ଲକ୍ଷ୍ନୌର ମୁସଲମାନ୍ ମହିଳାମାନେ ମୋଦି ଓ ଯୋଗୀଙ୍କୁ ପଠାଇଲେ ରାକ୍ଷୀ !

34

ସୋମବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ପବିତ୍ର ଉତ୍ସବ ଅବସରରେ ମୁସଲମାନ୍ ମହିଳାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ରାକ୍ଷୀ ପଠାଇଛନ୍ତି । ଏହି ମହିଳାମାନେ ଲଫାପାରେ ପ୍ରଧାନମନ୍ତ୍ରୀଙ୍କ ନାମ ଓ ଠିକଣା ଲେଖିବା ସହ ଭାଇ ସମ୍ବୋଧନ ମଧ୍ୟ କରିଛନ୍ତି । ତିନି ତଲାକ ମାମଲାରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସକୁ ପ୍ରଶଂସା ଜଣାଇ ରାକ୍ଷୀ ପଠାଯାଇଛି ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ମହିଳାମାନେ ତିନି ତଲାକର ଶକ୍ତ ନିୟମକୁ ପୂର୍ବରୁ ବିରୋଧ କରୁଥିଲେ । ଏହି ମାମଲାରେ ତାଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଭରସା ଅଛି ବୋଲି ସେମାନେ ଜଣାଇଛନ୍ତି । ମୁସଲମାନ ମହିଳାଙ୍କ କହିବା ଅନୁସାରେ ତିନି ତଲାକ ନିୟମର ଦୂରୋପଯୋଗକୁ ରୋକାଯିବା ଦରକାର ।

ତେବେ ଜାଣନ୍ତୁ ତିନି ତଲାକ ପ୍ରସଙ୍ଗରେ ୟୁପି ମୁଖ୍ୟମନ୍ତ୍ରୀ କ’ଣ ପଦକ୍ଷେପ ଗ୍ରହଣ କରିଥିଲେ –

ଟ୍ରିପଲ ତଲାକରେ ମୁସଲିମ ମହିଳାମାନଙ୍କୁ ସୁରକ୍ଷା ଦେବାକୁ ଯାଇ ଯୋଗୀ ସରକାର ବିବାହ ପଂଜୀକରଣ ଅଧିନିୟମରେ ସଂଶୋଧନ କରିଥିଲେ । ରାଜ୍ୟର ସମସ୍ତ ବିବାହିତଙ୍କୁ ବିବାହ ପଂଜୀକରଣ କରିବା ବାଧ୍ୟତାମୂଳକ କରିଥିଲେ । ଯେଉଁମାନେ ବିବାହ ପଂଜୀକରଣ ନକରନ୍ତି ସେମାନଙ୍କୁ କୌଣସି ସରକାରୀ ଯୋଜନାରେ ଭାଗୀଦାର କରାଯିବ ନାହିଁ ବୋଲି କହିଥିଲେ । ଅର୍ଥାତ ସରକାରୀ ବାସଗୃହ, ଚାକିରି ଓ ପେନସନ ଭଳି ସରକାରୀ ଯୋଜନାରୁ ଏମାନଙ୍କୁ ବାଦ୍ ଦିଆଯିବ । ଖାଲି ଏତିକି ନୁହେଁ ସେମାନଙ୍କୁ ଆର୍ଥିକ ଜରିମାନା ମଧ୍ୟ ଦେବାକୁ ପଡିବ ବୋଲି ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟରେ ବିବାହ ପଂଜୀକରଣକୁ ବାଧ୍ୟତାମୂଳକ କରିବା ସହ ମହିଳା କଲ୍ୟାଣ ବିଭାଗକୁ ଡ୍ରାଫ୍ଟ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଯୋଗୀ ସରକାର । ତିନି ତଲାକ୍ ବ୍ୟବସ୍ଥା ମହିଳାଙ୍କ ଅଧିକାର ଉପରେ ଆକ୍ରମଣ ବୋଲି କହିଥିଲେ ଯୋଗୀ ଆଦିତ୍ୟନାଥ । ଏହା ଦ୍ରୌପଦୀଙ୍କ ବସ୍ତ୍ରହରଣ ପରି ବୋଲି ସେ କହିଥିଲେ । ବିବାହ ଓ ମହିଳାଙ୍କ ଅଧିକାର ପ୍ରସଙ୍ଗରେ ଗୋଟିଏ ଆଇନ କାହିଁକି ଲାଗୁ ହେବନି ବୋଲି ପ୍ରଶ୍ନ କରିଥିଲେ ଯୋଗୀ ଆଦିତ୍ୟନାଥ ।