ଗରିବ ଲୋକଙ୍କ ବ୍ୟାଙ୍କ ଖାତାରେ ରହସ୍ୟମୟ ଭାବେ ଜମା ହେଉଛି ହଜାର ହଜାର ଟଙ୍କା ! ଖୁସିରେ ଲୋକେ, ଚିନ୍ତାରେ ବ୍ୟାଙ୍କ ।

2,402

କନକ ବ୍ୟୁରୋ : ଯଦି ଆପଣଙ୍କ ବ୍ୟାଙ୍କ ଆକାଉଂଟରେ ଅଚାନକ ଟଙ୍କା ଜମା ହେବାରେ ଲାଗିବ, ସେତେବେଳେ ଆପଣ ନିଶ୍ଚିତ ଭାବେ ଖୁସିରେ ବିଭୋର ହୋଇଯିବେ । ଠିକ୍ ଏପରି ହିଁ କିଛି ଘଟଣା ଏବେ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ଦେଖିବାକୁ ମିଳିଛି । ଯେଉଁଠି ୧୫୦ ରୁ ଅଧିକ ଲୋକଙ୍କ ବ୍ୟାଙ୍କ ଖାତାରେ ୨ ହଜାରରୁ ଆରମ୍ଭ କରି ୨୪ ହଜାର ପର୍ଯ୍ୟନ୍ତ ଟଙ୍କା ଜମା ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ଅଚାନକ ଏହି ଟଙ୍କା ଜମା ହେବା ପଛରେ କାରଣ କଣ ଥାଇପାରେ?

ଗୋଟେ ପଟେ ନିଜ ଆକାଉଣ୍ଟରେ ହଠାତ୍ ଟଙ୍କା ଜମା ହେବା ଦ୍ୱାରା ଗ୍ରାହକ ମାନେ ଖୁସିରେ ବିଭୋର ହେଉଥିବା ବେଳେ ଏପରି ଘଟଣା କିନ୍ତୁ ବ୍ୟାଙ୍କ କର୍ମଚାରୀଙ୍କ ନିଦ ହଜାଇ ଦେଇଛି । ତେବେ କେଉଁ ଦିଗରୁ ଆଉ କିପରି ଗ୍ରାହକଙ୍କ ଆକାଉଣ୍ଟରେ ଟଙ୍କା ଜମା ହେଉଛି ତା’ର ଖୋଳତାଡରେ ଲାଗିଛନ୍ତି ବ୍ୟାଙ୍କ କର୍ମଚାରୀ  ।

ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ସ୍ଥିତ କଟୱା ଅନୁମଣ୍ଡଳରେ ପାଖାପାଖି ୧୫୦ରୁ ଉଦ୍ଧ୍ୱର୍ ଗରିବ ଲୋକଙ୍କ ଖାତାରେ ଏପରି ହେଉଥିବା ଦେଖିବାକୁ ମିଳିଛି । ଗୋଟିଏ ପରେ ଗୋଟେ ଅଞ୍ଚଳରେ ଏମିତି ଦେଢଶହରୁ ଅଧିକ ଗରିବ ଗ୍ରାହକଙ୍କ ଆକାଉଣ୍ଟରେ ହଠାତ୍ କୌଣସି କାରଣରୁ ଟଙ୍କା ଜମା ହେବାରେ ଲାଗିଛି । ଏହି ଟଙ୍କା ଦୁଇ ହଜାରରୁ ଆରମ୍ଭ କରି ୨୪ ହଜାର ରାଶି ପର୍ଯ୍ୟନ୍ତ ଜମା ହେବାରେ ଲାଗିଛି । ତେବେ ବ୍ୟାଙ୍କ କର୍ମଚାରୀ କହିବା ମୁତାବକ୍ ଏସବୁ ଟଙ୍କା ଏକ୍ସିସ୍ ବ୍ୟାଙ୍କରୁ ଏନଇଏଫଟି ମାଧ୍ୟମରେ ବ୍ୟାଙ୍କ ଖାତାରେ ଜମା ହେଉଛି । କିନ୍ତୁ ବର୍ତମାନ ସୁଦ୍ଧା ଏନେଇ କୌଣସି ଖୁଲାସା ହୋଇପାରିନାହିଁ ଯେ, ଟଙ୍କା କାହିଁକି ଓ କିପରି ଭାବେ ଏହି ଲୋକମାନଙ୍କ ଖାତାରେ ଜମା ହେଲା ।

ତେବେ ଅଚାନକ କିଛି ଲୋକଙ୍କ ଖାତାରେ ଟଙ୍କା ଜମା ହେବା ପରେ ସମଗ୍ର ଅଞ୍ଚଳରେ ଏହି ଘଟଣା ପ୍ରଚାର ହେବାରେ ଲାଗିଛି । ଯାହା ଫଳରେ କଟୱାର ଆଖପାଖ ଅଞ୍ଚଳରେ ହଜାର ହଜାର ସଂଖ୍ୟକ ଜମାକାରୀ ନିଜ ପାସବୁକ୍ ଧରି ବ୍ୟାଙ୍କ ଆଗାରେ ଲମ୍ବା ଲାଇନ ଲଗାଉଛନ୍ତି । ସେମାନଙ୍କ ଆକାଉଂଟରେ ଟଙ୍କା ଜମା ହୋଇଥିବ ସେ ଆଶା ନେଇ ସେମାନେ ବ୍ୟାଙ୍କ ସମ୍ମୁଖରେ ଭିଡ ଜମାଉଥିବା ଦେଖିବାକୁ ମିଳିଛି ।

ତେବେ କଟୱା ଅନୁମଣ୍ଡଳର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ତାଙ୍କୁ ମଧ୍ୟ ଏ ଘଟଣା ସମ୍ପର୍କରେ ସୂଚନା ମିଳିଛି । ହେଲେ ଯେତେବେଳ ଯାଏ ପୂରା ମାମାଲାର ଯାଞ୍ଚ କରାଯାଇନାହିଁ ତା ପୂର୍ବରୁ ଏ ସମ୍ପର୍କରେ ମନ୍ତବ୍ୟ ରଖିବା ଉଚିତ୍ ହେବ ନାହିଁ । ତେବେ ଏ ଘଟଣା ସମ୍ପର୍କରେ ସ୍ଥାନୀୟ ବିଧାୟକ ଶାହନୱାଜ ହୁସେନ କହିଛନ୍ତି, ଟଙ୍କା କୌଣସି ସ୍କିମ୍ ଆକାରରେ ବ୍ୟାଙ୍କ ଆକାଉଣ୍ଟରେ ଆସିବାରେ ଲାଗିଛି । କେବଳ ସେତିକି ନୁହେଁ, ଗରିବ ଲୋକଙ୍କ ଆକାଉଣ୍ଟରେ ହଠାତ୍ କୌଣସି କାରଣରୁ ଟଙ୍କା ଜମା ହେବା ଘଟଣା ନେଇ ସେ ସିଧାସଳଖ ମୋଦି ସରକାରଙ୍କ ଉପରେ ଆଙ୍ଗୁଠି ଉଠାଇଛନ୍ତି । ବିଧାୟକ ଜଣକ କହିଛନ୍ତି ମୋଦି ସରକାର ୧୫ ଲକ୍ଷ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା କଥା କହିଥିଲେ । ଯେହେତୁ ଆଗକୁ ନିର୍ବାଚନ ଆସୁଛି, ତେଣୁ ଏ ସମୟରେ ହୁଏତ ମୋଦି ସରକାର ଚୁପଚାପ ଭାବେ ଟଙ୍କା ପଠାଉଛନ୍ତି ବୋଲି ବିଧାୟକ ଶାହନୱାଜ ହୁସେନ କହିଛନ୍ତି ।