ରାଜଧାନୀ ରେଳଲାଇନ କଡରୁ ମିଳିଲା ଅବସରପ୍ରାପ୍ତ ଡାକ୍ତରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ । ହତ୍ୟା ନା ଆତ୍ମହତ୍ୟା, କମିସନରେଟ୍ ପୁଲିସର ଛାନଭିନ

34

କନକ ବ୍ୟୁରୋ : ରାଜଧାନୀରେ ଜଣେ ଡାକ୍ତରଙ୍କ ମୃତ୍ୟୁ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାକୁ ନେଇ ରହସ୍ୟ ବଢିବାରେ ଲାଗିଛି । ଗତକାଲି ରାତିରେ ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ରକ୍ତ ଜୁଡୁବୁୁଡୁ ଅବସ୍ଥାରେ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଡାକ୍ତରଙ୍କୁ କେହି ଅଜଣା ବ୍ୟକ୍ତି ଫୋନରେ ପ୍ଲାଟଫର୍ମକୁ ଡାକି ହତ୍ୟା କରିଥିବା ପରିବାର ଅଭିଯୋଗ କରିଛନ୍ତି ।

ଡାକ୍ତର ରବୀନ୍ଦ୍ର ନାଥ ରଥ । ବୟସ – ୬୪ ବର୍ଷ । ଅବସରପ୍ରାପ୍ତ ଶିଶୁ ବିଶେଷଜ୍ଞ । ତାଙ୍କର ରହସ୍ୟଜନକ ମୃତ୍ୟୁ ଏବେ ଅନେକ ପ୍ରଶ୍ନ ଛିଡା କରିଛି । କାରଣ ମୃତ୍ୟୁର କିଛି ସମୟ ପୂର୍ବରୁ ବେଶ ସ୍ୱାଭାବିକ ଥିଲେ ଡାକ୍ତର ରବୀନ୍ଦ୍ର ନାଥ ରଥ । ଭୁବନେଶ୍ୱର ରେଳ ଷ୍ଟେସନର ସିସିଟିଭି ଫୁଟେଜରେ ଶୁକ୍ରବାର ରାତି ୯ଟା ୪୭ ମିନିଟ ସମୟରେ ସେ ପ୍ଲାଟଫର୍ମରେ ବୁଲୁଥିବାର । ହାତରେ ପାଣି ବୋତଲ ଧରିବା ସହ ଫୋନରେ କଥା ହେଉଥିବାର ଚିତ୍ର କଏଦ ହୋଇଥିଲା ସିସିଟିଭିରେ । ଫୋନରେ କଥା ହୋଇ ହୋଇ ସେ ଫାଳିକିଆ ବସ୍ତି ଆଡକୁ ଯାଇଥିବା ଫୁଟେଜରୁ ଅନୁମାନ କରାଯାଉଛି । ଆଉ ମାତ୍ର କିଛି ସମୟ ପରେ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ରବୀନ୍ଦ୍ରଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନେଇଥିଲା ପୁଲିସ । ତେବେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଡାକ୍ତରଙ୍କୁ କେହି ଅଜଣା ବ୍ୟକ୍ତି ଫୋନ ଯୋଗେ ପ୍ଲାଟଫର୍ମକୁ ଡାକି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ପ୍ଲାଟଫର୍ମକୁ ଆସିବା ଆଗରୁ ଆଉ କ୍ଲିନିକରୁ ଫେରିବା ବେଳର ସିସିଟିଭି ଫୁଟେଜରୁ ଜଣା ପଡିଛି ଯେ, ରାତି ପ୍ରାୟ ୯ଟା ୧୧ ସମୟରେ ଘରୋଇ କ୍ଲିନିକରୁ ବାହାରି ଆସିଥିଲେ ଡାକ୍ତର । କ୍ଲିନିକ ମାଲିକଙ୍କ କହିବା କଥା ହେଉଛି ରବୀନ୍ଦ୍ରଙ୍କୁ ଫୋନ ଯୋଗେ କେହି ବାହାରକୁ ଡାକିଥିଲେ । ଆଉ ତା ପରେ ହିଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଛି । ତେବେ ସିସିଟିଭି ଫୁଟେଜ ଏବଂ କଲ ଡିଟେଲ୍ସ ରେକର୍ଡକୁ ନେଇ ପୁଲିସ ଛାନଭିନ୍ ଆରମ୍ଭ କରିଥିବା ବେଳେ, ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏହା ହତ୍ୟା ନା ଦୁର୍ଘଟଣା ସେନେଇ କିଛି ସ୍ପଷ୍ଟ ହୋଇ ନଥିବା କହିଛି ପୁଲିସ । ଏବେ ପ୍ରଶ୍ନ ଉଠୁଛି, କିପରି ହେଲା ଡାକ୍ତରଙ୍କ ମୃତ୍ୟୁ? କିଏ ଡାକ୍ତରଙ୍କୁ ଡାକି ନେଇଥିଲା ପ୍ଲାଟଫର୍ମକୁ? ଦୁର୍ଘଟଣା ନା’ ସୁପରିକଳ୍ପିତ ହତ୍ୟାକାଣ୍ଡ? ଏହାକୁ ନେଇ ଜାରି ରହିଛି ସସପେନ୍ସ ।