ଟ୍ରିପଲ୍ ତଲାକକୁ ନେଇ ଟଣା ଓଟରା : ମୋଦିଙ୍କ ବିରୋଧରେ ସ୍ୱର ଉଠାଇଲା ମୁସଲିମ୍ ପର୍ସନାଲ୍ ଲ ବୋର୍ଡ

49

କନକ ବ୍ୟୁରୋ : ଟ୍ରିପଲ୍ ତଲାକକୁ ନେଇ ଚାଲିଛି ଟଣାଓଟରା । ଏହି ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରିଛି ମୁସଲିମ୍ ପର୍ସନାଲ୍ ଲ ବୋର୍ଡ । ଲ’କମିଶନ ଏକ ସ୍ୱୟଂଶାସିତ ସଂସ୍ଥା ହୋଇଥିବା ବେଳେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହା କାମ କରୁଛି ବୋଲି ବୋର୍ଡ ଅଭିଯୋଗ କରିଛି । ଏଥିସହ ୟୁନିଫର୍ମ ସିଭିଲ୍ କୋଡରେ ମଧ୍ୟ ଘୋର ବିରୋଧ କରିଛି ମୁସଲିମ୍ ପର୍ସନାଲ୍ ଲ ବୋର୍ଡ । ଲ’କମିଶନର ସମସ୍ତ ପ୍ରଶ୍ନକୁ ବୋର୍ଡ ପ୍ରତ୍ୟାଖ୍ୟାନ କରିଛି ।

ଏପରିକି ଟ୍ରିପଲ୍ ତଲାକ୍ ଏବଂ ପୁରୁଷଙ୍କ ୪ଟି ବାହାଘର ଉପରେ ପ୍ରଶ୍ନକୁ ମୁସଲିମ୍ ସଂଗଠନ ବିରୋଧ କରିଛନ୍ତି । ୟୁନିଫର୍ମ ସିଭିଲ୍ କୋଡ୍ ନେଇ ପ୍ରଥମେ କେନ୍ଦ୍ର ସରକାର ଲ କମିଶନକୁ ରିପୋର୍ଟ ମାଗିଥିଲେ । ଏହାପରେ ଲ କମିଶନ ୟୁନିଫର୍ମ ସିଭିଲ୍ କୋଡ୍ ଉପରେ ଲୋକଙ୍କ ମତାମତ ଚାହିଁଥିଲେ । ଏନେଇ ୧୬ ଟି ପ୍ରଶ୍ନ ରଖିଥିଲେ ଲ କମିଶନ ।

ସେପଟେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ନିଜେ ସୁପ୍ରିମକୋର୍ଟରେ ଜବାବ ରଖିବେ । ଅର୍ଥାତ୍ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ପରେ  ଲ କମିଶନକୁ କେନ୍ଦ୍ର ସରକାରଙ୍କ ପ୍ରଶ୍ନ ଆଉ ଏବେ ଜନତାଙ୍କୁ ଲ କମିଶନଙ୍କ ପ୍ରଶ୍ନ । ଏସବୁ ପ୍ରଶ୍ନକୁ ନେଇ ମୁସଲିମ୍ ସଂଗଠନ ବିରକ୍ତି ପ୍ରକାଶ କରିଛି । ସମ୍ବିଧାନର ଧାରା ୨୫ ଏବଂ ୨୬ର ଉଦାହରଣ ଦେଇ ସଂଗଠନ କହିଛି ଧର୍ମ ଏବଂ ପରମ୍ପରା ସହ ଜଡିତ ବ୍ୟକ୍ତି ସେହି ଧର୍ମକୁ ସମ୍ମାନ କରେ ।

ଟ୍ରିପଲ୍ ତଲାକ୍ ଏବଂ ପୁରୁଷଙ୍କ ୪ ବିବାହ ସମ୍ପର୍କିତ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ପକ୍ଷ ରଖିଛି ମୁସଲିମ୍ ଲ ବୋର୍ଡ । ଯେଉଁଥିରେ ଲେଖା ଅଛି- ପତ୍ନୀଠୁ ଛାଡ୍ ପାଇବାକୁ ସ୍ୱାମୀ ତିନି ଥର ତଲାକ୍ କହି ଅଲଗା ହୋଇଯିବା ଭଲ । ପୁରୁଷଙ୍କ ପାଇଁ ଏକାଧିକ ବିବାହ ମହିଳାଙ୍କ ପାଇଁ ହିତକାରକ ଏବଂ ରୋଗୀଣା ପତ୍ନୀକୁ ସ୍ୱାମୀ ଛାଡିପାରିବେ ।