ଟିକେଟ କଟିଲା, ଖପ୍ପା ହେଲେ ମୁରଲୀ ମନୋହର ଯୋଶୀ ! ଟାଣୁଆ ନେତାଙ୍କ ଅନୁପସ୍ଥିତି ଦଳ ଉପରେ କି ପ୍ରଭାବ ପକାଇବ?

187

କନକ ବ୍ୟୁରୋ : ମୋଦି ସରକାରଙ୍କ ପାଇଁ ସହଜ ନୁହେଁ ୨୦୧୯ ନିର୍ବାଚନ । ପୁଣି ଥରେ ଗାଦି ଅକ୍ତିଆର କରିବା ପାଇଁ ଦିନ ରାତି ଏକ କରିଦେଇଛି ଭାଜପା । ମୈଦାନରେ ନିଜର ଅସ୍ତିତ୍ୱ କାଏମ ରଖିବା ପାଇଁ ଅଂଟା ଭିଡ଼ିଛନ୍ତି ମୋଦି ସରକାର । ହେଲେ ବିରୋଧୀ ମଧ୍ୟ ମୋଦି ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ସମସ୍ତ ପ୍ରକାର ରଣନୀତି ପ୍ରସ୍ତୁତ କରିସାରିଛନ୍ତି । ୨୦୧୯ରେ ପୁଣି ଥରେ ବିଜୟୀ ହେବା ଆଶାରେ ବାଛି ବାଛି ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ଭାଜପା । ହେଲେ ଭାଜପାର ବିଜୟ ନିଶା ଏବେ ଦଳ ପାଇଁ କାଳ ହୋଇଯାଉଛି । ଭାଜପାର ଅନେକ ଟାଣୁଆ ନେତା ଟିକେଟ କଟିବା ପରେ ଦଳ ଉପରେ ଖପ୍ପା ପୁରୁଖା ନେତା । ଲାଲକୃଷ୍ଣ ଆଡ଼ଭାଣୀଙ୍କ ପରି ବିଜେପିର ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀଙ୍କ ଟିକେଟ କାଟିବା ପାଇଁ ନିଷ୍ପତ୍ତି ନେଇଛି ଦଳ ।

ଦଳର ମହାସଚିବ ରାମଲାଲ ଏନେଇ ଜଣାଇବା ପରେ ମୁରଲୀ ମନୋହର ଯୋଶୀ ଦଳ ଉପରେ ନାରାଜ ଅଛନ୍ତି । ରାମଲାଲ, ଯୋଶୀଙ୍କୁ ସାକ୍ଷାତ କରି ଏକଥା ଜଣାଇଥିଲେ । ଚଳିତ ନିର୍ବାଚନରେ ଯୋଶୀଙ୍କ ଟିକେଟ କଟିବା ସ୍ପଷ୍ଟ ହୋଇଛି । ହେଲେ ଦଳର ଏହି ନିଷ୍ପତି କିନ୍ତୁ ଯୋଶୀଙ୍କୁ ପସନ୍ଦ ଆସିନି । ରାମଲାଲ କହିଛନ୍ତି ଯୋଶୀ ପାର୍ଟି ଅଫିସ ଯାଇ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରନ୍ତୁ ।

ହେଲେ ଦଳରେ ଏହି ନିଷ୍ପତ୍ତିରେ ଖପ୍ପା ହେବା ସହ ଏପରି କୌଣସି ଘୋଷଣା କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଯୋଶୀ । ଯୋଶୀ କହିଛନ୍ତି ଦଳରେ ଏବେ କୌଣସି ସଂସ୍କାର ନାହିଁ । ଦଳ ଯଦି କିଛି ନିଷ୍ପତ୍ତି ନିଏ, ତେବ ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ଏନେଇ ବିଦ୍ଧିବଦ୍ଧ ଭାବେ ସୂଚନା ଦେବା ଆବଶ୍ୟକ । ଅନ୍ୟପଟେ ଯୋଶୀ ସ୍ପଷ୍ଟ କରିଦେଇଛନ୍ତି ବିଜେପି କାର୍ଯ୍ୟାଳୟ ଯାଇ ନିର୍ବାଚନ ଲଢ଼ିବା ପାଇଁ କୌଣସି ଘୋଷଣା କରବେ ନାହିଁ ।

ସୂଚନାଯୋଗ୍ୟ ଏହା ପୂର୍ବରୁ ଅନ୍ୟ ବିଜେପି ଟାଣୁଆ ତଥା ଦକ୍ଷ ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କ ଗାନ୍ଧୀନଗର ଟିକେଟ କଟିବା ପରେ ବହୁତ ହଙ୍ଗାମା ହୋଇଥିଲା । ଗାନ୍ଧୀନଗରରୁ ସିଟରୁ ବିଜେପି ଅଧ୍ୟକ୍ଷ ଅମିତ ଶାହ ଚଳିତ ବର୍ଷ ନିର୍ବାଚନ ଲଢ଼ିବେ । ଆଡ଼ଭାନୀଙ୍କ ଟିକେଟ କଟିବା ପରେ ଶତ୍ରୁଘ୍ନ ସିଂହ୍ନାଙ୍କ ସମେତ ଅନେକ କଂଗ୍ରେସର ନେତାମନେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ।