ଶ୍ରୀଜୀଉଙ୍କ ହାତୀବେଶ ପଛରେ କ’ଣ ରହିଛି ରହସ୍ୟ ? ଜାଣନ୍ତୁ…

କାଞ୍ଚି ଅଭିଯାନରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ଧଳା ଓ କଳା ଘୋଡ଼ାରେ ଚଢ଼ି ଯୁଦ୍ଧକ୍ଷେତ୍ରକୁ ଯାଇଥିଲେ ବୋଲି କିଂବଦନ୍ତି ଅଛି ।

207

କାଞ୍ଚି ଅଭିଯାନରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ଧଳା ଓ କଳା ଘୋଡ଼ାରେ ଚଢ଼ି ଯୁଦ୍ଧକ୍ଷେତ୍ରକୁ ଯାଇଥିଲେ ବୋଲି କିଂବଦନ୍ତି ଅଛି । ଶ୍ରୀଜଗନ୍ନାଥ କଳା, ତେଣୁ ତାଙ୍କର ଘୋଡ଼ା ଧଳା । ସେହିପରି ଶ୍ରୀବଳଭଦ୍ର ଧଳା, ତେଣୁ ତାଙ୍କର ଘୋଡ଼ା କଳା । ଏହି ରଙ୍ଗଭେଦ ତାଙ୍କ ରଥର ଘୋଡ଼ାଙ୍କଠାରେ ମଧ୍ୟ ଦେଖିବାକୁ ମିଳେ । ସେହିପରି ସ୍ନାନବେଦୀରେ ଏ ଦୁଇ ଠାକୁର ହେଉଥିବା ହାତୀବେଶ ମଧ୍ୟ ସେହିପରି ଧଳା ଓ କଳା । ଶ୍ରୀଜଗନ୍ନାଥଙ୍କ ବେଶ ଧଳାହାତୀ ଓ ଶ୍ରୀବଳଭଦ୍ରଙ୍କ ବେଶ କଳାହାତୀ । କିନ୍ତୁ ଏହା ହାତୀବେଶ ନୁହେଁ- ହାତୀମୁହଁ ବେଶ ବୋଲି ଅନେକେ ଯୁକ୍ତି କରନ୍ତି । ସେମାନେ କହନ୍ତି, ଏହା “ଗଜାନନ’ ବେଶ । ଶ୍ରୀଗଣେଶ ଯେହେତୁ ହାତୀମୁଖ, ତେଣୁ ଏହା ହାତୀବେଶ ନୁହେଁ, ଗଣେଶ ବେଶ ।

ସ୍ନାନବେଦୀରେ ଏହି ହାତୀ ବେଶ ହେବା ପଛରେ ଗୋଟିଏ କିଂବଦନ୍ତି ଅଛି । ତା’ର କାହାଣୀ ଭକ୍ତକବି ରାମ ଦାସ ତାଙ୍କ “ଦାର୍ଢ଼୍ୟତାଭକ୍ତି ରସାମୃତ’ ଗ୍ରନ୍ଥରେ ଲେଖିଛନ୍ତି । ଜଗନ୍ନାଥ ଦାସଙ୍କ ଭାଗବତ ପରି ଏହା ସରଳ, ନବାକ୍ଷରୀ ପଦ୍ୟରେ ଲେଖା । ଏହାର ଦୁଇଟି ଭାଗ । ଏ ଦୁଇ ଭାଗରେ ଅଛି ମୋଟ ୫୫ଟି “ସମ୍ବାଦ’ ବା ଉପାଖ୍ୟାନ । ପ୍ରଥମ ଭାଗର ତ୍ରୟୋବିଂଶ (୨୩) “ସମ୍ବାଦ’ରେ “ଗଣପତି ଭଟ୍ଟ’ କାହାଣୀ ରହିଛି ।
ଗଣପତି ଭଟ୍ଟଙ୍କ ଘର କର୍ଣ୍ଣାଟକ । ତାଙ୍କର ଜନ୍ମ ଏକ ବ୍ରାହ୍ମଣ ପରିବାରରେ ଏବଂ ସେ ଗଣପତି(ଗଣେଶ)ଙ୍କର ଭକ୍ତ । ତାଙ୍କର ବିଶ୍ୱାସ ଥିଲା, କେବଳ ଗଣପତି ହିଁ ବ୍ରହ୍ମ ।

ଦିନେ ଗଣପତି ଭଟ୍ଟ “ବ୍ରହ୍ମପୁରାଣ’ରୁ ପଢ଼ିଲେ, ସ୍ୱୟଂ ବ୍ରହ୍ମ ସ୍ଥୂଳ (ଦାରୁ) ରୂପ ଧରି ନୀଳାଚଳରେ ବିରାଜମାନ ଅଛନ୍ତି । ତେଣୁ ସେ ତାଙ୍କର ଦର୍ଶନ ପାଇଁ ଆସିଲେ । ଯୋଗକୁ ସେଦିନ ସ୍ନାନଯାତ୍ରା ଥିଲା । କିନ୍ତୁ ସ୍ନାନବେଦୀରେ ସେ ଯେଉଁ ଜଗନ୍ନାଥଙ୍କୁ ଦେଖିଲେ, ତାଙ୍କର ଧାରଣା ହେଲା- ଏ ଯେହେତୁ ଗଣେଶରୂପ ନୁହନ୍ତି, ତେଣୁ ଏ ବ୍ରହ୍ମ ନୁହନ୍ତି । ସେ ନିରାଶ ମନରେ ଫେରିଲେ ।

“ଦାର୍ଢ଼୍ୟତା ଭକ୍ତି’ର ବର୍ଣ୍ଣନା ଅନୁସାରେ, ଏହା ଜାଣି ଶ୍ରୀଜଗନ୍ନାଥ ମୁଦିରଥ ସେବକଙ୍କୁ ସ୍ୱପ୍ନାଦେଶ ଦେଇ କହିଲେ- ମୋର ପରମଭକ୍ତ ଗଣପତି ଭଟ୍ଟ ମୋର ଗଣପତି ରୂପର ଦର୍ଶନ ନପାଇ ନିରାଶ ମନରେ ଫେରିଯାଉଛି । ତୁମେ ଯାଇ ତାକୁ କୁହ- ସେ ଆସି ଏକାଗ୍ର ଚିତ୍ତରେ ମୋର ଦର୍ଶନ କରୁ । ମୁଁ ତାକୁ ଗଣପତି ରୂପରେ ଦର୍ଶନ ଦେବି । ତାହା ଶୁଣି, ଗଣପତି ଭଟ୍ଟ ଫେରିଯାଇ ଶ୍ରୀଜଗନ୍ନାଥଙ୍କୁ ଗଣପତି ରୂପରେ ଦର୍ଶନ କଲେ । “ଦାର୍ଢ଼୍ୟତା ଭକ୍ତି’ରେ ବର୍ଣ୍ଣନା ଅଛି-

“ଦେଖିଲା ପ୍ରଭୁ ଭଗବାନ । ହୋଇ ଅଛନ୍ତି ଗଜାନନ ।।
ଲମ୍ବିଅଛଇ ଥୋର ହସ୍ତ । ଶୋଭା ଦିଶଇ ଏକଦନ୍ତ ।।”

ତାହାରି ସ୍ମୃତିରେ ଆଜି ବି ସ୍ନାନବେଦୀରେ ଶ୍ରୀଜଗନ୍ନାଥଙ୍କ ଗଜାନନ ବା ହାତୀବେଶ ହେଉଛି । କିନ୍ତୁ ଏ ବେଶରେ ଶ୍ରୀଜଗନ୍ନାଥ ଏକଦନ୍ତ ନୁହନ୍ତି । ଏହି ଗଣପତି ଭଟ୍ଟ କିଂବଦନ୍ତିର ସମୟ ପ୍ରାୟ ଷୋଡ଼ଶ ଶତାବ୍ଦୀ ବୋଲି ଜଣାଯାଏ । ପ୍ରାଚୀନ ଶାସ୍ତ୍ର, ଗ୍ରନ୍ଥରେ ଏ ବେଶର ବର୍ଣ୍ଣନା ନାହିଁ । ତେଣୁ ସ୍ନାନଯାତ୍ରାରେ ଏହି ହାତୀବେଶ ସପ୍ତଦଶ ଶତାବ୍ଦୀ ବା ତା’ ପରବର୍ତ୍ତୀ ସମୟରୁ ହେଉଛି । ଏହାର ସମୟ ୧୬୨୪ ଖ୍ରୀଷ୍ଟାବ୍ଦ ବୋଲି ସୂଚନା ମିଳେ । କୁହାଯାଏ ଯେ ରଘୁ ଅରକ୍ଷିତ ସଂପ୍ରଦାୟର ଶିଷ୍ୟ ଶ୍ରୀ ମଧୁସୂଦନ ବୈଷ୍ଣବ ଦାସ ଗଣପତି ଭଟ୍ଟ ପ୍ରସଙ୍ଗଦ୍ୱାରା ପ୍ରଭାବିତ ହୋଇ ଏହି ବେଶର ପରିକଳ୍ପନା କରିଥିଲେ ।
କିନ୍ତୁ ଗବେଷକମାନଙ୍କର ମତ ଯେ ଏହି ବେଶ ଆରମ୍ଭ ହେବା ପଛରେ ଏକ ଐତିହାସିକ ଆବଶ୍ୟକତା ଥିଲା । ଶ୍ରୀଜଗନ୍ନାଥଙ୍କ ସହିତ ସେତେବେଳକୁ ହିନ୍ଦୁ ଧର୍ମମତର ପ୍ରାୟ ସବୁ ଧାରା ଯୋଡ଼ି ହୋଇ ସାରିଥିଲେ ମଧ୍ୟ, ମହାରାଷ୍ଟ୍ରର ଗଣପତି ଉପାସକ ଗାଣପତ୍ୟମାନେ ଦୃଢ଼ ଭାବରେ ଯୋଡ଼ି ହୋଇ ନଥିଲେ । ତେଣୁ ଏହି ବେଶଦ୍ୱାରା ସେମାନଙ୍କୁ ଶ୍ରୀଜଗନ୍ନାଥଙ୍କ ସହ ଯୋଡ଼ିଦିଆଗଲା ।
ସୂଚନା ମିଳେ ଯେ ପୂର୍ବରୁ ଏହି ବେଶ ଫୁଲରେ ହେଉଥିଲା । ଏବେ ଜରି, ଜମ୍ବୁରା, ସୋଲ ଆଦିରେ ହେଉଛି । ପୁରୀର ରାଘବ ଦାସ ମଠ ଓ ଗୋପାଳତୀର୍ଥ ମଠ ଏହି ବେଶ ପ୍ରସ୍ତୁତ କରି ଯୋଗାଉଥିଲେ । ଏବେ ଗୋପାଳତୀର୍ଥ ମଠ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ଏହି ବେଶ କରାଇ ଯୋଗାଉଛି ।
ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଶ୍ରୀଜଗନ୍ନାଥଙ୍କୁ ବିଭିନ୍ନ ଭକ୍ତକବି “କାଳିଆ ହାତୀ’, “ବୃଷାଳ ହାତୀ’, “ପ୍ରବଳମତ୍ତ ବାରଣ’ (ପାଗଳା ହାତୀ) ଆଦି କହିଛନ୍ତି । ପହଣ୍ଡି ବିଜେରେ ତାଙ୍କର ଝୁଲିଝୁଲି ଚାଲିବାକୁ ମଧ୍ୟ ହାତୀଚାଲି ସହ ତୁଳନା କରାଯାଇଛି । ତାଙ୍କର ଏକ ଗଜ ଉଦ୍ଧାରଣ ବେଶ ମଧ୍ୟ ରହିଛି । କିନ୍ତୁ ସ୍ନାନବେଦୀରେ ଧଳା ଠାକୁର ବଳଭଦ୍ର କଳାହାତୀ ଓ କଳାଠାକୁର ଜଗନ୍ନାଥ ଧଳାହାତୀ ବେଶ ହୋଇ ଏହାକୁ ଏକ ନୂଆ ରୂପ ଓ ତତ୍ତ୍ୱ ଦେଇଛନ୍ତି ।