କୁଆଖାଇ ନଦୀପଠାରୁ ମିଳିଲା ଅଧାପୋଡା ମୃତଦେହ : ମୃତଦେହ ନିକଟରୁ ଲାପଟପ୍, ପେନଡ୍ରାଇଭ୍ ଓ ମହିଳା ଚପଲ ଜବତ

33

କନକ ବ୍ୟୁରୋ : ନଦୀପଠାରୁ ମିଳିଲା ଅଧାପୋଡା ମୃତଦେହ । ଭୁବନେଶ୍ୱର ମଂଚେଶ୍ୱର ଥାନା ଅନ୍ତର୍ଗତ ନହରକଂଟା କୁଆଖାଇ ନଦୀପଠାରୁ ଜବତ ହୋଇଛି ଯୁବକଙ୍କ ଅଧାପୋଡା ମୃତଦେହ । ମଂଚେଶ୍ୱର ଥାନା ପୋଲିସ ଅଧାପୋଡା ମୃତଦେହକୁ ଜବତ କରିଛି । ଯୁବକଙ୍କ ପେଟରେ ଛୁରୀ ଭୁଷା ହୋଇଥିବା ଦେଖିବାକୁ ମିଳିଥିଲା । ଏହା ସହ ମୃତଦେହ ନିକଟରୁ ଏକ ଲାପଟପ୍, ଅଧାପୋଡା ପେନଡ୍ରାଇଭ୍ ଓ ମହିଳା ଚପଲ ଜବତ ହୋଇଛି । ଯେଉଁଥି ପାଇଁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ମୃତ ଯୁବକଙ୍କ ପରିଚୟ ମିଳି ପାରିନାହିଁ । ପୋଲିସ ଅଧାପୋଡା ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି । ସାଇଂଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।

ମିଳିଥିବା ସୂଚନାନୁଯାୟୀ ଗତକାଲି ଅପରାହ୍ନ ସମୟରେ ନଦୀପଠାରେ ଏକ ଅଧାପୋଡ଼ା ମୃତଦେହ ପଡ଼ିଥିବା ନେଇ କିଛି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ । ତେଣୁ ସାଇଣ୍ଟିଫିକ ଟିମ୍ ସହ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ମୃତ ଯୁବକ ଜଣକ ଏକ ନୀଳ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ବେଳେ ତାଙ୍କ ବୟସ ୩୦ ରୁ ୩୫ ଭିତରେ ହେବ ବୋଲି ପୁଲିସ ଅନୁମାନ କରୁଛି । ଯୁବକଙ୍କ ପେଟରେ ଛୁରି ଭୁଷା ହୋଇଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଘଟଣାର ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ କହିଛି । ଏହି ଘଟଣାରେ ଏକାଧିକ ଲୋକଙ୍କ ହାତ ଥିବା ପୁଲିସ ଅନୁମାନ କରୁଛି ।