କାଲି ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ରହସ୍ୟ ! ରତ୍ନଭଣ୍ଡାରରେ ଅଛି କେତେ ସୁନା ଅଳଙ୍କାର , କନକ ନ୍ୟୁଜ ହାତରେ ୪୦ ବର୍ଷର ତଳର ରତ୍ନଖଚିତ ଅଳଙ୍କାରର ତାଲିକା

97

କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଉକ୍ରଣ୍ଠା ବଢିବାରେ ଲାଗିଛି । ଆସନ୍ତାକାଲି ଜଣାପଡିପାରେ ରହସ୍ୟମୟ ରତ୍ନଭଣ୍ଡାରର ବର୍ତମାନର ସ୍ଥିତି । ବର୍ଷ ବର୍ଷ ଧରି ବନ୍ଦ ପଡିଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଂଚ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି ତନାଘନା । ଶ୍ରୀମନ୍ଦିର ରତ୍ନଭଣ୍ଡାର ଫିଟିବା ନେଇ ସମୟ ଯେତିକି ପାଖେଇ ଆସୁଛି ବିଭି୍ନ୍ନ ମହଲରୁ ଉଦ୍ବେଗ ଓ ଉକ୍ରଣ୍ଠା ସେତିକି ବଢିବାରେ ଲାଗିଛି । ଏହା ସହ ଅଧିକ ରହସ୍ୟମୟ ହୋଇଉଠୁଛି ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର । ରତ୍ନଭଣ୍ଡାରର ଖୋଲିବା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ବିଭିନ୍ନପ୍ରକାର ପ୍ରଶ୍ନ ଆନ୍ଦୋଳିତ କରୁଛି ।

ଏସବୁ ଭିତରେ କନକ ନ୍ୟୁଜ ହାତରେ ଲାଗିଛି ରତ୍ନଭଣ୍ଡାରରେ ଗଚ୍ଛିତ ସୁନା, ରୂପା ଓ ରତ୍ନଖଚିତ ଅଳଙ୍କାରର ଏକ ିତାଲିକା । ଯାହା ୧୯୭୮ ମସିହାରେ ପ୍ରସ୍ତୁତ କରିଥିଲେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି । ୧୯୭୮ ମସିହା ମେ’ ମାସରୁ ଜୁଲାଇ ମାସ ମଧ୍ୟରେ ଅଳଙ୍କାରଗୁଡିକୁ ଗଣନା କରାଯାଇ ହିସାବ କରାଯାଇଛି । ଏହି ତାଲିକା ଅନୁସାରେ ବାହାର ଭଣ୍ଡାରରେ ୭୯ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ରହିଛି । ଯାହାର ଓଜନ ପାଖାପାଖି ୯୫ କେଜି ବୋଲି ଦର୍ଶାଯାଇଛି । ଏହା ସହ ରହିଛି ପ୍ରାୟ ୫୫ କେଜି ଓଜନର ରୁପା ସାମଗ୍ରୀ । ସେହିପରି ଚଳନ୍ତି ଭଣ୍ଡାରରେ ରହିଛି ପାଖାପାଖି ସାଢ଼େ ୩ କେଜି ସୁନା ଅଳଙ୍କାର । ଚଳନ୍ତି ଭଣ୍ଡାରରୁ ଶ୍ରୀଜୀଉଙ୍କ ରୀତିନୀତି ପାଇଁ ବ୍ୟବହାର କରାଯାଏ । ସେହିପରି ଜଗନ୍ନାଥଙ୍କ ସୁନା ବେଶ ସମୟରେ ବାହାର ଭଣ୍ଡାର ଘରୁ ଯାଇଥାଏ ଅଳଙ୍କାର ।

ତେବେ ସବୁଠାରୁ ରହସ୍ୟ ଘେରରେ ରହିଛି ଭିତର ଭଣ୍ଡାର । ପ୍ରାୟ ୫୦ କେଜି ଓଜନର ୩୬୭ ପ୍ରକାର ସୁନା ଅଳଙ୍କାର ତାଲିକା ଭୁକ୍ତ କରାଯାଇଛି ।ସବୁଠାରୁ ଅଧିକ ରହସ୍ୟ ଭିତର ଭଣ୍ଡାରକୁ ନେଇ । ଭିତର ଭଣ୍ଡାରରେ କେତୋଟି ଗୃହ ରହିଛି, ଏ ନେଇ ମଧ୍ୟ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । କୁହାଯାଉଛି, ଭିତର ଭଣ୍ଡାରର ସମସ୍ତ ଗୃହ ଏପର୍ଯ୍ୟନ୍ତ ଖୋଲିବାକୁ କେହି ସାହସ କରିନାହାନ୍ତି ।

ଐତିହ୍ୟ ବିଶାରଦ ସୁରେନ୍ଦ୍ର ମିଶ୍ର କୁହନ୍ତି ୫୯୮ ପ୍ରକାର ଅଳଙ୍କାର ରହିଛି ଭିତର ଭଣ୍ଡାରରେ । ସୁନା, ରୂପା ଠାରୁ ଆରମ୍ଭ କରି ହୀରା, ଲୀଳା, ମୋତି, ମାଣିକ୍ୟ, ବୈଦୁୁର୍ଯ୍ୟ ଆଦି ଦୁର୍ଲଭ ରତ୍ନ ଗଚ୍ଛିତ ରହିଛି ଭିତର ଭଣ୍ଡାର ଘରେ । ରୂପା ବାକ୍ସରେ ଅତି ଯତ୍ନରେ ସାଇତା ହୋଇଛି ଏହି ସବୁ ସଂପତି । ପୁରୀ ଗଜପତି ମହାରାଜାଙ୍କ ଠାରୁ ଯେଉଁ ରାଜା ଯୁଦ୍ଧରେ ହାରୁଥିଲେ ଗଜପତିଙ୍କ ନିକଟରେ ନିଜ କିରିଟି ଅର୍ପଣ କରୁଥିଲେ । ଯୁଦ୍ଧରେ ହାରିଥିବା ୩୪ ଜଣ ରାଜାଙ୍କ କିରିଟି ରହିଛି ଭିତର ଭଣ୍ଡାରରେ ।

କୁହାଯାଏ, ରତ୍ନଭଣ୍ଡାରର ଉଚ୍ଚତା କମ୍ । ଆଉ ଭିତର ଥାଏ ଘନ ଅନ୍ଧକାରମୟ । ଏହା ହିଁ ଅଧିକ ରହସ୍ୟ କରିଦେଇଥାଏ ପୂରା ରତ୍ନଭଣ୍ଡାରକୁ । ଶୁଣିବାକୁ ମିଳେ ତୃତୀୟ ଓ ଚତୁର୍ଥ ଭଣ୍ଡାର ଖୋଲିବାକୁ ଇଂରେଜ ଶାସନ ଅମଳରେ ଜଣେ ଜିଲ୍ଲାପାଳ ଉଦ୍ୟମ କରିଥିଲେ । ହେଲେ ମହାବିପଦ ମାଡିଆସିବାରୁ ଏଥିରେ ସେ ନିବୃତ ରହିଥିଲେ । ଐତିହ୍ୟ ବିଶାରଦ ସୁରେନ୍ଦ୍ର ମିଶ୍ରଙ୍କ କହିବା ଅନୁଯାୟୀ, ଇଂରେଜ ଶାସନ ସମୟରେ ଯେଉଁ ଜିଲ୍ଲାପାଳ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲେ ତାଙ୍କର ପୁଅ ଖୁବ କମ ବୟସରେ ପ୍ରାଣ ହରାଇଥିଲେ । ଏହାସହ ରାତିରେ ସେ ମଧ୍ୟ ଅଜବ ଅଜବ ସ୍ୱପ୍ନ ଦେଖୁଥିଲେ ।ଶେଷରେ ଅଧିକ ଅଘଟଣ ଆଶଙ୍କା କରି ରତ୍ନଭଣ୍ଡାର ଖୋଲିବା ନିଷ୍ପତିକୁ ପ୍ରତ୍ୟାହାର କରିନେଇଥିଲେ ଜିଲ୍ଲାପାଳ ।

ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ଶ୍ରୀଲୋକନାଥଙ୍କ ଚଳନ୍ତି ପ୍ରତିମା ଜଗିଥାନ୍ତି ବୋଲି ଲୋକକଥା ରହିଛି । କୁହାଯାଏ, ଯେଉଁ ସମୟରେ ବହୁ ଦ୍ୱାର ବିଶିଷ୍ଟ ଭିତର ଭଣ୍ଡାରକୁ ଖୋଲିବାକୁ ଉଦ୍ୟମ ହୋଇଛ ବହୁ ବାଧାବିଘ୍ନ ଘଟିଛି । ଅବଶ୍ୟ ଏହାର କିଛି ପ୍ରମାଣ ଲିପିବଦ୍ଧ ହୋଇନାହିଁ । ଅନେକ ପ୍ରକାର ଲୋକକଥା ଓ ପିଢ଼ି ପରେ ପିଢ଼ି ରହିଥିବା ବିଶ୍ୱାସ ରତ୍ନଭଣ୍ଡାରକୁ ଅଧିକ ରହସ୍ୟମୟ କରିଦେଇଛି ।