ଫଳରେ ଭିତର ଦୋଳିିକୁ ବାହାରକୁ ଟାଣିବା ପରେ ସେବାୟତ ମାନେ ଯାହା ଦେଖିଥିଲେ ତାହା ଆଶ୍ଚର୍ଯ୍ୟଜନକ ଥିଲା । ରତ୍ନ ଭଣ୍ଡାରକୁ ଯାଇଥିବା ସେବାୟତ ଭାର ଦୋଳିରେ ନଥିଲେ ଏବଂ ମସାଲ ଲିଭି ଯାଇଥିଲା । ଏପରିକି ଦୋଳି ଉପରେ ଏକ ପାରାର ମୃତ ଦେହ ପଡିଥିଲା । କିନ୍ତୁ ରତ୍ନ ଭଣ୍ଡାରକୁ ଯାଇଥିବା ସେବାୟତଙ୍କ ପତ୍ତା ମିଳି ନଥିଲା । ଆଉ ଏହି ଲୋକକଥା ରତ୍ନଭଣ୍ଡାରକୁ ଆହୁରି ରହସ୍ୟାବୃତ୍ତ କରିଥିଲା ।

ରତ୍ନଭଣ୍ଡାରରେ ପ୍ରକୃତରେ କେତେ ପରିମାଣର ଅଳଙ୍କାର ରହିଛି । ଏହାକୁ ମୂଲ୍ୟାୟନ କରିବା ପାଇଁ ଅନେକ ସମୟରେ ଚେଷ୍ଟା କରାଯାଇଛି । କିନ୍ତୁ ଏଥିରେ କେହି ମଧ୍ୟ ସଫଳ ହୋଇନାହାନ୍ତି । ପ୍ରକୃତରେ ରତ୍ନଭଣ୍ଡାରରେ କେତେ ପରିମାଣର ଅଳଙ୍କାର ରହିଛି ତାହାର କାହା ପାଖରେ ମଧ୍ୟ ନାହିଁ । କିନ୍ତୁ କିଛି ଗବେଷକଙ୍କ କହିବା ଅନୁଯାୟୀ ରତ୍ନଭଣ୍ଡାରରେ କେତେ ପରିମାଣର ଅଳଙ୍କାର ରହିଛି ତାହା ଜାଣିବା ପାଇଁ ଇଂରେଜ ଅମଳରେ ଜଣେ ଜିଲ୍ଲାପାଳ ରତ୍ନ ଭଣ୍ଡାର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରତ୍ନ ଭଣ୍ଡାର ଖୋଲିବା ଉଦ୍ୟମ ଆରମ୍ଭ ହେଲାପରେ ସମ୍ପୃକ୍ତ ଜିଲ୍ଳାପାଳଙ୍କ ପୁଅ କମ ବୟସରେ ମୃତ୍ୟୁ ବରଣ କରିଥିଲେ । ଏପରିକି ଜିଲ୍ଲାପାଳ ଜଣକ ରାତିରେ ଭୟଙ୍କର ସ୍ୱପ୍ନ ଦେଖିଥିଲେ । ଜିଲ୍ଲାପାଳଙ୍କୁ ବହୁ ବିପଦ ମାଡି ଆସିଲା । ଫଳରେ ରତ୍ନଭଣ୍ଡାରର ରହସ୍ୟ ଜାଣିବା ନିଷ୍ପତ୍ତିରୁ ଓହରି ଯାଇଥିଲେ ଜିଲ୍ଲାପାଳ । ତେବେ ଏହି ଲୋକକଥାରେ କେତେ ସତ୍ୟତା ରହିଛି ତାହା ଯେବେ ରତ୍ନଭଣ୍ଡାର ଖୋଲିବ ସେବେ ଜଣାପଡିବ ।