ଅମରନାଥ ଗୁମ୍ଫାର ଅଲୌକିକ କାହାଣୀ । ଜାଣନ୍ତୁ ବାବା ବର୍ଫାନିଙ୍କୁ ପ୍ରଥମେ କିଏ ଖୋଜିଥିଲେ, ଅମରନାଥ ଯାତ୍ରା ସହ କଣ ରହିଛି ମୁସଲିମ୍ କନେକ୍ସନ

117

ଆରମ୍ଭ ହୋଇଛି ପ୍ରସିଦ୍ଧ ଅମରନାଥ ଯାତ୍ରା । ଚଳିତ ବର୍ଷ ୨୮ ଜୁନ ୨୦୧୮ରେ ଏହି ଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରା ୨୬ ଅଗଷ୍ଟ ୨୦୧୮ ପର୍ଯ୍ୟନ୍ତ ଜାରି ରହିବ । ଅମରନାଥ ଗୁମ୍ଫା କାଶ୍ମୀରର ବରଫ ପାହାଡ଼ ମଝିରେ ରହିଛି । ହିନ୍ଦୁ ଧର୍ମର ଲୋକଙ୍କ ପାଇଁ ଅମରନାଥ ଏକ ପ୍ରମୁଖ ତୀର୍ଥସ୍ଥଳୀ । ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବାବା ବର୍ଫାନିଙ୍କୁ ଦେଖିବା ପାଇଁ ଅମରନାଥ ଯାତ୍ରା କରିଥାନ୍ତି । କେବଳ ହିନ୍ଦୁ ଧର୍ମର ଲୋକ ନୁହେଁ ବରଂ ମୁସଲିମ ସମ୍ପ୍ରଦାୟର ଲୋକ ମାନେ ମଧ୍ୟ ଅମରନାଥ ଯାତ୍ରା ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ । ମୁସଲିମ ସମୁଦାୟ ନା କେବଳ ଏହି ଯାତ୍ରାରେ ହିନ୍ଦୁ ଶ୍ରଦ୍ଧାଳୁ ମାନଙ୍କୁ ସାହାର୍ଯ୍ୟ କରିଥାନ୍ତି ବରଂ ଏମାନଙ୍କ ସୁରକ୍ଷାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଏପରିକି ଅମରନାଥ ଯାତ୍ରା ସହିତ ଜଡ଼ିତ କିଛି ଲୋକକଥାରେ ମଧ୍ୟ ମୁସଲିମ ମାନଙ୍କ ବିଷୟରେ ଅନେକ ଥର କୁହାଯାଇଛି ।

ଲୋକକଥା ଅନୁଯାୟୀ, ଅମରନାଥ ଗୁମ୍ଫାକୁ ବୁଟା ମାଲିକ ନାମକ ଏକ ମୁସଲିମ ବ୍ୟକ୍ତି ଖୋଜି ବାହାର କରିଥିଲେ । ବୁଟା ମାଲିକ ପ୍ରତିଦିନ ନିଜର ଛେଳି, ମେଣ୍ଢା ଅମରନାଥ ଗୁମ୍ଫା ନିକଟରେ ଥିବା ପାହାଡ଼ ପାଖରେ ଚରାଉଥିଲେ । କିନ୍ତୁ ହଠାତ୍ ତାଙ୍କର ଜଣେ ସାଧୁଙ୍କ ସହ ଭେଟ ହୋଇଥିଲା । ସାଧୁ ଜଣକ ତାଙ୍କୁ ଏକ କୋଇଲା ଭର୍ତ୍ତି ବ୍ୟାଗ ଦେଇଥିଲେ । ଯାହାକୁ ବୁଟା ନିଜ ଘରେ ଖୋଲିବା ପରେ ତାହା ସୁନା ମୁଦ୍ରା ବୋଲି ଜାଣିବାକୁ ପାଇଥିଲେ । ଏହାପରେ ବୁଟା ମାଲିକ ସାଧୁଙ୍କୁ ଧନ୍ୟବାଦ ଦେବାକୁ ଗୁମ୍ଫା ନିକଟରେ ପହଞ୍ଚିଥିଲେ ସାଧୁଙ୍କର ଦର୍ଶନ ପାଇନଥିଲେ । ତେଣୁ ବୁଟା ମାଲିକ ଗୁମ୍ଫା ଭିତରେ ସାଧୁ ଥିବା ଭାବି ଭିତରକୁ ଯିବା ପରେ ବରଫର ଶିବଲିଙ୍ଗ ଦେଖିବାକୁ ପାଇଥିଲେ । ଯାହା ଗୁମ୍ଫା ମଧ୍ୟରେ ଚମକୁଥିଲା । ଗୁମ୍ଫାରୁ ଫେରି ବରଫର ଶିବଲିଙ୍ଗ କଥା ଗାଁ ଲୋକଙ୍କୁ କହିଥିଲେ ବୁଟା ମାଲିକ । ତେବେ କିଛି ଦିନ ପରେ ପୁଣିଥରେ ବରଫର ଶିବ ଲିଙ୍ଗଟି ଉଭେଇ ଯାଇଥିଲା । ଏହି ଘଟଣାର ଠିକ୍ ତିନି ବର୍ଷ ପରେ ଆରମ୍ଭ ହୋଇଥିଲା ପ୍ରଥମ ଅମରନାଥ ଯାତ୍ରା । ସେବେଠାରୁ ଅମରନାଥ ଯାତ୍ରା ଚାଲି ଆସୁଛି । ଏବେ ମଧ୍ୟ ବୁଟା ମାଲିକଙ୍କ ବଂଶଜ ଏହି ଗୁମ୍ଫା ଓ ଶିବଲିଙ୍ଗର ରକ୍ଷାଣବେକ୍ଷଣ କରୁଛନ୍ତି ।

ସେହିଭଳି କାଶ୍ମୀରର ଆକବର କୁହାଯାଉଥିବା ଜୈନୁଲ ଆବାଦିନ ମଧ୍ୟ ଅମରନାଥ ଯାତ୍ରା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । କାଶ୍ମୀରର ସୁଲତାନ ଥିବା ବେଳେ ଜୈନୁଲ ଆବାଦିନ ସବୁ ଧର୍ମକୁ ସମାନ ଦୃଷ୍ଟିରେ ଦେଖୁଥିଲେ । ହିନ୍ଦୁ ମାନଙ୍କର ମନ୍ଦିରର ପୁନଃନିର୍ମାଣ, ଗାଇ ମାନଙ୍କର ସୁରକ୍ଷା ପ୍ରତି ବେଶ ଯତ୍ନବାନ ଥିଲେ ଜୈନୁଲ । ଏପରିକି ହିନ୍ଦୁ ଧର୍ମଗ୍ରନ୍ଥକୁ ମଧ୍ୟ ପାର୍ସୀ ଭାଷାରେ ଅନୁବାଦ କରିଥିଲେ ଜୈନୁଲ । ଏହାଛଡ଼ା ଅନେକଥର ଅମରନାଥ ଯାତ୍ରାର ବନ୍ଦବୋସ୍ତ କରିଥିଲେ ଜୈନୁଲ ।

ଅନ୍ୟ ଏକ ଲୋକକଥା ଅନୁଯାୟୀ, ଅମରନାଥ ଗୁମ୍ଫାରେ ବରଫରେ ଆପଣାଛାଏଁ ଉଭା ହୋଇଥିବା ଶିବଲିଙ୍ଗ ପୂଜା ପାଇଥାନ୍ତି । ଏଠାରେ ପୂଜା ପାଉଥିବା ଶିବଲିଙ୍ଗ ବର୍ଷରେ ଥରେ ମାତ୍ର ଆର୍ବିଭାବ ହୋଇଥାନ୍ତି । ତାହା ବି ମାତ୍ର ଅଳ୍ପ କିଛି ଦିନ ପାଇଁ । ତେବେ ପାହାଡ଼ ଭିତରେ ଶିବଙ୍କ ପ୍ରତିମୂର୍ତ୍ତି ଆର୍ବିଭାବ ହେବା ପଛରେ ଅନେକ କାହାଣୀ ରହିଛି ।ମାନ୍ୟତା ଅନୁଯାୟୀ, ଭଗବାନ ଶିବ ଅମରନାଥ ଗୁମ୍ଫାରେ ମା’ ପାର୍ବତୀଙ୍କୁ ଅମର ମନ୍ତ୍ର ଶୁଣାଇଥିଲେ । ତେଣୁ ଅମରନାଥ ଗୁମ୍ଫାର ମହତ୍ୱ ହିନ୍ଦୁ ଶ୍ରଦ୍ଧାଳୁଙ୍କ ପାଇଁ ବହୁତ ମହତ୍ୱ ରଖିଥାଏ । ଅମର ମନ୍ତ୍ର ବା ଅମରକଥା ଶୁଣିବା ପାଇଁ କାହାକୁ ଅନୁମତି ମିଳିନଥିଲା । ତେଣୁ ଭଗବାନ ଶିବ ମା’ ପାର୍ବତୀଙ୍କୁ ଅମରକଥା ଶୁଣାଇବା ସମୟରେ ସବୁକିଛି ତ୍ୟାଗ କରି ଆସିଥିଲେ । ଯେପରିକି କେହି ଅମର ମନ୍ତ୍ର ଶୁଣି ଅମର ନ ହୋଇ ଯାଉ ।
ଅମରନାଥ ଗୁମ୍ଫାରୁ ପାଖାପାଖି ୯୬ କିଲୋମିଟର ପଛକୁ ପହଲଗାମ ଭଳି ଏକ ଏଭଳି ଗ୍ରାମ ରହିଛି ଯେଉଁଠାରେ ଭଗବାନ ଶିବ ରହିବା ସହ ବିଶ୍ରାମ କରିଥିଲେ । ଅମର ମନ୍ତ୍ର ଶୁଣାଇବା ପୂର୍ବରୁ ଭଗବାନ ଶିବ ମଝି ରାସ୍ତାରେ ନନ୍ଦୀ ଷଣ୍ଢକୁ ଛାଡ଼ି ଦେଇଥିଲେ । ଏହାପରେ ଶେଷନାଗ ଝିଲ୍ଲୀ ନିକଟରେ ଗଳାରୁ ସାପ ମଧ୍ୟ ବାହାର କରି ଦେଇଥିଲେ । ପୁତ୍ର ଗଣେଶକୁ ମହାଗୁଣାସ ପାହାଡ଼ ଉପରେ ଛାଡ଼ି ଦେଇଥିଲେ । ଏହାପରେ ପଞ୍ଚ ତରଣୀ ପୁଷ୍କରଣୀ ନିକଟରେ ପହଞ୍ଚି ପାଞ୍ଚ ତତ୍ୱକୁ ମଧ୍ୟ ତ୍ୟାଗ କରି୍ଥିଲେ ।

କୁହାଯାଏ, ଯେବେ ଭଗବାନ ଶିବ ମାତା ପାର୍ବତୀଙ୍କୁ ଅମର ମନ୍ତ୍ର ଶୁଣାଉଥିଲେ ସେତେବେଳେ ତାଙ୍କ ବ୍ୟତୀତ ଏକ ପାରା ଯୋଡ଼ି ମଧ୍ୟ ଉକ୍ତ ଗୁମ୍ଫାରେ ବାସ କରୁଥିଲେ । ମାତା ପାର୍ବତୀଙ୍କୁ ଶିବ ଅମର ମନ୍ତ୍ର ଶୁଣାଉଥିବା ବେଳେ ପାରା ଦୁଇଟି ମଧ୍ୟ ଅମରମନ୍ତ୍ର ଶୁଣି ନେଇଥିଲେ । ଅମର ମନ୍ତ୍ର ଶୁଶିବା ପରେ ଦୁଇଟି ପାରା ସବୁଦିନ ପାଇଁ ଅମର ହୋଇଗଲେ । ଆଜି ପର୍ୟ୍ୟନ୍ତ ଏହି ଦୁଇ ପାରାଙ୍କୁ ଅମରନାଥ ଗୁମ୍ଫାରେ ଦେଖିବାକୁ ମିଳେ । ଅମରନାଥ ଗୁମ୍ଫାର ଚାରି ପାଶ୍ୱର୍ ତରଳ ବରଫରେ ଆଚ୍ଛାଦିତ । କିନ୍ତୁ ଗୁମ୍ଫା ଭି୍ତରେ ଥିବା ଶିବଲିଙ୍ଗ କଠିନ ବରଫରେ ଆର୍ବିଭାବ ହୋଇଥାନ୍ତି । ଏହା କିପରି ପାହାଡ଼ ମଧ୍ୟରେ ଆର୍ବିଭାବ ହୁଏ ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି ।ଅମରନାଥ ଗୁମ୍ଫାରେ ଶିବଲିଙ୍ଗ ନିକଟରୁ ପାଣି ବୋହି ଯାଇଥାଏ । କିନ୍ତୁ ଏହି ପାଣି କେଉଁଠୁ ଆସୁଛି ତାହାର ପତ୍ତା କେହି ପାଇ ନାହାନ୍ତି । ଅମରନାଥ ଗୁମ୍ଫା ଓ ବାବା ବର୍ଫାନୀଙ୍କୁ ନେଇ ଏମିତି ଅନେକ ରହସ୍ୟମୟ କାହାଣୀ ରହିଛି ଯାହା ଲୋକ ମାନଙ୍କୁ ଏଠାକୁ ଆସିବାକୁ ବାଧ୍ୟ କରିଥାଏ ।