କାହିଁକି ଜଷ୍ଟିସ ଲୋୟା ମାମଲାକୁ ନେଇ ଦେଶରେ ହେଉଛି ତୁମ୍ବିତୋଫାନ! ଏହା ପଛର କାରଣ ଜାଣିଛନ୍ତି କି ?

65

କନକ ବ୍ୟୁରୋ : କାହିଁକି ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ମାମଲାକୁ ନେଇ ଦେଶରେ ଏତେବଡ ତୁମ୍ବିତୋଫାନ ଏବଂ କାହିଁକି ରାଜନୈତିକ ଦଳ ଏହି ମାମଲାକୁ ନେଇ ଏତେ ପ୍ରତିକିୟାଶୀଳ । ଦେଶର ସର୍ବୋଚ୍ଚ ନ୍ୟାୟିକ ଅନୁଷ୍ଠାନକୁ ନେଇ କାହିଁକି ଆଜି ରାଜନୀତି ହେଉଛି, କଣ ପାଇଁ ଦେଶର ପ୍ରଧାନବିଚାରପତିଙ୍କ ନାଁରେ ମହାଅଭିଯୋଗ ପ୍ରସ୍ତାବ ପାଇଁ ନୋଟିସ ଦିଆଯାଉଛି । ଏହା ପଛର କାରଣ ବହୁତ ଲମ୍ବା ।

ତାରିଖ- ଜାନୁଆରୀ ୧୮, ୨୦୧୮ । ସୁପ୍ରିମକୋର୍ଟର ୪ ବରିଷ୍ଠ ବିଚାରପତିଙ୍କ ସାମ୍ବାଦିକ ସମ୍ମିଳନୀ । ସ୍ୱତନ୍ତ୍ର ସିବିଆଇ କୋର୍ଟର ବିଚାରପତି ଜଷ୍ଟିସ ବିଏଚ୍ ଲୋୟାଙ୍କ ମୃତ୍ୟୁକୁ ନେଇ ବିବାଦ ସେତିକିବେଳେ ଘନେଇଲା ଯେତେବେଳେ ଦେଶ ଇତିହାସରେ ପ୍ରଥମଥର ସର୍ବୋଚ୍ଚ ନ୍ୟାୟାଳୟର ୪ଜଣ ବରିଷ୍ଠ ବିଚାରପତି ସମ୍ବାଦିକ ସମ୍ମିଳନୀ କଲେ । ଆଉ ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ମାମଲାର ଶୁଣାଣି ଜଣେ ଜୁନିୟର ଜଜ୍ ଜଷ୍ଟିସ ଅରୁଣ ମିଶ୍ରଙ୍କ ବେଂଚରେ କାହିଁକି ହେଉଛି ବୋଲି ପ୍ରଶ୍ନ ଉଠାଇଲେ । ଏପରିକି ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତିଙ୍କ ବେଂଚକୁ ନଦେଇ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ନିଜ ଇଚ୍ଛାରେ ମାମଲା ଆବଂଟନ କରୁଥିବାର ସାଂଘାତିକ ଅଭିଯୋଗ ଆଣିଲେ ।

ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ମାମଲା ଏଇଥିପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ ଶୋହରାବୁଦ୍ଦିନ ମିଥ୍ୟା ଗୁଳିକାଣ୍ଡ ମାମଲାର ଶୁଣାଣି ସେ ହିଁ କରୁଥିଲେ । ଯେଉଁ ମାମଲାରେ ଅଭିଯୁକ୍ତ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଜଣେ ସହକର୍ମୀଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇ ରହସ୍ୟଜନକ ଭାବେ ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ହୋଇଥିଲା । ୨୦୧୪ ନଭେମ୍ବର ୩୦ ତାରିଖରେ ଜଣେ ସହକର୍ମୀଙ୍କ ଝିଅ ବାହାଘରରେ ଯୋଗ ଦେବାପାଇଁ ନାଗପୁର ଯାଇଥିଲେ ଜଷ୍ଟିସ ବିଏଚ୍ ଲୋୟା । ଷ୍ଟେଟ ଗେଷ୍ଟହାଉସରେ ରାତିରେ ରହିଥିବାବେଳେ ପରଦିନ ଭୋରୁ ଅର୍ଥାତ ଡିସେମ୍ବର ୧ ତାରିଖ ଭୋର ପ୍ରାୟ ୪ଟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ହସ୍ପିଟାଲକୁ ନେବା ପରେ ସକାଳ ପ୍ରାୟ ୬ଟା ୧୫ରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା ।

ହେଲେ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କଲେ ଜଷ୍ଟିସ ଲୋୟାଙ୍କ ପରିବାର । ହୃଦଘାତରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ସାର୍ଟ କଲରରେ ରକ୍ତ କେଉଁଠୁ ଆସିଲା ବୋଲି ପ୍ରଶ୍ନ କଲେ । କିନ୍ତୁ ପରବର୍ତି ସମୟରେ ବୟାନ ବଦଳାଇ ଦେଇଥିବାରୁ ରାଜନୈତିକ ଚାପରେ ଏପରି କରିଥିବା ଅଭିଯୋଗ ମଧ୍ୟ ହେଉଛି । କୁହାଯାଏ ୨୦୧୪ ଅକ୍ଟୋବର ୩୦ରେ ମାମଲାର ଶୁଣାଣିବେଳେ ଅମିତ ଶାହା ନିଜେ କୋର୍ଟରେ ହାଜର ରହିବାକୁ ନିର୍ଦ୍ଦେଶ ଦେବା ସହ ଡିସେମ୍ବର ୧୫କୁ ପରବର୍ତି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ ଜଷ୍ଟିସ ଲୋୟା । ତେବେ ଡିସେମ୍ବର ୧ ତାରିଖରେ ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ପରେ ମାମଲା ଜଷ୍ଟିସ ଏମବି ଗୋସଭିଙ୍କ ବେଂଚକୁ ଚାଲିଗଲା । ଆଉ ଡିସେମ୍ବର ୩୦ ତାରିଖରେ ଜଷ୍ଟିସ ଗୋସଭି, ଶୋହରାବୁଦ୍ଦିନ ମିଥ୍ୟା ଗୁଳିକାଣ୍ଡ ମାମଲାରେ ଅମିତ ଶାହାଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଦେଲେ । ଯେଉଁଥିପାଇଁ ଏହି ପୁରା ପ୍ରକ୍ରିୟା ରହସ୍ୟମୟ ହୋଇପଡିଛି ।