ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ ! ଗଳା କାଟି କରାଯାଇଛି ହତ୍ୟା, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ

122

କନକ ବ୍ୟୁରୋ : ରାଜଧାନୀ ୟୁନିଟ୍ -୪ ଅଂଚଳର ବନ୍ଦ ଘରୁ ଆଜି ପୋଲିସକୁ ଏକ ମୃତଦେହ ମିଳିଥିଲା । ମୃତଦେହର ଗଳା କଟିଥିବା ବେଳେ ମୁଣ୍ଡ ଓ କାନ୍ଧରେ ଗଭୀର କ୍ଷତ ଚିହ୍ନ ରହିଥିଲା । ପାରିପାଶ୍ୱର୍ିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଥିଲେ ବି ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି ପୋଲିସ ।

ଘର କବାଟ ଖୋଲା । ଘରୁ ଆସୁଛି ରେଡିଓର ସାଉଣ୍ଡ । ହେଲେ ଘରେ ପଡିରହିଛି ରକ୍ତ ଜୁଡୁବୁଡୁ ମୃତଦେହ । ଗଳା କଟିଯାଇଛି ରକ୍ତ ବାହାରିଛି । ମୁଣ୍ଡରେ ଓ ଡାହାଣ ପଟ କାନ୍ଧରେ ରହିଛି କ୍ଷତ ଚିହ୍ନ । ପିନ୍ଧା ଜାମା ରକ୍ତରେ ଭିଜି ଯାଇଛି । ଆଉ ଏହି ରକ୍ତଭିଜା ଶରୀରକୁ ନେଇ ରାଜଧାନୀର ୟୁନିଟ୍ ୪ ଅଂଚଳରେ ଖେଳି ଯାଇଛି ଚାଂଚଲ୍ୟ । ମୃତକ ଜଣକ ଭଦ୍ରକ ଚାନ୍ଦବାଲିର ଗୋପାଳ ମହାରଣା । ୩୦ ବର୍ଷ ଧରି ୟୁନିଟ ୪ ଅଂଚଳରେ ସେ କାଠ ମିସ୍ତ୍ରୀ ଭାବେ ବେଶ ଜଣା ଶୁଣା । ହେଲେ ତାଙ୍କର ଏ ଅବସ୍ଥା ହେଲା କିପରି? ଏହା ହତ୍ୟାକାଣ୍ଡ ନା ଆତ୍ମହତ୍ୟା ସେନେଇ ଛାନଭିନ କରୁଛି ପୁଲିସ ।

ପଡୋଶୀଙ୍କ କହିବା ଅନୁଯାୟୀ ସକାଳ ସାଢେ ୭ଟାରେ ଘର ଅଗଣାରେ ଥିବା କଳରେ ଗାଧୋଇଥିଲେ ଗୋପାଳ । ପ୍ରାୟ ୮ଟାରେ ଚା ପିଇବା ପାଇଁ ଘର ପାଖ ଦୋକାନକୁ ବି ଯାଇଥିଲେ । ହେଲେ ସକାଳ ୯ଟାରେ ତାଙ୍କ ଘରର ଦୁଆର ଖୋଲା ରହିଥିବା ବେଳେ, ଘରର ରେଡିଓର ଶଦ୍ଦ ବହୁତ ଅଧିକ ଥିଲା । ପୁଲିସ ଜାଣିବାକୁ ପାଇଛି, ସକାଳ ସାଢେ ୮ଟାରୁ ୯ଟା ଭିତରେ ଏଭଳି କାଣ୍ଡ ଘଟିଛି ।

କଣ ଥିଲା ସେହି ଅଧଘଂଟାର ରହସ୍ୟ? ଗୋପାଳଙ୍କୁ କେହି ଯୋଜନାବଦ୍ଧ ଭାବେ ହତ୍ୟା କରିଛି ନା ଏହା ଏକ ଆତ୍ମହତ୍ୟା? ଯଦି ଆତ୍ମହତ୍ୟା, ତେବେ କାହିଁକି ଆତ୍ମହତ୍ୟା କଲେ ଗୋପାଳ? ଯଦି ହତ୍ୟାକାଣ୍ଡ ତେବେ ଜଣେ କାଠମିସ୍ତ୍ରୀଙ୍କୁ କିଏ ଓ କାହିଁକି ହତ୍ୟା କଲା? ଏଭଳି ଅନେକ ପ୍ରଶ୍ନକୁ ନେଇ ତଦନ୍ତ କରୁଛି ପୁଲିସ ।