ଜୁଆ ଖେଳକୁ ନେଇ ଗଂଜାମ ଆସିକାରେ ହତ୍ୟାକାଣ୍ଡ ! ଯୁବକଙ୍କୁ ପିଟିପିଟି ମାରିଦେଲେ ଦୁବୃର୍ତ୍ତ

29

କନକ ବ୍ୟୁରୋ : ଝିମିଟି ଖେଳରୁ ମହାଭାରତ । ଜୁଆ ଖେଳକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ଗଞ୍ଜାମ ଜିଲ୍ଲା ଆସ୍କାରେ ଘଟିଛି ଏପରି ଅଭାବନୀୟ ଘଟଣା । ହିଂଜିଳି ଥାନା ଅନ୍ତର୍ଗତ ପିତଳ ଗାଁରେ ଜୁଆ ଖେଳକୁ କେନ୍ଦ୍ର କରି ହତ୍ୟାର ଶିକାର ହୋଇଛନ୍ତି ସନ୍ୟାସୀ ସାହୁ । କିଛି ଯୁବକ ତାଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଗତକାଲି ରାତିରେ ସନ୍ନ୍ୟାସୀଙ୍କୁ ୫ ଜଣ ଯୁବକ ଜୁଆ ଖେଳିବାକୁ ଘରୁ ଡାକି ନେଇଥିଲେ । ତେବେ ଜୁଆ ଖେଳିବା ବେଳେ କୌଣସି କାରଣରୁ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ୫ ଜଣ ଯୁବକ ସନ୍ନ୍ୟାସୀଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛନ୍ତି । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛିି । କିନ୍ତୁ ସନ୍ନ୍ୟାସୀଙ୍କ ପରିବାର ତରଫରୁ ଏଯାଏଁ କୌଣସି ଅଭିଯୋଗ ଥାନାରେ ହୋଇନାହିଁ ।

ଗଞ୍ଜାମରେ ଦିନକୁ ଦିନ ଅପରାଧ ବଢିଚାଲିଛି । ଅପରାଧୀ ମାନେ ବେଧଡକ ଭାବେ ଅପରାଧ ଘଟାଇ ଚାଲିଛନ୍ତି । ନେତା ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଅପରାଧୀଙ୍କ ଶିକାର ପାଲଟୁଛନ୍ତି । ଏସବୁ ବାଦ ମଧ୍ୟ ପୋଲିସ ହାତ ଖାଲି ପଡିଛି । ଅପରାଧୀଙ୍କୁ ସାବାଡ କରିବା ପାଇଁ ଗତକିଛି ଦିନ ହେବ ଗଞ୍ଜାମ ପୋଲିସ ଅପରେସନ କ୍ଲିନ ନାମରେ ଏନକାଉଣ୍ଟର ଆରମ୍ଭ କରିଛି । କିନ୍ତୁ ଅପରାଧୀ ମାନେ ତଥାପି ସୁଧୁରୁନାହାନ୍ତି ଯାହା ପୋଲିସ ପାଇଁ ଚିନ୍ତାର ବିଷୟ ପାଳଟିଛି ।

ଗଞ୍ଜାମ ଭଳି ବଲାଙ୍ଗୀରରେ ମଧ୍ୟ ଯୁବକଙ୍କୁ ପଥରରେ ଛେଚି ଅତି ଅମାନୁଷିକ ଭାବେ ହତ୍ୟା କରାଯାଇଛି । ବଲାଙ୍ଗୀରର ଶିକାଛିଡାରେ ନିଖୋଜ ଥିବା ଜଣେ ବ୍ୟକ୍ତିର ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି ।