ବାବ୍ରୀ ମସଜିଦ୍ ଭାଙ୍ଗିବା ପରେ ଦେଶର କିଛି ସ୍ଥାନରେ ଦଙ୍ଗା ପରିସ୍ଥିତି ଉପୁଜିଥିଲା। ଉତ୍ତର ପ୍ରଦେଶର ମୁଜାଫରନଗର ଅନ୍ତର୍ଗତ ଲଧାୱାଲାରେ ଯଦିଓ ଦଙ୍ଗା ହୋଇନଥିଲା, କିନ୍ତୁ ଦଙ୍ଗା ଭୟରେ ୨୦ ହିନ୍ଦୁ ପରିବାର ଅନ୍ୟତ୍ର ଚାଲିଯାଇଥିଲେ। ଏହା ସେଠାକାର ମୁସଲିମ୍ ସମ୍ପ୍ରଦାୟ ଲୋକଙ୍କୁ ବହୁତ କଷ୍ଟ ଦେଇଥିଲା। କାରଣ ସେମାନେ ଚାହୁଁ ନଥିଲେ ଯେ ହିନ୍ଦୁ ପରିବାର ସେଠାରୁ ଚାଲି ଯାଆନ୍ତୁ ବୋଲି । ତେବେ ହିନ୍ଦୁମାନଙ୍କ ପ୍ରତି ରହିଥିବା ପ୍ରବଳ ଭଲପାଇବା ଏବଂ ଆଦରକୁ ସେମାନେ ଆଜି ମଧ୍ୟ ସାଇତି ରଖିଛନ୍ତି। ଏଠାରେ ସେମାନେ ସାମ୍ପ୍ରଦାୟିକ ସଦଭାବନାର ଜ୍ୱଳନ୍ତ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି।

୧୯୯୨ରେ ଲଧାୱାଲାରୁ ୨୦ ହିନ୍ଦୁ ପରିବାର ଚାଲିଯିବା ପରେ ସେମାନଙ୍କ ଦ୍ୱାରା ଏଠାରେ ନିର୍ମିତ ଏକ ମନ୍ଦିର ଏବେ ବି ଅକ୍ଷୁର୍ଣ୍ଣ ରହିଛି। ନିର୍ମାଣ ବେଳେ ଏହା ଯେମିତି ଚକ୍ଚକ୍ କରୁଥିଲା ତାହା ଏବେ ମଧ୍ୟ ସେମିତି ରହିଛି। ମୁସଲିମ୍ ସମ୍ପ୍ରଦାୟର ଲୋକମାନେ ଏହାର ରକ୍ଷଣାବେକ୍ଷଣ କରିଆସୁଛନ୍ତି। ବର୍ଷକୁ ଥରେ ଏହାକୁ ରଙ୍ଗ କରାଯାଉଛି। ୨୬ ବର୍ଷ ଧରି ଏଭଳି ଚାଲିଆସିଛି। ମୁସଲିମ୍ ବହୁଳ ଲଧାୱାଲାର ବାସିନ୍ଦା ୬୦ ବର୍ଷୀୟ ମେହରବାନ୍ ଅଲ୍ଲୀ କୁହନ୍ତି, “ଜିତେନ୍ଦ୍ର କୁମାର ମୋର ଜଣେ ଅନ୍ତରଙ୍ଗ ବନ୍ଧୁ ଥିଲେ। ହଠାତ୍ ସେ ଚାଲିଯିବେ ବୋଲି ଭାବିନଥିଲି। ତେବେ ଯିବା ସମୟରେ ତାଙ୍କୁ ଅଟକାଇବାକୁ ବହୁତ ଚେଷ୍ଟା କରିଥିଲି। କିନ୍ତୁ ଫେରିବାର ପ୍ରତିଶ୍ରୁତି ଦେଇ ସେ ଅନ୍ୟ ସବୁ ହିନ୍ଦୁ ପରିବାର ସହିତ ଚାଲିଯାଇଥିଲେ। ହେଲେ ଆଜିଯାଏ କାହାର ଦେଖା ନାହିଁ। ସେହିଦିନଠାରୁ ସେମାନଙ୍କ ଫେରିବା ବାଟକୁ ଚାହିରହିଛୁ। ବିଶ୍ୱାସ ଯେ ସେମାନେ ଦିନେ ନା ଦିନେ ଫେରିଆସିବେ”ବୋଲି ଲୁହ ଛଳଛଳ ଆଖିରେ କୁହନ୍ତି ଅଲ୍ଲୀ।

ଜାହିର ଅହମ୍ମଦ ନାମକ ଜଣେ ବାସିନ୍ଦା କୁହନ୍ତି, “୨୬ ବର୍ଷ ହେଲା ମନ୍ଦିରକୁ ପାଣିରେ ପ୍ରତିଦିନ ଧୁଆଯାଉଛି। ପ୍ରତିବର୍ଷ ଦୀପାବଳିରେ ଲୋକଙ୍କଠାରୁ ଚାନ୍ଦା ଆଦାୟ କରାଯାଇ ରଙ୍ଗ ଦିଆଯାଉଛି। ଏବେ ବି ମନ୍ଦିରଟି ପୂର୍ବବତ୍ ଦିଶୁଛି। ଆମେ ଚାହୁଛୁ ହିନ୍ଦୁ ପରିବାରମାନେ ପୁଣି ଏଠାକୁ ଫେରିଆସି ମନ୍ଦିରର ଦାୟିତ୍ୱ ନିଅନ୍ତୁ।“ ତାଙ୍କ କହିବାନୁଯାୟୀ, ୧୯୯୨ରେ ହିନ୍ଦୁମାନେ ଏଠାରୁ ଯିବା ସମୟରେ ମନ୍ଦିର ମଧ୍ୟରେ ଥିବା ଭଗବାନଙ୍କ ପ୍ରତୀମାକୁ ମଧ୍ୟ ସାଙ୍ଗରେ ନେଇ ପଳାଇଥିଲେ। ଏବେ କେବଳ ମନ୍ଦିର ରହିଯାଇଛି। ତଥାପି ମନ୍ଦିରକୁ ସେମାନେ ଯେଉଁ ଶ୍ରଦ୍ଧାରେ ନିର୍ମାଣ କରିଥିଲେ, ତାହା ଉଜ୍ଜୀବିତ ରହୁ ବୋଲି ଆମେ ଚାହୁଁଛୁ।

ଗୁଲ୍ଜାର ସିଦ୍ଦିକି ନାମକ ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି, ଏଠାରେ ରହୁଥିବା ହିନ୍ଦୁ ପରିବାରଙ୍କ ମଧ୍ୟରେ ଆମର ଉତ୍ତମ ସଂପର୍କ ଥିଲା। ଆମେ ଯଦି ଏହାର ରକ୍ଷଣାବେକ୍ଷଣ ନକରୁ ଏହା କାଳକ୍ରମେ ଧ୍ୱଂସ ପାଇଯିବ। ଫଳରେ ଆମ ଉପରେ ସେମାନଙ୍କର ବିଶ୍ୱାସ ମରିଯିବ। ତେଣୁ ସେମାନେ ନ ଫେରିବା ପର୍ଯ୍ୟନ୍ତ ଆମେ ମନ୍ଦିରର ଯତ୍ନ ନେବୁ।