ଗାଁ ଗାଁରେ କରୋନାକୁ ନେଇ ସଚେତନତା । ରାସ୍ତାରେ ବାଡ ପକାଇ ଗାଁରେ ବାହାର ଲୋକଙ୍କୁ ପଶିବାକୁ ବାରଣ କରୁଛନ୍ତି ଲୋକ

ବାଡ ପକାଇ ଲେଖିଲେ ଲକଡାଉନ୍

897

କନକ ବ୍ୟୁରୋ: କରୋନାକୁ ନେଇ ଲୋକଙ୍କ ଭିତରେ ଧୀରେ ଧୀରେ ଦେଖିବାକୁ ମିଳିଲାଣି ସଚେତନତା । ଗାଁ ବାହାରକୁ ଯିବା ମନା ଆଉ ବାହାର ଲୋକଙ୍କୁ ଗାଁକୁ ଆସିବା ବି ମନା । ଯିଏ ଆସିବ ହାତ ହୋଇବ । ଏହାକୁ ପାଳନକରିବା ପାଇଁ ଗାଁ ଲୋକେ ରାସ୍ତାରେ ବାଡ ପକାଇଛନ୍ତି । ନିଜ ଉଦ୍ୟମରେ ଏପରି ପଦକ୍ଷେପ ନେଇଛନ୍ତି ରାୟଗଡା ହଲୁଆ ଗ୍ରାମବାସୀ ।

କରୋନା ପାଇଁ ସାହି ଓ ଗାଁରେ ପଶିବା ମନା । କରୋନା ପାଇଁ ଗାଁକୁ କାହାକୁ ପୁରାଇ ଦେବୁନି । ଏପରି ଶପଥ ନେଇ ଅଭିନବ ଉପାୟରେ ନବରଙ୍ଗପୁର ଉମରକୋଟ୍ ସହର ଭାଲୁଗୁଡା ଗାଁ ଲୋକେ କରୋନାକୁ ଦୂର କରିବାକୁ ଆରମ୍ଭ କରିଛନ୍ତି ଉଦ୍ୟମ । ବାହାର ଲୋକ ଗାଁକୁ ଆସିବା ନେଇ କଟକଣା ଜାରି ହୋଇଛି । ଯେଉଁମାନେ ଗାଁରେ ପ୍ରବେଶ କରୁଛନ୍ତି ସମସ୍ତଙ୍କୁ ହାତ ଧୋଇବାକୁ ପଡୁଛି । ରାସ୍ତା ଦେଇ ଯାଉଥିବା ସମସ୍ତ ଲୋକଙ୍କୁ ବି ସାହି ଲୋକେ ସଚେତନ କରୁଛନ୍ତି । କିଛି ସ୍ଥାନରେ ଗାଁକୁ ପ୍ରବେଶ କଟକଣା ନେଇ ବାଡ ତିଆରି ହୋଇଛି । ଆଉ ଏହା ଉପରେ ଲେଖା ରହିଛି ଲକଡାଉନ୍ ।

ସେହିପରି କରୋନା ବିରୋଧରେ ନିଆରା ଢଙ୍ଗରେ ସଚେତନତାର ବାର୍ତା ବାଂଟୁଛନ୍ତି ବାଲିଗୁଡାବାସୀ । ଏବେ ବଜାରରେ ମିଳୁନି ମାସ୍କ । ଏପରି ସ୍ଥିତିରେ ମୁହଁରେ ବାନ୍ଧି ଦେଇଛନ୍ତି ଶାଳ ପତ୍ର । ଗାଁର ପ୍ରତ୍ୟକ ବ୍ୟକ୍ତି ସ୍ୱଚ୍ଛତା ପାଇଁ ସାବୁନରେ ହାତ ଧୋଉଛନ୍ତି । ଏହା ସହିତ ଗାଁକୁ ପ୍ରବେଶ କରିବା ଉପରେ ଲଗାଇ ଦେଇଛନ୍ତି କଟକଣା । ଏଥିପାଇଁ ଗାଁ ମୁଣ୍ଡରେ ବାନ୍ଧି ଦିଆଯାଇଛି କାଠର ବାଡ । ପୋଷ୍ଟରରେ ଲେଖା ହୋଇଛି ଗାଁ ଭିତରକୁ ପ୍ରବେଶ ନିଷେଧ । କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଲକ ମୁଣ୍ଡିଗଡ ଗାଁ ଲୋକେ ବାଂଟିଛନ୍ତି ଏପରି ସଚେତନତାର ବାର୍ତା । ଯାହା ଅନ୍ୟ ମାନଙ୍କ ପାଇଁ ହେବ ଉଦାହରଣ ।