୩୪ ନାବାଳିକାଙ୍କୁ ସ୍ୱାମୀଙ୍କ ଯୌନ ନିର୍ଯାତନା ଅଭିଯୋଗ, ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସ୍ତ୍ରୀ, ବିହାର ରାଜନୀତିରୁ ବଡ ଖବର

33

ବିହାର ମନ୍ତ୍ରୀଙ୍କ ଇସ୍ତଫା । ବିହାରର ସମାଜ କଲ୍ୟାଣ ମନ୍ତ୍ରୀ ମଞ୍ଜୁ ବର୍ମା ଇସ୍ତଫା ଦେଇଛନ୍ତି । ଆଶ୍ରୟ ଗୃହରେ ୩୪ ନାବାଳିକାଙ୍କୁ ମଞ୍ଜୁ ବର୍ମାଙ୍କ ସ୍ୱାମୀ ଚଣ୍ଡେଶ୍ୱର ବର୍ମା ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ମାମଲା ବିବାଦରେ ଥିଲେ ମନ୍ତ୍ରୀ ମଞ୍ଜୁ ବର୍ମା । ଯହାକୁ ନେଇ ବିରୋଧୀ ଓ ସାଧାରଣ ଜନତାଙ୍କ ପ୍ରତିବାଦ ସ୍ୱର ତୀବ୍ର ହେବାରେ ଲାଗିଥିଲା । ତେବେ ଏନେଇ ଆଜି ସେ ବିହାରର ସମାଜ କଲ୍ୟାଣ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଜଣାପଡିଛି । ମଞ୍ଜୁ ବର୍ମା ତାଙ୍କ ଇସ୍ତଫା ପତ୍ର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ହସ୍ତଗତ କରାଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ ଗତ କିଛି ଦିନ ତଳେ ମୁଜାଫରପୁର ଆଶ୍ରୟ ଗୃହରେ ରହୁଥିବା ୩୪ ଜଣ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ ବିରୋଧୀ ଦଳ । କାରଣ ଟିଆଇଏସଏସ ସୋସିଆଲ ଅଡିଟ୍ ରିପୋର୍ଟ ଆଧାରରେ ଆଶ୍ରୟସ୍ଥଳୀ ଗୃହରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଏବଂ ସେହି ଆଶ୍ରୟସ୍ଥଳୀ ଗୃହକୁ ମନ୍ତ୍ରୀଙ୍କ ସ୍ୱାମୀ ବାରମ୍ବାର ଯାଉଥିବା ଅଭିଯୋଗ କରିଥିଲେ ଜଣେ ଚାଇଲ୍ଡ ପ୍ରୋଟେକସନ ଅଫିସର । ଯାହାକୁ ନେଇ ମନ୍ତ୍ରୀଙ୍କ ସ୍ୱାମୀ ବିରୋଧରେ ଥାନାରେ ମାମଲା ଦାୟର ହୋଇଥିଲା । ଏନେଇ ବିରୋଧୀ ସମାଜ କଲ୍ୟାଣ ମନ୍ତ୍ରୀଙ୍କୁ ବିରୋଧୀ ଟାର୍ଗେଟ କରିଥିଲେ । ସାଧାରଣ ଲୋକମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଧିରେ ଧିରେ ଏହି ମାମଲା ତୀବ୍ର ହେବାରେ ଲାଗିଲା ବେଳକୁ ଶେଷରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମଞ୍ଜୁ ବର୍ମା ।

ତେବେ ଏନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯେ, ସେ ଏହି ମାମଲାରେ ପ୍ରତେକ୍ଷ୍ୟ କି ପରୋକ୍ଷ ଭାବେ ଯିଏ ସଂପୃକ୍ତ ଥିବ ସେ ଦୋଷୀ ହେବ । ସିବିଆଇ ଏହାର ତଦନ୍ତ କରୁଛି, ଯେ କୌଣସି ବ୍ୟକ୍ତି ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଜେଲ ଦଣ୍ଡ ଦିଆଯିବ । ମନ୍ତ୍ରୀ ହୁଅନ୍ତୁ ଅବା ଆଉ କେହି କାହାକୁ ବି ନିସ୍ତାର ଦିଆଯିବ ନାହିଁ ବୋଲି କହିଛନ୍ତି ନୀତିଶ କୁମାର ।