ହଜି ଯାଉଛି ସୋରିଷ ଚାଷ : ସରକାରୀ ପ୍ରୋତ୍ସାହନ ମିଳିଲେ ଚାଷ ଆଗେଇବ ବୋଲି କହିଲେ ପୁରୀ କଣାସର ଚାଷୀ

73

କନକ ବ୍ୟୁରୋ : ସୋରିଷ ହାଣ୍ଡିଶାଳରୁ ଭୋଗ ଥାଳି ଯାଏ ସବୁଠି ଆବଶ୍ୟକ ପଡେ । ପୂଜା ପାର୍ବଣରେ ଖୋଜାପଡେ ସୋରିଷ, ଭୋଜି ଭାତରେ ଗୋଟା ସୋରିଷ ସାଙ୍ଗକୁ ସୋରିଷ ତେଲର ବି ଆବଶ୍ୟକ ପଡିଥାଏ । ସୋରିଷ ତେଲରେ କୁନି କୁନି ପିଲାଙ୍କୁ ମାଲିସ କରାଯାଏ । ହେଲେ ଏବେ ସେହି ସୋରିଷ ଚାଷ ଲୋପ ପାଇ ଗଲାଣି । କାରଣ ଅମଳ କମ୍ ହେଉଥିବାରୁ ସୋରିଷ ଚାଷରୁ ମୁହଁ ଫେରାଇ ନେଉଛନ୍ତି ଚାଷୀ ।

ପୁରୀ କଣାସ ବ୍ଲକ ପଣ୍ଡିଆକେରା ପଂଚାୟଚରେ ଅନେକ ଚାଷୀ ଦିନ ସୋରିଷ ଚାଷ କରୁଥିଲେ । ହେଲେ ଏବେ ଏହି ଚାଷ କମି ଗଲାଣି । ରୋଗପୋକ ଓ କମ୍ ଅମଳ ଯୋଗୁଁ ଚାଷରୁ ମୁହଁ ଫେରାଇ, ଏଠାକାର ଚାଷୀ ଦାଦନ ଖଟିବାକୁ ମନବଳେଛନ୍ତି । ସରକାରୀ ପ୍ରୋତ୍ସାହନ ଓ ସରକାରୀ ଔଷଧର ଅଭାବ ଯୋଗୁଁ ଚାଷୀ ସୋରିଷ ଚାଷ କରୁନଥିବା କହିଛନ୍ତି । ତେବେ ଏବେ ବି କିଛି ଚାଷୀ ଚାଷ ଜାରି ରଖିଥିବା ବେଳେ ଆଗକୁ ଯଦି ସରକାରୀ ସ୍ତରରେ କିଛି ସୁବିଧା ମିଳନ୍ତା ତେବେ ଆହୁରି ଅଧିକ ଚାଷ କରନ୍ତେ ବୋଲି କହିଛନ୍ତି ।

ସୋରିଷ କ୍ୟୁଂଟାଲ ପିଛା ୩ ହଜାରରୁ ୩ ହଜାର ୫ଶହ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏଥିପାଇଁ ଅଢେଇ ହଜାର ଟଙ୍କାର ବିହନ ଓ ଔଷଧ ଖର୍ଚ୍ଚ ହେଉଛି । ବାକି ଚାଷୀର ପରିଶ୍ରମିକ କଥା ଛାଡ । ସେପଟେ ପୁରୀ ଜିଲ୍ଲା କୃଷି ଅଧିକାରୀଙ୍କ କହିଛନ୍ତି, ଅଳ୍ପ ଚାଷୀ ସୋରିଷ ଚାଷ କରୁଛନ୍ତି, ଆଗକୁ ଏହି ଚାଷ କିଭଳି ଅଧିକ କରାଯିବ ସେନେଇ ଉଦ୍ୟମ କରାଯାଉଛି । ସରକାର ବିଧି ବ୍ୟବସ୍ଥା ଭିତରେ କେବଳ ଅପେକ୍ଷ ସୋରିଷ ଚାଷୀଙ୍କୁ କେବେ ମିଳିବ ସରକାରୀ ପ୍ରୋତ୍ସାହନ ।