ମୌସୁମୀ ବର୍ଷାରେ ମୁମ୍ବାଇ ବେହାଲ : ପ୍ରବଳ ବର୍ଷା ଯୋଗୁଁ ସ୍କୁଲ ବନ୍ଦ କରିବାକୁ ସରକାରଙ୍କ ନିର୍ଦ୍ଦେଶ

38

କନକ ବ୍ୟୁରୋ : ମୁମ୍ବାଇରେ ଲାଗି ରହିଛି ମୌସୁମୀ ଜନିତ ବର୍ଷା । ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ଜଳବନ୍ଦୀ ଅବସ୍ଥାରେ ଲୋକମାନେ ରହିଛନ୍ତି । ରାସ୍ତାଘାଟରେ ପାଣି ଜମିରହିଥିବାରୁ ଆଧା ରାସ୍ତାରେ ଗାଡିଗୁଡିକ ଅଟକି ରହିଥିବା ସହ ରେଳଲାଇନ ଉପରେ ପ୍ରବଳ ପାଣି ଜମି ରହିଛି । ତେଣୁ ଅଧା ବାଟରେ ଅନେକ ଟ୍ରେନ ମଧ୍ୟ ଅଟକି ରହିଛନ୍ତି । ପ୍ରବଳ ବର୍ଷା ହେଉଥିବା କାରଣରୁ ମୁମ୍ବାଇକୁ ସଂଯୋଗ କରୁଥିବା ଏକ ପୋଲକୁ ସ୍ଥାନୀୟ ପୋଲିସ ପକ୍ଷରୁ ବନ୍ଦ କରିଦିଆଯାଇଛି । ପୋଲ ଉପରେ ପାଣି ଚାଲୁଥିବାରୁ ସେଠାରେ କୌଣସି ଅଘଟଣ ଘଟିବା ଆଶଙ୍କା କରି ଏପରି କରାଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ରେଳ ବିଭାଗର ଜଣେ ଅଧିକାରୀ କହିଛନ୍ତି ପୂର୍ବରୁ ଅନ୍ଧେରୀ ପୋଲ ଉପରେ ପାଣି ଲାଗିଯାଇଥିଲା । ସେତେବେଳେ ଏକ ଛୋଟ ଦୁର୍ଘଟଣା ଘଟିଥିଲା । ତେଣୁ ଲୋକମାନଙ୍କ ସୁରକ୍ଷାକୁ ଦୃଷ୍ଟିରୁ ଏପରି ସତର୍କମୂଳକ ପଦକ୍ଷେପ ନିଆଯାଇଛି । ବର୍ଷା ପାଣି କମିଲେ ସ୍ଥିତି ଯାଞ୍ଚ ହେବାପରେ ପୁଣି ରେଳ ଚଳାଚଳ କରିବ ବୋଲି ସେ କହିଛନ୍ତି । ଗତକାଲି ରାତିରୁ ହିଁ ପ୍ରବଳ ବର୍ଷା ଲାଗି ରହିଛି ଯେଉଁ କାରଣରୁ ସହର ମଧ୍ୟରେ ଅନେକ ଟ୍ରାଫିକ ସମସ୍ୟା ଦେଖାଯାଇଛି । ପରେଲ, ଧାରାବି, ମାଦୁଗାଁ ସହ ମୁମ୍ବାଇର କିଙ୍ଗ୍ ସର୍କେଲ ଅଞ୍ଚଳ ସହ ଥାନେ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ଆସନ୍ତା ୩୬ ଘଣ୍ଟା ପର୍ଯ୍ୟନ୍ତ ଆହୁରି ମୂଷଳ ଧାରାରେ ବର୍ଷା ଲାଗି ରହିବ ।

ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ବିଦ୍ୟାଳୟକୁ ସରକାରଙ୍କ ପକ୍ଷରୁ ଛୁଟି ଘୋଷଣା କରାଯାଇଛି । ଏହା ପୂର୍ବରୁ ପ୍ରବଳ ବର୍ଷା କାରଣରୁ ୧୦୭ ଜଣ ଲୋକ ଏକ ସ୍ଥାନରେ ଫସି ରହିଥିଲେ । କିନ୍ତୁ ଖବର ପାଇବା ପରେ ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ରାସ୍ତାରୁ ଜଳ ନିଷ୍କାସିତ ହୋଇପାରୁ ନଥିବାରୁ ପମ୍ପ ଲଗାଇ ରାସ୍ତାରୁ ପାଣି କଢା ଯାଉଛି । ଉପର ମୁଣ୍ଡର ସମସ୍ତ ଗେଟ ଖୋଲାଯାଇଥିବାରୁ ମୁମ୍ବାଇର ସବୁ ସ୍ଥାନରେ ପାଣି ହିଁ ପାଣି ଦେଖାଯାଉଛି । ବର୍ଷା କାରଣରୁ କୌଣସି ସ୍ଥାନରେ ବିଜୁଳି ନଥିବା କାରଣରୁ ମହାରାଷ୍ଟ୍ରର ବିଧାନସଭା କୁ ମଧ୍ୟ ବନ୍ଦ କରାଯାଇଛି ।

ପ୍ରବଳ ବର୍ଷା ହେଉଥିବା କାରଣରୁ ଓ ଆଗକୁ ଆହୁରି ବର୍ଷା ହେବ ବୋଲି ପାଣିପାଗ ବିଭାଗର ନିର୍ଦ୍ଦେଶ ହେତୁ ତଳିଆ ଅଞ୍ଚଳକର ଲୋକମାନଙ୍କୁ ସଜାଗ ରହିବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି । ମହାରାଷ୍ଟ୍ର ସରକାର ଏହା ଉପରେ ନଜର ରଖିବା ସହ କିପରି ଭାବରେ ଲୋକମାନଙ୍କୁ ସୁରକ୍ଷିତ ରଖାଯିବ ସେ ନେଇ ସମସ୍ତ ପ୍ରଶାସନ ଅଧିକାରୀଙ୍କ ସହ ବୈଠକ କରଛନ୍ତିି ବୋଲି ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି ।