ଭ୍ରଷ୍ଟାଚାରୀ ପୁଲିସ୍ ଅଫିସରଙ୍କ ଅତ୍ୟାଚାରରେ ଅତିଷ୍ଠ ଜାତୀୟ ସ୍ତରର ଖେଳାଳୀ ! ପରିବାର ସହ ଇଚ୍ଛାମୃତ୍ୟୁ ପାଇଁ ସରକାରଙ୍କୁ ମାଗିଲେ ଅନୁମତି

39

କନକ ବ୍ୟୁରୋ : ସବୁ ଖେଳାଳୀଙ୍କ ସ୍ୱପ୍ନ ନିଜ ଦେଶ ପାଇଁ ମେଡାଲ୍ ଆଣିବା । ଆଉ ସେମାନଙ୍କ ମେଡାଲ୍ ହିଁ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିବା ସହ ବିଶ୍ୱ ଦରବାରରେ ଦେଇଥାଏ ସ୍ୱତନ୍ତ୍ର ପରିଚୟ । ତେବେ ଏହି ଖେଳାଳୀ ମାନଙ୍କ ପ୍ରତି ସରକାର ଏବଂ ଦେଶର ମଧ୍ୟ କିଛି କର୍ତ୍ତବ୍ୟ ରହିଥାଏ । ହେଲେ ଏମିତି କିଛି ଖେଳାଳୀ ଅଛନ୍ତି ଯାହାଙ୍କ ପ୍ରତିଭାକୁ ସମ୍ମାନ ଦେବା ତ ଦୁରର କଥା ସେମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ସ୍ତରରେ ନିଚ୍ଚା ଦେଖାଇବାକୁ ପଛାଇ ନଥାନ୍ତି ସରକାରୀ ବାବୁ । ସେମିତି ଜଣେ ପ୍ରତିଭା ହେଉଛନ୍ତି ମୁଜାଫରନଗରର ବିଜେନ୍ଦର୍ ।

ବିଜେନ୍ଦରଙ୍କ କାହାଣୀ ଶୁଣିଲେ ଯେ କୌଣସି ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେବ । କିଛି ଭ୍ରଷ୍ଟାଚାରୀ ଏବଂ ଦବଙ୍ଗ ପୁଲିସ୍ ଅଫିସରଙ୍କ ପାଇଁ ମୃତ୍ୟୁର ବାଟକୁ ଶ୍ରେୟସ୍କର ବୋଲି ଭାବିଛନ୍ତି ଏହି ଜାତୀୟ ସ୍ତରର ଖେଳାଳୀ । ମାରପିଟର ମିଛ ମାମଲାରେ ଜେଲ୍ ପଠାଇବାକୁ ପଛାଇ ନାହାଁନ୍ତି ଏହି ଉଚ୍ଚ ପଦସ୍ଥ ସରକାରୀ ବାବୁମାନେ । ଏପରିକି ନ୍ୟାୟ ପାଇଁ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଗୁହରୀ କଲେ ମଧ୍ୟ କେହି ଶୁଣୁ ନାହାଁନ୍ତି । ଶେଷରେ ସରକାରୀ ବାବୁଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ପରିବାର ସହ ଇଛାମୃତ୍ୟୁ ପାଇଁ ସରକାରଙ୍କୁ ଅପିଲ୍ କରିଛନ୍ତି ।

କେମିତି ଆରମ୍ଭ ହୋଇଥିଲା ମାମଲା :
ମାମଲା ବିଜେନ୍ଦରଙ୍କ କଲୋନୀରେ ଥିବା ଏକ ଟୟଲେଟ୍ ବିବାଦରୁ ଆରମ୍ଭ ହୋଇଥିଲା । ବିଜେନ୍ଦର ନିଜ ଘର ବାହାରେ ଥିବା ଏହି ଟୟଲେଟକୁ ଭାଙ୍ଗି ଘର କବାଟକୁ ବଡ କରିବାକୁ ଚାହୁଁଥିଲେ । କିନ୍ତୁ ସେହି କଲୋନୀରେ ଥିବା ଆଉ ଜଣେ ବ୍ୟକ୍ତି ଏହାକୁ ବିରୋଧ କରିବା ସହ ବିଜେନ୍ଦରଙ୍କୁ ମାରପିଟ୍ କରିଥିଲେ । ଶେଷରେ ଘଟଣା ପହଂଚିଥିଲା ପୁଲିସ୍ ପାଖରେ । ଆଉ ପୁଲିସ୍ ବିଜେନ୍ଦରଙ୍କୁ ଅଭିଯୁକ୍ତ ସାବ୍ୟସ୍ତ କରି ଜେଲ୍ ପଠାଇଦେଲା । ବିଜେନ୍ଦର୍ ନିର୍ଦୋଷ ବୋଲି ଯେତେ କାକୁତି ମିନତି ହେଲେ ସୁଦ୍ଧା ଟିକେ ବି ଶୁଣି ନଥିଲା ପୁଲିସ୍ ।

ହେଲେ ଏତିକିରେ ସରିନଥିଲା ବିଜେନ୍ଦରଙ୍କ କାହାଣୀ । ଜେଲରୁ କିଛି ଦିନ ପରେ ବାହାରିବା ପରେ ଉକ୍ତ ବ୍ୟକ୍ତ ଜଣଙ୍କ ପୁଣିଥରେ ବିଜେନ୍ଦରଙ୍କ ପରିବାର ସହ ମାରପିଟ୍ କରିଥିଲେ । ଯେଉଁଥିରେ ବିଜେନ୍ଦରଙ୍କ ଗର୍ଭବତୀ ପତ୍ନୀ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯେଉଁ ମାରପିଟ୍ ମାମଲାରେ ପୁଲିସ୍ ବିଜେନ୍ଦରଙ୍କୁ ଜେଲ୍ ପଠାଇଥିଲା ସେହି ମାମଲାରେ ପୁଣିଥରେ ତାଙ୍କ ବାପା ଏବଂ ଦିବ୍ୟାଙ୍ଗ ଭାଇଙ୍କୁ ଜେଲ୍ ପଠାଇଦେଲା । ଏବେ ପୁଲିସର ଏହି ଅତ୍ୟାଚାରରେ ଅତିଷ୍ଠ ହୋଇ ପରିବାର ସହ ଇଛା ମୃତ୍ୟୁ ପାଇଁ ସରକାରଙ୍କୁ ଅପିଲ୍ କରିଛନ୍ତି ।

୩୨ଟି ମୋଡାଲ୍ ଜିତି ସାରିଛନ୍ତି ଏହି ଖେଳାଳୀ :
ଦିବ୍ୟାଙ୍ଗ ହୋଇ ମଧ୍ୟ ବିଜେନ୍ଦର ନିଜ ରାଜ୍ୟ ପାଇଁ ପାଲଟିଛନ୍ତି ଗୌରବ । ଜାତୀୟ ସ୍ତରରେ ବିଜେନ୍ଦର ଏଯାଏଁ ୩୨ଟି ମେଡାଲ୍ ଜିତି ସାରିଛନ୍ତି । କମନ୍ ୱେଲଥ ଏବଂ ଏସିଆଡ୍ ଗେମ୍ ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି ବିଜେନ୍ଦର । ନିକଟରେ ଜୟପୁର ନ୍ୟାସନାଲ୍ ଚାମ୍ପିୟନସିପରେ ଭାଗ ନେଇ ଶ୍ରେଷ୍ଠ ୪ ଜଣରେ ସାମିଲ୍ ହୋଇଥିଲେ । ଯାହା ଫଳରେ ଇଣ୍ଡିଆନ୍ ଓପନ୍ ଇଣ୍ଟରନ୍ୟାସନାଲ୍ ଇଭେଂଟ୍ ପାଇଁ ବିଜେନ୍ଦରଙ୍କ ଚୟନ ହୋଇଥିଲା । କିନ୍ତୁ ବିଡମ୍ବନାର କଥା ଏଭଳି ଜଣେ ପ୍ରତିଭାଙ୍କୁ ସମ୍ମାନ କରିବା ପରିବର୍ତ୍ତେ ଅପରାଧୀ ସଜାଇ ଜେଲ୍ ପଠାଇଦେଇଛନ୍ତି କିଛି ଲାଂଚୁଆ ତଥା ଭ୍ରଷ୍ଟାଚାରୀ ପୁଲିସ୍ ଅଫିସର୍ ।