ଅବହେଳିତ ଅବସ୍ଥାରେ କେନ୍ଦୁଝରର ପର୍ଯ୍ୟଟନସ୍ଥଳୀ ମୁର୍ଗା ମହାଦେବ ! ରାସ୍ତାର ଦୂରାବସ୍ଥା ଯୋଗୁଁ ପର୍ଯ୍ୟଟକ ହଇରାଣ ହେଉଥିବା ଅଭିଯୋଗ

144

କନକ ବ୍ୟୁରୋ : ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମୁର୍ଗା ମହାଦେବ । ଏହି ପର୍ଯ୍ୟଟନସ୍ଥଳକୁ ସଂଯୋଗ କରୁଥିବା ରାସ୍ତା ପାଲଟିଛି ମରଣଯନ୍ତା । ବିଲେଇପଦାରୁ ୧୫ କିଲୋମିଟର ବ୍ୟାପୀ ମୁର୍ଗାମହାଦେବ ମୁଖ୍ୟ ରାସ୍ତା ଏବେ ଖାଲଖମାରେ ଭର୍ତ୍ତି । ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଥିବାରୁ ପର୍ଯ୍ୟଟକମାନେ ମୁର୍ଗାମହାଦେବ ଆସୁନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।

କେନ୍ଦୁଝର ଜିଲ୍ଲା ଯୋଡାର ପ୍ରସିଦ୍ଧ ଓ ପୁରାତନ ପର୍ଯ୍ୟଟନସ୍ଥଳୀ ମୁର୍ଗାମହାଦେବ । ବିଶେଷ କରି ଶ୍ରାବଣ ମାସରେ ଏଠାରେ ୪ଟି ରାଜ୍ୟର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ ତଥା ଓଡିଶାର ବୋଲବମ୍ ଶ୍ରଦ୍ଧାଳୁ ମୁର୍ଗାମହାଦେବଙ୍କ ଉପରେ ଜଳଲାଗି କରିବା ପାଇଁ ଭିଡ ଜମାଇଥାନ୍ତି । ମୁର୍ଗାମହାଦେବକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଅବସ୍ଥା ହୋଇପଡିଛି ଶୋଚନୀୟ । ରାସ୍ତା ସାରା ଖାଲଖମା ଭରିଯାଇଛି । ବିଲେଇପଦାରୁ ୧୫ କିଲୋମିଟର ଏହି ରାସ୍ତା ଝାଡଖଣ୍ଡର ନୂଆମୁଣ୍ଡିକୁ ମଧ୍ୟ ସଂଯୋଗ କରିଥାଏ । ହେଲେ, ରାସ୍ତାରେ ଦୂରବସ୍ଥା ଯୋଗୁଁ ପର୍ଯ୍ୟଟକମାନେ ଏଠାକୁ ଆସିବାକୁ ଚାହୁଁନଥିବା ଜଣାପଡିଛି ।

ପର୍ଯ୍ୟଟନସ୍ଥଳୀରେ ଶିବରାତ୍ରୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳେ । ପାହାଡ, ଝରଣା ଭଳି ପ୍ରାକୃତିକ ପରିବେଶରେ ଥିବା ମୁର୍ଗାମହାଦେବ ପର୍ଯ୍ୟଟନସ୍ଥଳୀକୁ ବହୁ ପର୍ଯ୍ୟଟକ ମଧ୍ୟ ଆସିଥାନ୍ତି । ହେଲେ ରାସ୍ତାର ଦୂରାବସ୍ଥା ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଅଭିଯୋଗ ହୋଇଛି । ଡିଏମଏଫ୍ ପାଣ୍ଠିରୁ ଖୁବଶୀଘ୍ର ରାସ୍ତା ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଭାଗୀୟ ଯନ୍ତ୍ରୀ । ସରକାର ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ, ଯୋଡା ମୁର୍ଗା ମହାଦେବକୁ ସଂଯୋଗ ରାସ୍ତା ଉପରେ ଯେମିତି କାହାରି ନଜର ପଡୁନାହିଁ ।