ସୈତାନ ସାଜିଛି ସାଇକୋ କିଲର ! ରାତି ହେଲେ ଥରୁଛି ସିଲଭର ସିଟି, ୩ଟି ହତ୍ୟାପରେ ବି ପତ୍ତା ପାଉନି ପୋଲିସ୍ ।

189

କନକ ବ୍ୟୁରୋ: କିଏ ସେହି ସଇତାନ ସାଇକୋ କିଲର? କାହିଁକି ରାତ୍ରିଚର ପିଶାଚ ହୋଇ ନେଉଛି ଜୀବନ? ଆଉ ରାତିର ଘନ ଅନ୍ଧାରରେ ଲୁଚି ଲୁଚି ଆସୁଛି, ହତ୍ୟା କରି ଚାଲିଯାଉଛି । କଟକରେ ୩-୩ଟି ହତ୍ୟାକାଣ୍ଡ ପରେ ସହର ସାରା ଖେଳି ଯାଇଛି ଆତଙ୍କର ମାହୋଲ । ଆଉ ଏହି ସାଇକୋ କିଲରର ଟାର୍ଗେଟ୍ରେ ରହୁଛନ୍ତି, ନିରାଶ୍ରମ ଓ ଦିନ ମଜୁରିଆ । ଏଭଳି ସ୍ଥିତିରେ କେମିତି କଟୁଛି ନିରାଶ୍ରୟଙ୍କ ଜୀବନ । ସ୍ଥିତି ପରଖିବା ପାଇଁ କଟକ ଓ ଭୁବନେଶ୍ୱରର କିଛି ସେଲଟର୍ ହୋମ୍ ବୁଲି ଦେଖିଥିଲା କନକ ନ୍ୟୁଜର କ୍ୟାମେରା ଟିମ୍ ।

ସାଇକୋ କିଲରର ଭୟ ଓ ପୁଲିସର ପହରା ଭିତରେ ମଝି ରାତିର ଅନ୍ଧକାରରେ ଆମ ଟିମ୍ ପହଁଚିଥିଲା ଖାନନଗର ଅଂଚଳରେ ଥିବା ଆଶ୍ରୟସ୍ଥଳିରେ । ଉଦ୍ଦେଶ୍ୟ ଥିଲା, ସାଇକୋ କିଲରର ଆତଙ୍କ ଭିତରେ ଆଶ୍ରୟ ସ୍ଥଳିରେ କେମିତି ରହୁଛନ୍ତି ନିରାଶ୍ରୟ ଲୋକ । ସେଠାରେ ପହଂଚି ଦେଖିଲା ବେଳକୁ ୧୦ଟି ବେଡ୍ରୁ ୫ଟି ଖାଲି । କିଛି ଲୋକ ସାଇକୋ କିଲର୍ ସଂପର୍କରେ ଜାଣିଛନ୍ତି ଆଉ କିଛି ଏବେ ବି ଅଜଣା ।

ଏପରେ ପରେ ଆମେ ପହଂଚିଥିଲୁ, ଶିଶୁଭବନ ଏବଂ ସତିଚୌରା ଅଂଚଳରେ ଥିବା ଆଶ୍ରୟସ୍ଥଳରେ । ଆମେ ପହଂଚିଲା ବେଳକୁ ଅନ୍ତେବାସୀମାନେ ବିଶ୍ରାମ ନେଉଥିଲେ । ହେଲେ ସାଇକୋ କିଲରର ଭୟ ସେମାନଙ୍କ ମନରେ ଥିଲା । ଅନ୍ୟପଟେ ଆଶ୍ରୟସ୍ଥଳୀ ଦାୟିତ୍ୱରେ ଥିବା କର୍ମଚାରୀ କହିଥିଲେ, ବାହାରେ ରହୁଥିବା ଲୋକଙ୍କୁ ଆମେ ବୁଝାସୁଖା କରି ଆଣିବାକୁ ଚେଷ୍ଟା କରୁଛୁ । ଠିକ୍ କଟକ ଭଳି ଭୁବନେଶ୍ୱରର କିଛି ଆଶ୍ରୟସ୍ଥଳୀରେ ପହଂଚିଥିଲେ ଆମ ପ୍ରତିନିଧି । ତେବେ କଟକ ଅପେକ୍ଷା ଭୁବନେଶ୍ୱର ଆଶ୍ରୟସ୍ଥଳୀ ଗୁଡ଼ିକରେ ନିରାଶ୍ରୟଙ୍କ ଭିଡ଼ ଦେଖିବାକୁ ମିଳୁଛି । କିନ୍ତୁ ନିରାଶ୍ରୟଙ୍କ ସଂଖ୍ୟା ତୁଳନାରେ ଆଶ୍ରୟସ୍ଥଳୀ କମ୍ ପଡୁଥିବା କହିଛନ୍ତି କର୍ତୃପକ୍ଷ ।

ଭୁବନେଶ୍ୱରରେ ପ୍ରାୟ ୧୫ଶହ ଲୋକ ଯାଯାବର ଜୀବନ କାଟୁଛନ୍ତି, ହେଲେ ସେହି ଅନୁପାତରେ ଭୁବନେଶ୍ୱରରେ ରାତ୍ରୀଯାପନ ପାଇଁ ଆଶ୍ରୟସ୍ଥଳୀ ନାହିଁ । ତେବେ କଟକର କଥାକଥିତ ସାଇକୋ କିଲର୍ ଘଟଣା, ପୁଲିସ୍ ପାଇଁ ଯେତିକି ବଡ ଚ୍ୟାଲେଂଜ ପାଲଟିଛି, ବାହାରେ ରାତ୍ରୀଯାପନ କରୁଥିବା ଲୋକଙ୍କ ପାଇଁ ଯେତିକି ବଡ ସମସ୍ୟା ସୃଷ୍ଟି କରଛି । ତେବେ କଟକରେ କୁହାଯାଉଛି ଏହି ସବୁ ହତ୍ୟାକାଣ୍ଡ ପଛରେ ରହିଛି ଜଣେ ସାଇକୋ କିଲରର ହାତ ।