ମୟୁର ମଣିଷର ନିଆରା ସଂପର୍କ ! ପାଣୁ ଚାଲିଗଲା ପରେ ଝୁରୁଛନ୍ତି ରାଜପକ୍ଷୀ . .

190

vlcsnap-2017-05-28-20h49m50s581କନକ ବ୍ୟୁରୋ : ମୟୁର ମଣିଷ ପାଣୁ ବେହେରାଙ୍କ ଜୁଇ ଜଳୁଥିବା ବେଳେ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଥିଲା । ଜୁଇର କିଛି ଦୂରରେ ମୟୁର ସବୁ ଏକା ସାଙ୍ଗରେ ରାବୁଥିବାରୁ ଦୃଶ୍ୟ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ କହିଛନ୍ତି-ଏଭଳି ଦୃଶ୍ୟ ସେମାନେ କେବେ ଦେଖିନଥିଲେ । ପାଣୁ ବେହେରା ପ୍ରତ୍ୟେକ ଦିନ, ମୟୁରଗୁଡ଼ିକୁ ଡାକି ଦିନକୁ ଦୁଇ ଥର ଖାଇବାକୁ ଦେଉଥିଲେ । ଯେତେବେଳେ ପାଣୁ ମୟୁରଙ୍କୁ ଡାକି ଦେଉଥିଲେ, ସେମାନେ ଯେଉଁଥି ଥିଲେ ବି ଦୌଡ଼ି ଆସୁଥିଲେ ପାଣୁଙ୍କ ପାଖକୁ । ବୋଧହୁଏ, ପାଣୁଙ୍କ ମୃତ୍ୟୁକୁ ସେଇ ମୟୁରମାନେ ମଧ୍ୟ ବୁଝି ଯାଇଥିଲେ ।

କଟକ ନରାଜ ଅଂଚଳର ପାଣୁ ବେହେରା । ସ୍ୱଭାବରେ ମଣିଷ । କିନ୍ତୁ ମନ ଭିତରେ ସତେ ଯେମିତି ମୟୂର । ଏହି ଜଙ୍ଗଲୀ ମୟୂରଙ୍କ ଖାଦ୍ୟପେୟ ଠାରୁ ଆରମ୍ଭ କରି ରକ୍ଷଣା ବେକ୍ଷଣ ସବୁ କିଛି ଥିଲା ତାଙ୍କ ଦାୟିତ୍ୱ । ଆଉ ଏହି ମୟୂର ମାନେ ବି ବାନ୍ଧି ହୋଇ ଯାଇଥିଲେ ପାଣୁ ବେହେରାଙ୍କ ପ୍ରେମରେ । ସକାଳ ନ ପାଉଣୁ ଆଉ ସଞ୍ଜ ନ ନଉଣୁ ନିଜ ମାଲିକଙ୍କ ପାଖକୁ ଧାଇଁ ଆସୁଥିଲେ ଏହି ମୟୂର । ପାଣୁ ବି ସ୍ନେହରେ ମୟୂରଙ୍କୁ ବଢାଇ ଦେଉଥିଲେ ଗୁଲୁଗୁଲା । ବାସ୍ ଏହି ସମ୍ପର୍କହିଁ ମଣିଷ ଓ ମୟୂର ଭିତରେ ତିଆରି କରିଥିଲା ଏକ ନିବିଡ ବନ୍ଧନ । ହେଲେ ଗତ ଶୁକ୍ରବାର ବୟସର ଅପରାହ୍ନରେ ଆଖିବୁଜିଦେଇଥିଲେ ପାଣୁ । ଆଉ ତାପରେ ନିଜ ମାଲିକଙ୍କୁ ଝୁରି ଝୁରି ଜୁଇ ନିକଟରେ ଇଏ ହେଉଛି ମୟୂରଙ୍କ ବୁକୁଫଟା ଚିକ୍ରାର ।

୧୯୯୯ ମହାବାତ୍ୟାପରେ କିଛି ମୟୂର ପାଣୁ ବେହେରାଙ୍କ ବଗିଚାକୁ ଚାଲି ଆସିଥିଲେ । ଆଉ ସେବେଠୁ ମୟୂରଙ୍କୁ ଖାଇବାକୁ ଦେଇ ସେ ତିଆରି କରି ଦେଇଥିଲେ ଏକ ନିଆରା ସମ୍ପର୍କ । ସମୟ ବଦଳିଥିଲା ହେଲେ କମି ନଥିଲା ମଣିଷ ଓ ମୟୂରର ଏହି ସମ୍ପର୍କ ।